ଅବସର ପରେ ବି ଅଲପନଙ୍କ ଅଡୁଆ କମୁନି : ପୁଣି ଡକାଇଲେ କେନ୍ଦ୍ର ସରକାର, ନର୍ଥ ବ୍ଲକରେ ରିପୋର୍ଟ କରିବାକୁ ସାନି ଚିଠି

Published By : Prameya-News7 Bureau | June 01, 2021 IST

କୋଲକାତା,୦୧/୦୫:  କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଅଲପନ ବନ୍ଦୋପାଧ୍ୟାୟଙ୍କୁ ନେଇ ଜାରି ରହିଥିବା ବିବାଦ ଏବେବି ଥମୁନାହିଁ ।ଅଲପନ ଅବସର ନେବା ପରେ ବି ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ରହିଛି । କେନ୍ଦ୍ର ସରକାର ସୋମବାର ଅବସର ନେଇଥିବା ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ମଙ୍ଗଳବାର ସକାଳ ୧୦ଟାରେ ଦିଲ୍ଲୀ ଡାକିଥିଲେ । ଏହାସହ ରିମାଇଣ୍ଡର ଲେଟର୍ ବା ସ୍ମରଣ ପତ୍ର ମଧ୍ୟ ପଠାଇଥିଲେ । ଯଦି ଅଲପନ ଦିଲ୍ଲୀରେ ଉପସ୍ଥିତ ନହୁଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ଚେତାବନୀ ମଧ୍ୟ ଦେଇଛନ୍ତି ।

ଏହା ପୂର୍ବରୁ ଅଲପନଙ୍କୁ ସୋମବାର ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସେ ଦିଲ୍ଲୀରେ ପହଁଚିନଥିଲେ । ଏହାକୁ ନେଇ ରାଜନୈତିକ ହଟ୍ଟଚମଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ବନ୍ଦୋପାଧ୍ୟାୟ ଅବସର ନେଇ ସାରିଛନ୍ତି । ତାଙ୍କୁ ୩ ବର୍ଷ ପାଇଁ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି ।

ଏହାସହ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ବନ୍ଦୋପଧ୍ୟାୟଙ୍କୁ ଦିଲ୍ଲୀ ଡକରା ନେଇ ଆଦେଶକୁ ପ୍ରତ୍ୟାହାର କରିବାକୁ କହିଛନ୍ତି । ଏହାସହ କୌଣସି ଅଧିକାରୀ ରାଜ୍ୟ ସରକାରଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟାଳୟ ଯାଇପାରିବେ ନାହିଁ ବୋଲି କହିଛନ୍ତି ଦିଦି ।

ଦିଲ୍ଲୀରୁ ମିଳିଥିବା ସୂତ୍ରାନୁସାରେ, ବନ୍ଦୋପାଧ୍ୟାୟ ଯଦି ଦିଲ୍ଲୀରେ ଉପସ୍ଥିତ ନ ହୁଅନ୍ତି ତେବେ ତାଙ୍କ ବିରୋଧରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇପାରେ । ଦିଲ୍ଲୀରେ କେନ୍ଦ୍ରୀୟ ସେବାରେ କାହିଁକି ସାମିଲ ହେଲେ ନାହିଁ ବୋଲି ତାଙ୍କୁ ପ୍ରଶ୍ନ ପଚରାଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.