ପୁଣି ଚର୍ଚ୍ଚାରେ ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମା; କେବୁଲ୍ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ, କାହିଁକି ଏବଂ କେଉଁଠି ଜାଣନ୍ତୁ

Published By : Prameya-News7 Bureau | November 26, 2018 IST

ନବରଙ୍ଗପୁର ୨୬/୧୧ : ସାହେବ୍ ରାଗିଛନ୍ତି । ନବରଙ୍ଗପୁର ଏସପିଙ୍କ ରାଗ ପୂରା ପଞ୍ଚମରେ । ଗୋଟେ ମାମୁଲି ଘଟଣାକୁ ନେଇ ସାହେବ୍ ଏମିତି କାଣ୍ଡ କରିଛନ୍ତି ଯେ, ଘଟଣା ଚାପିଦେବାକୁ ଏବେ ଭିଁ-ରେ ନାକ ଘଷୁଷି ପୂରା ଜିଲ୍ଲା ପୋଲିସ୍ । କ'ଣ ହୋଇଛି ପୂରା ଘଟଣା … ଦେଖନ୍ତୁ ଏହି ରିପୋର୍ଟରେ । ପୁଣି ଚର୍ଚ୍ଚାରେ ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମା । ଆଗରୁ ନିଜର ଦୁଇ ଫଲୋୟର୍ ଅର୍ଡର୍ଲିଙ୍କୁ ନିର୍ଯାତନା ଦେଇ ବିବାଦୀୟ ହୋଇ ପଡ଼ିଥିବା ଶର୍ମା ସାହେବ୍, ଏଥର ଜଣେ କେବୁଲ୍ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ଆସିଛି । ତେବେ କାହିଁକି ଏବଂ କେଉଁଠି ସାହେବ୍ କେବୁଲ୍ ଅପରେଟରଙ୍କୁ ମାଡ଼ ମାରିଲେ ? କେବୁଲ୍ ଅପରେଟର୍ ଏମିତି କଣ କଲେ ଯେ, ଶର୍ମା ସାରଙ୍କ ରାଗ ପଞ୍ଚମକୁ ଚଢ଼ିଗଲା ? ଏସପି ସାହେବ୍ ଏଭଳି କାଣ୍ଡ କରିଥିବା ବେଳେ ତାକୁ ରଫାଦଫା କରିଦେବାକୁ ଫୁଲ୍ ଦମରେ ଲାଗି ପଡ଼ିଛି ପୂରା ଜିଲ୍ଲା ପୋଲିସ୍ । କଂଗ୍ରେସ କିନ୍ତୁ ପ୍ରସଙ୍ଗକୁ ଗଣ୍ଠି କରିଛି । ଗତ ୨୩ ତାରିଖର ଘଟଣା । ଏସପି ବିବେକାନନ୍ଦ ଶର୍ମାଙ୍କ ସରକାରୀ ବାସଭବନରେ ଚାଲିଥିଲା କେବୁଲ୍ କାମ । କେବୁଲ୍ କର୍ମଚାରୀ ବାବୁଲା ଭତ୍ରା, ଆଲମୀରା ଆଡ଼େଇ କାମ କରୁଥିଲେ । କିନ୍ତୁ ସେହି ସମୟରେ ହଠାତ୍ ଆସି ପହଞ୍ଚିଗଲେ ସାହେବ୍ । ବାବୁଲା, ବୋଧ ହୁଏ ଏସପିଙ୍କୁ ଜାଣି ପାରିଲେନି । ବାସ୍, ସେଇଟା ହେଲା କାରଣ । କାହିଁକି ମୋତେ ନମସ୍କାର କଲୁନି କହି, ବାବୁଲାଙ୍କୁ ଏସପି ସାହେବ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମୁହଁ ନଖୋଲିବାକୁ ବାସଭବନରୁ ବାହାରିଲା ବେଳେ ବାବୁଲାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇଥିଲା ପୋଲିସ୍ ବିଭାଗ । ଏପରିକି ଜିଲ୍ଲା ବାହାରକୁ ନେଇ ତାଙ୍କୁ ପ୍ୟାଣ୍ଟ୍, ସାର୍ଟ ଏବଂ ଜ୍ୟାକେଟ୍ କିଣି ଦେଇଥିବା କୁହାଯାଉଛି । ଜିଲ୍ଲା କଂଗ୍ରେସ କିନ୍ତୁ ଏସପିଙ୍କ ଏଭଳି ଆଚରଣକୁ ବରଦାସ୍ତ କରିନି । ତୁରନ୍ତ ଏସପି କ୍ଷମା ନମାଗିଲେ, ଆସନ୍ତା ୪ ତାରିଖରେ ନବରଙ୍ଗପୁର ବନ୍ଦ ଡାକରା ଦେଇଛି କଂଗ୍ରେସ । ସେପଟେ ପୋଲିସ୍ ମହାନିର୍ଦ୍ଦେଶକ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ୟୁପିଏସସି କ୍ଲିଅର୍ କରି ଆଇପିଏସ୍ ଅଫିସର ହୋଇଛନ୍ତି ବିବେକାନ୍ଦ ଶର୍ମା । କିନ୍ତୁ ବଡ଼ ପଦରେ ରହି ଅଧସ୍ତନ କର୍ମଚାରୀ କିମ୍ବା ସାଧାରଣ ଜନତାଙ୍କ ସହ କେମିତି ଡିଲ୍ କରିବାକୁ ପଡ଼ିବ, ତାହା ବୋଧେ ଶିଖି ନାହାନ୍ତି । ପୁଣି ଜାଣି ନପାରି ଯଦି ଜଣେ ନମସ୍କାର କଲେନି, ତେବେ ଏଥିପାଇଁ ଏତେ କ୍ଷୁବ୍ଧ ହେବାର କଣ ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.