ଭୀମସାର ବିରୋଧରେ ସାଂଘାତିକ ଅଭିଯୋଗ : ପ୍ରେସ୍କ୍ରିପସନରେ ଲେଖା ଟେଷ୍ଟ ଠାରୁ ଅଧିକ ଓ ଅଯଥା ଟେଷ୍ଟ କରି ରୋଗୀଙ୍କୁ ଲୁଟୁଛନ୍ତି ଡାଇଗ୍ନୋଷ୍ଟିକ୍ ବିଭାଗ
9/06/2020 at 6:12 PM

ସମ୍ବଲପୁର ୦୯/୦୬ : ବୁର୍ଲା ଭୀମସାରରେ ମିଛ ଟେଷ୍ଟ କରାଯାଇ କୋଟି କୋଟି ଟଙ୍କାର ବିଲ୍ ହୋଉଥିବାର ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ନ୍ୟୁଜ7 ହାତରେ ଲାଗିଛି କିଛି ଏମିତି ଡକ୍ୟୁମେଣ୍ଟରେ ଯେଉଁଥିରେ ରୋଗୀଙ୍କୁ ଏବଂ ସରକାରଙ୍କୁ ଉଭୟଙ୍କୁ ଶୋଷଣ କରାଯାଉଛି | ଡାକ୍ତର ଗୋଟିଏ ଟେଷ୍ଟ ଲେଖିଥିବା ବେଳେ ଠିକା ପାଇଥିବା ସଂସ୍ଥା ସେଥିରେ ଆଉ କିଛି ଟେଷ୍ଟ ଗୁନ୍ଧି ପକେଟ ଗରମ କରୁଛନ୍ତି |

ରୋଗୀଙ୍କୁ ଲୁଟ୍, ସରକାରଙ୍କୁ ଲୁଟ୍। ଆଖିରେ ଆଙ୍ଗୁଠି ଗେଞ୍ଜି ଚାଲିଛି ହାତ ଚିକ୍କଣ। ଏଭଳି ଅଭିଯୋଗ ଆସିଛି ବୁର୍ଲା ଭୀମସାରରେ ନିଦାନ ଦାୟିତ୍ବ ନେଇଥିବା କ୍ରିଷ୍ଣା ଡାଇଗ୍ନୋଷ୍ଟିକ ପ୍ରାଇଭେଟ ଲିମିଟେଡ ନାଁରେ। ଯାହାର ଦସ୍ତାବିଜ ସହ ଆସିଛି ଅଭିଯୋଗ। ଏ ହେଉଛି ଭିମ୍ସାରେ ଚିକିତ୍ସା ହୋଇଥିବା ଇନ୍ଦୁମତୀ ପାଲଙ୍କ ପ୍ରେସ୍କ୍ରିପସନର କପି। MRI ପାଇଁ ଡାକ୍ତର ପ୍ରେକ୍ସିପସନ ରେ ଲେଖିଛନ୍ତି । ସ୍ବଷ୍ଟଭାବେ LS spine MRI ପାଇଁ ଲେଖାଯାଇଛି | ଏହି ଟେଷ୍ଟର ଖର୍ଚ୍ଚ ୪୦୦୦ ଟଙ୍କା। ତେବେ ସରକାରଙ୍କ ବିଭିନ୍ନ ଯୋଜନାରେ ଅନୁବନ୍ଧିତ ଏହି ରୋଗୀଙ୍କ ଟେଷ୍ଟ ଟଙ୍କା ସରକାର ଭରଣା କରିବେ। ଆଉ ଭିମସାରରେ MRI ଠିକା ନେଇଛି କ୍ରିଷ୍ଣା ଡାଇଗ୍ନୋଷ୍ଟିକ। ପ୍ରେସ୍କ୍ରିପସନରେ ଯେତିକି ଲେଖାଯାଇଛି ସେଥିରେ ଆଉ କିଛି ଟେଷ୍ଟ ନିଜ ଆଡୁ ଗୁନ୍ଥି ଦେଉଛି। ସରକାରଙ୍କୁ କ୍ରିଷ୍ଣା ଡାଇଗ୍ନୋଷ୍ଟିକ ଦେଇଥିବା ବିଲ୍ ରେ ୩ଟି MRI ପାଇଁ ବିଲ୍ ଦେଇଛି । ଏହି ବିଲ୍ ଉପରେ ପଲମ୍ୟୁନାରୀ ବିଭାଗ ମୁଖ୍ୟ ଡକ୍ତର ପ୍ରଭାତୀ ଦତ୍ତଙ୍କ ସ୍ବାକ୍ଷର ବି ଅଛି। ଏହା ଗୋଟିଏ ଘଟଣା ନୁହେଁ ସେହିପରି ଶୋଭାରାମ ଚୌହାନ ଙ୍କ କ୍ଷେତ୍ରରେ ମଧ୍ୟ ଘଟିଛି | ଡାକ୍ତର ଗୋଟିଏ MRI ପାଇଁ ଲେଖୁଛନ୍ତି , ହେଲେ ରୋଗୀ ଡିସର୍ଚାଜ ହେଲା ପରେ ବିଲ୍ ହେଉଛି ୩ଟି ଅଧିକ MRI ର |

ପ୍ରଶ୍ନ ଉଠୁଛି ପ୍ରେକ୍ସିପସନରେ ଗୋଟିଏ MRI ପାଇଁ ଲେଖାଯାଇଥିବା ବେଳେ ଡାକ୍ତର ବିଲ୍ ଅନୁମୋଦନ କଲା ବେଳେ ୪ଟି MRIକୁ ମଞ୍ଜୁରୀ କେମିତି ଦେଉଛନ୍ତି। ଏ ଅହେତୁକ ଅନୁକମ୍ପା କେଉଁଥି ପାଇଁ। ଗୋଟିଏ ରୋଗୀର ୩ଟି ଅଧିକ MRI କରି ୧୨୦୦୦ ଅଧିକ ବିଲ୍ କରାଯାଉଛି। ଦିନକୁ ଯଦି ୨୫ ରୋଗୀଙ୍କ ଏମଆରଆଇ କ୍ରିଷ୍ଣା ଡାଇଗ୍ନୋଷ୍ଟିକ୍ସରେ ହେଉଥିବ ଏବଂ ସବୁଥିରେ ଅଧିକ ୧୨ ହଜାର ବିଲ୍ କରାଯାଏ ଅନୁମାନ କରନ୍ତୁ ସରକାରଙ୍କୁ କେତେ ଟଙ୍କାର ଚୂନ ମରାଯାଉଛି। ତେବେ ଏନେଇ ପ୍ରତିକ୍ରିୟା ଦେବାକୁ ମେଡିକାଲ କର୍ତ୍ତପକ୍ଷ ସଫା ସଫା ମନା କରିଦେଇଛନ୍ତି |