ସରିନି ଭୋଟଗଣତି ଦିଲ୍ଲୀ ସିଂହାସନ ପାଇଁ ଆରମ୍ଭ ହୋଇଗଲାଣି ମୁଲଚାଲ

Published By : Prameya-News7 Bureau | May 13, 2019 IST

ଭୁବନେଶ୍ବର ୧୩।୫:  ଲୋକସଭା ନିର୍ବାଚନ ଫଳ ବାହାରିବା ଆଗରୁ ଆରମ୍ଭ ହୋଇଗଲାଣି ମୁଲଚାଲ । କେନ୍ଦ୍ରରେ ବିଜେପିକୁ କ୍ଷମତାରୁ ହଟାଇବାକୁ ଏବେ ବିଜେଡି ସହ ଡିଲ୍ କରୁଛି କଂଗ୍ରେସ । ଏଥିପାଇଁ କୁଆଡେ କମଲ ନାଥ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭିତିରି ଆଲୋଚନା ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ଉଡିଲାଣି । ଯେହେତୁ ଏଥର ରାଜ୍ୟରେ ବିଜେପି ହିଁ ବିଜେଡିର ମୁଖ୍ୟପ୍ରତିଦ୍ବନ୍ଦୀ ବୋଲି ସ୍ପଷ୍ଟ ହୋଇଗଲାଣି ସେଥିପାଇଁ ଚିରାଚରିତ ଶତ୍ରୁ କଂଗ୍ରେସ ସହ ହାତ ମିଳାଇବାରେ କିଛି ଅସୁବିଧା ନାହିଁ ବୋଲି ବିଜେଡି ଭାବିବାକୁ ଆରମ୍ଭ କଲାଣି । ଏଣିକି ସମଦୂରତା ନୁହେଁ ବରଂ ବେଟର ଡିଲ୍ ହେବ ବୋଲି ନିର୍ବାଚନ ପ୍ରଚାର ବେଳେ ନବୀନ ଯେଉଁ ସଂକେତ ଦେଇଥିଲେ  ତାହା ଏବେ ନବୀନ ଓ  କମଳନାଥଙ୍କ ଆଲୋଚନାରୁ ସଙ୍କେତ ମିଳୁଛି । .

ମେ ୨୩ ତାରିଖରେ ହେବ ଭୋଟ ଗଣନା । କିନ୍ତୁ ତା ପୂର୍ବରୁ ଦିଲ୍ଲୀ ସିଂହାସନ କିଭଳି କବଜାକୁ ନେଇହେବ ସେଥିପାଇଁ ଆରମ୍ଭ ହୋଇଗଲାଣି କସରତ । ଦିଲ୍ଲୀ ଗାଦିରୁ ମୋଦି ସରକାରକୁ ହଟାଇବାକୁ ବିଗ୍ ପ୍ଲାନ କରିଛି ଗ୍ରାଣ୍ଡ ଓଲ୍ଡ ପାର୍ଟି କଂଗ୍ରେସ । ସେଥିରେ ବିଜେଡିର ସହାୟତା ଲୋଡିଛି ଦଳ । ଏଥିପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କୁ  ଦାୟିତ୍ବ ଦେଇଛି ଦଳ।   ଡୁନ୍ ସ୍କୁଲ ଫ୍ରେଣ୍ଡ ନବୀନଙ୍କ ସହ ପୋଷ୍ଟ ପୁଲ ଆଲିଆନ୍ସ  ନେଇ କୁଆଡେ  କମଲ ନାଥ କଥାବାର୍ତ୍ତା କରିସାରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଏବେ ଚର୍ଚ୍ଚା  ହେଉଛି।  ଯେହେତୁ ବିଜେଡି ସୁପ୍ରିମୋ ନିର୍ବାଚନ ପ୍ରଚାରବେଳେ ସଂକେତ ଦେଇ ସାରିଛନ୍ତି ଯେ ଏଣିକି ସମଦୂରତା ନୁହେଁ ବରଂ ଯିଏ ଓଡିଶା ପାଇଁ ବେଟର ଡିଲ୍ କରିବ ବିଜେଡି ତା ସହିତ ଯିବ ସେଥିପାଇଁ ବିଜେଡି ଓ କଂଗ୍ରେସ ଯେ ଆଗକୁ କ୍ଲୋଜର ନହେବେ ତାହା କହିହେବ ନାହିଁ । ଏବେ ରାଜ୍ୟରେ କଂଗ୍ରେସ ନୁହେଁ ବରଂ ବିଜେପି ହିଁ ବିଜେଡିର ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ ଉଭା ହୋଇଥିବାରୁ ଦଳ କଂଗ୍ରେସ ସହ ଯିବାକୁ ଉଚିତ ମଣିପାରେ । ଏହାକୁ ନେଇ ରାଜ୍ୟ ରାଜନୀତି ପାଣିପାଗ ବି ହଲଚଲ ହେବାକୁ ଯାଉଛି ।

କଂଗ୍ରେସ ଆକଳନ ଅନୁସାରେ  ଏଥର ଲୋକସଭା ନିର୍ବାଚନରେ ଦଳକୁ ୧୫୦ ସିଟ୍  ମିଳିବ । ତେଣୁ ଆଞ୍ଚଳିକ ଦଳଙ୍କ ସମର୍ଥନରେ ଦିଲ୍ଲୀ ଗାଦି ମାଡିବସିବା କିଛି ବଡକଥା ନୁହେଁ ବୋଲି ଦଳ ଭାବୁଛି । ସେଥିପାଇଁ ୟୁପିଏ ସମର୍ଥକଙ୍କୁ ଛାଡି କଂଗ୍ରେସ  ଆନ୍ଧ୍ରରେ ଓ୍ବାଇଏସ୍ଆର୍, ତେଲେଙ୍ଗାନାରେ ଟିଆରଏସ୍ ଏବଂ ଓଡିଶାରେ ବିଜେଡି ସହ କଥାବାର୍ତ୍ତା ଆରମ୍ଭ କରିଛି । ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶର ଗଣିତ ଯାହା ନିର୍ବାଚନ ଫଳାଫଳ ପରେ ଟିଏମସି, ଏସପି, ବିଏସପି ସମସ୍ତେ କଂଗ୍ରେସ ସହ ଯେ ରହିବେ ତାହା ପୂର୍ବରୁ ସ୍ପଷ୍ଟ । ମୋଦିଙ୍କୁ ଅଟକାଇବାକୁ ଆପ୍ ମଧ୍ୟ କଂଗ୍ରେସ ସହ ପୋଷ୍ଟ ପୁଲ ଆଲିଆନସ୍ କରିଛି। ତେଣୁ କର୍ଣାଟକରେ ଜେଡିଏସ୍ ସହ ଆଗୁଆ ମେଣ୍ଟକରି କଂଗ୍ରେସ  ଯେଭଳି ବିଜେପିକୁ ଅଟକାଇଦେଲା, ଦିଲ୍ଲୀ ଦରବାର ପାଇଁ ଏବେ ଠିକ୍ ସେଇ ଫର୍ମୁଲା ଆପଣଉଛି ଦଳ । ବିଜେପିର ଯୁକ୍ତି କଂଗ୍ରେସ ଓ ବିଜେଡି ଯଦି ଏକାଠି ହୁଅନ୍ତି ତେବେ   ଓଡିଶାରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ ।   କାରଣ କଂଗ୍ରେସ ସହ ଭିତିରି ବୁଝାମଣା କରି   ବିଜେଡି ଏଠି ବାରମ୍ବାର କ୍ଷମତାକୁ ଆସୁଛି । ଦୁଇଦଳ ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି କହିଛି ବିଜେପି ।    ଶେଷ ପର୍ଯ୍ୟାୟ ନିର୍ବାଚନ ପରେ ଓ ଫଳ ବାହାରିବା ପୂର୍ବରୁ ଅର୍ଥାତ ମେ ୧୯ରୁ ୨୩ ଭିତରେ ଏନଡିଏ ବିପକ୍ଷ ଦଳ ମାନେ ଦିଲ୍ଲୀରେ ଏକାଠି ହେବାକୁ ସଜବାଜ ହେଉଛନ୍ତି । କଂଗ୍ରେସ ଲିଡ୍ ଉପା ଭାବୁଛି ଯେହେତୁ କାହାକୁ ଏଥର ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ତେଣୁ ଏହି ମୌକାରେ ଆଞ୍ଚଳିକ ଦଳଙ୍କ ସହ ମୁଲଚାଲ କରି ଦିଲ୍ଲୀ  କ୍ଷମତାକୁ ହାତକୁ ନେବାର ସୁଯୋଗ ଅଛି । ସେପଟେ ବିଜେପି କନଫିଡେଣ୍ଟ ଅଛି ଯେ ଫିର୍ ଇସବାର ମୋଦି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.