ଚାଷୀ ଆଣିଲେ ଅଭିଯୋଗ: ଧାର୍ଯ୍ୟ ମୂଲ୍ୟଠାରୁ ଦୁଇଗୁଣ ଚଢ଼ା ଦରରେ ବିକ୍ରି ହେଉଛି ସାର

Published By : Prameya-News7 Bureau | September 01, 2020 IST

 ବୌଦ୍ଧ୧/୯:  ବୌଦ୍ଧ ଜିଲ୍ଲାରେ ସାର କଳାବଜାରୀ ଜୋରରେ ଚାଲିଥିବା ଅଭିଯୋଗ ହୋଇଛି। ଧାର୍ଯ୍ୟ ମୂଲ୍ୟ ଠାରୁ ଦୁଇ ଗୁଣା ଚଢା ଦରରେ ସାର ବିକ୍ରି କରି ସିଧାସଳଖ ଚାଷୀଙ୍କ ରକ୍ତ ଶୋଷୁଛନ୍ତି। ପ୍ୟାକ୍ସ ସଂପାଦକ ଓ ଡିଲର୍ସଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ହୋଇଛି। ଗୋଟିଏ ପଟେ ମହାମରୀ କରୋନା, ଅନ୍ୟ ପଟେ ବନ୍ୟା ଓ ତା ଉପରେ ଧାର୍ଯ୍ୟ ଠାରୁ ଦୁଇଗୁଣା ଚଢା ଦରରେ ସାର ବିକ୍ରି, ଏ ସବୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏଭଳି ସ୍ଥିତିରେ ଚାଷୀ କରିବ କଣ। ଦିନ ଦିପହରେ ଚାଷୀଙ୍କୁ ଲୁଟ୍ ଚାଲିଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଚାଷୀ ।

ଚଳିତ ବର୍ଷ ମୌସୁମୀର ଆଗମନ ଦେଖି ବେଶ୍ ଖୁସି ହୋଇଥିଲା ବୌଦ୍ଧ ଜିଲ୍ଲାର ଚାଷୀ । ମହାମାରୀ କରୋନାର ମାଡରେ ଆମଦାନୀର ବାଟ ବନ୍ଦ ହୋଇଥିଲା । ଯାହାର ବେଶି ପ୍ରଭାବ ପଡିଥିଲା ଚାଷୀକୂଳ ଉପରେ । ପରବର୍ତ୍ତୀ ଅବସ୍ଥାରେ ସରକାର ଚାଷ ଉପରୁ ନିୟମ କୋହଳ କରି ଦେଲେ । ସଂଚିତ ଅର୍ଥ ଲକଡାଉନ ଓ ସଟଡାଉନ ସମୟରେ ହିଁ ସରିଥିଲା । ତଥାପି ପ୍ରତିକୂଳ ସ୍ଥିତିକୁ ଅନୁକୂଳ କରିବାର ସାହାସ ନେଇ ଚାଷ ପାଇଁ ଅଂଟା ଭିଡିଥିଲା।

ବିଭିନ୍ନ ସୋସାଇଟି ତଥା ବ୍ୟାଙ୍କ ଓ ସାହୁକାରଙ୍କ ଠାରୁ ଧାର କରଜ କରି ଟଙ୍କା ଆଣି ବିହନ ବୁଣିଥିଲା ଚାଷୀ । ହେଲେ ଲଘୁଚାପ ଜନିତ ବର୍ଷା ଓ ବନ୍ୟା ଧୋଇ ଦେଲା ଚାଷୀଙ୍କ ସବୁ ସ୍ୱପ୍ନକୁ । ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଗଲା । ତଳି ନଷ୍ଟ ହେଲା । ଏତେ ସବୁ ପ୍ରାକୃତିକ ଦୂର୍ବିପାକ ସହିବା ପରେ ଯାହା ରହିଛି ତାକୁ ବଂଚେଇବାକୁ ଚେଷ୍ଟା କଲା ବେଳକୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ ଦୁଇଗୁଣା ଚଢା ଦରରେ ସାର ବିକ୍ରି କରୁଛନ୍ତି ପ୍ୟାକ୍ସ ସଂପାଦକ ଓ ଲୋକାଲ ଡିଲର୍ସ । ଫଳରେ ଚାଷୀ ମହଳରେ ଅସନ୍ତୋଷ ଦେଖାଦେଇଛି । ଏଥିପ୍ରତି ପ୍ରଶାସନର ତୁରନ୍ତ ଦୃଷ୍ଟି ଦେଇ ଚାଷୀଙ୍କୁ ସହାୟତା କରିବା ପାଇଁ ଦାବୀ ହୋଇଛି ।                                                                                                                   

ସରକାର ୟୁରିଆ ସାରର ମୂଲ୍ୟ ୫୦ କେଜି ପ୍ୟାକେଟ୍ ପ୍ରତି ୨୬୬ ଟଙ୍କା ୫୦ ପଇସା ଧାର୍ଯ୍ୟ କରିଛନ୍ତି । ହେଲେ ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ଦର ୫ଶହ୫୦ଟଙ୍କାରୁ ଉପରକୁ ହିଁ ରହିଛି । ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ବିହନ ଯୋଗାଇବା ପାଇଁ ସେବା ସମବାୟ ସମିତି ଅର୍ଥାତ ପ୍ୟାକ୍ସ ରହିଛି ହେଲେ ଏଠାରେ ମଧ୍ୟ ଚାଷୀଙ୍କୁ ଲୁଟିବାରେ କୌଣସି କମି ରଖୁନାହାନ୍ତି କର୍ମଚାରୀମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.