ନିଜ ଘରପାଇଁ ପୋଟଳ ଆଣିଦେବାରେ ବିଳମ୍ବ କରିବାରୁ ଛାତ୍ରଙ୍କୁ ରାସ୍ତାରେ ପିଟିଲେ ସାର୍ !
20/11/2018 at 4:38 PM

ସୁନ୍ଦରଗଡ ୨୦|୧୧: ଛାତ୍ର/ଛାତ୍ରୀ ମାନଙ୍କୁ ପାଠ ପଢା ପ୍ରତି ଆକୃଷ୍ଠ କରିବା ପାଇଁ ମାଗଣାରେ ପାଠ୍ୟ ପୁସ୍ତକ, ଡ୍ରେସ, ମଧ୍ୟାହ୍ନ ଭୋଜନ ଯୋଗାଇ ଆଦି ଯୋଗାଇ ଦେଉଛନ୍ତି ସରକାର।ଏହା ସହ ବିଦ୍ୟାଳୟ ପରିସରକୁ ଦଂଡମୁକ୍ତ ଅଂଚଳ ଭାବେ ମଧ୍ୟ ଘୋଷଣା କରିଛନ୍ତି । ମାତ୍ର ଜଣେ ଶିକ୍ଷକ ଦୁଇ ଛାତ୍ରଙ୍କୁ ରାସ୍ତା ଉପରେ ମାଡ ମାରିଥିବା ନେଇ ହୋଇଛି ଅଭିଯୋଗ।
ବିଦ୍ୟାଳୟ ପରିସରକୁ ଦଂଡମୁକ୍ତ ଅଂଚଳ ଭାବେ ଘୋଷଣା କରାଯିବା ସହ ପିଲାଙ୍କୁ ମିଳୁଛି ଅନେକ ସୁବିଧା। ମାତ୍ର ଶିକ୍ଷକଙ୍କ ବ୍ୟକ୍ତିଗତ କାମରେ ସାମାନ୍ୟ ବିଳମ୍ବ ହେବାରୁ ରାସ୍ତା ମଝିରେ ଦୁଇ ଜଣ ପିଲାଙ୍କୁ ଜନୈକ ଶିକ୍ଷକ ମାଡ ମାରିବା ଭଳି ଅଭିଯୋଗ ହୋଇଛି। ଜିଲ୍ଲାର ଲେଫ୍ରିପଡା ବ୍ଲକ ଡୁମାବାହାଲ ପଂଚାୟତ ଅନ୍ତର୍ଗତ ଡୁମାବାହାଲ ଗ୍ରାମର ବାସୁଦେବ ନୋଡାଲ ଉଚ୍ଚ ବିଦ୍ୟାଳୟର ୨ଜଣ ଛାତ୍ର ବିଦ୍ୟାଳୟ ପାଖରେ ରହିଥିବା ଏକ ଦୋକାନକୁ ନିଜର ଜାତିଗତ ପ୍ରମାଣ ପତ୍ର ବାହାର କରିବା ପାଇଁ ଆସିଥିବା ବେଳେ ଡୁମାବାହାଲ କ୍ଲଷ୍ଟରର ସିଆରସିସି ୨ଛାତ୍ରଙ୍କୁ ନିଜ ଘର ପାଇଁ ପୋଟଳ ଆଣିବା ଲାଗି କହିଥିଲେ। ମାତ୍ର ପୋଟଳ ଆଣିବାରେ ସାମାନ୍ୟ ବିଳମ୍ବ ହେବାରୁ ରାସ୍ତା ଉପରେ ଦୁଇ ଛାତ୍ରଙ୍କୁ ସଂପୃକ୍ତ ସିଆରସିସି ମାଡ ମାରିଥିବା ମାଡ ଖାଇଥିବା ଛାତ୍ର କହିବା ସହ ଜଣେ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ କହିଛନ୍ତି।
ଅଭିଯୋଗ ପାଇବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ଆମେ ସିଆରସିସି ପ୍ରସନ୍ନ ସାହୁଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲୁ । ମାତ୍ର ସେ ଏହି ଘଟଣାକୁ ଅସ୍ବୀକାର କରିବା ସହ ଜଣେ ଛାତ୍ରର ବାପା ମୋ ପାଖରେ ମଜୁରୀ କାମ କରେ ଏଣୁ ତାକୁ ପୋଟଳ ଆଣିବାକୁ କହିଥିଲି ମାତ୍ର କାହାରିକୁ ମାଡ ମାରିନାହିଁ ବୋଲି କହିଥିଲେ। ପଶ୍ଚିମ ଓଡିଶାରେ ହାଇକୋର୍ଟବଂଚ ସ୍ଥାପନ ଦାବୀ ନେଇ ଆଇନଜିବୀ ମାନେ ଆନ୍ଦୋଳନ କରିବା ସହ ସମସ୍ତ ସରକାରୀ କାର୍ଯ୍ୟ।ଳୟକୁ ବନ୍ଦ କରିଦେଇଥିବାରୁ ଶିକ୍ଷା ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଯେଉଠି ଛାତ୍ର/ଛାତ୍ରୀଙ୍କୁ କୌଣସି ପ୍ରକାରର ଦଂଡ ଦିଆଯାଇପାରିବନାହିଁ ବୋଲି ସରକାର ନିୟମ କରିଛନ୍ତି ସେଠି ଜଣେ ଶିକ୍ଷକ ରାସ୍ତା ଉପରେ ଛାତ୍ରଙ୍କୁ ମାଡ ମାରିଥିବା ଭଳି ହୋଇଥିବା ଅଭିଯୋଗର ତଦନ୍ତ ହୋଇ ଉଚିତ କାର୍ଯ୍ୟ।ନୁଷ୍ଠାନ ପାଇଁ ଦାବି ହୋଇଛି ।