ମାତିଛନ୍ତି ଖଣି ମାଫିଆ, ବିଭିନ୍ନ ଅଞ୍ଚଳରେ କରି ଚାଲିଛନ୍ତି କାୟା ବିସ୍ତାର: ବିରୋଧ କଲେ ମିିଳୁଛି ଧମକ

Published By : Prameya-News7 Bureau | November 03, 2020 IST

ଝାରସୁଗୁଡା୩/୧୧: ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଅଂଚଳରେ ଲଘୁ ଖଣିଜ ସମ୍ପଦର ବ୍ୟାପକ ଚୋରି ହେଉଥିବା ଅଭିଯୋଗ କରିଛି ବିଜେପି ।  ଗ୍ରାମାଞ୍ଚଳ ନିକଟରେ ଥିବା ଜଙ୍ଗଲିଆ ଅଂଚଳ ହେଉ କି ସହରାଞ୍ଚଳ ହେଉ ସବୁ ଅଞ୍ଚଳରେ ଏହି ଖଣି ମାଫିଆ ମାନେ ସକ୍ରିୟ ହୋଇ ରହିଛନ୍ତି । ପ୍ରଶାସନର ନାକତଳେ ଖଣିଜ ସମ୍ପଦ ଖୋଲାଖୋଲି ଲୁଟ ହେଉଛି ।

 ପ୍ରତିବାଦ କରୁଥିବା ଜନସାଧାରଣଙ୍କୁ ଏହି ମାଫିଆ ମାନେ ନାନାପ୍ରକାର ଧମକ ଚମକ ଦେଉଛନ୍ତି । ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବାରୁ ଏହି ଲୁଟରେ ପ୍ରଶାସନିକ ଅଧିକାରୀମାନେ ସାମିଲ ଥିବା ଅଭିଯୋଗ ହୋଇଆସୁଛି ।  ବିଡମ୍ବନା ଯେ, ଝାରସୁଗୁଡା  ସହରାଞ୍ଚଳରେ ବିସ୍ତୃତ ଅଞ୍ଚଳରେ ବେଆଇନ ମୋରମ ଖନନ ଚାଲିଛି । ସମସ୍ତ ଅଧିକାରୀ ଅ ସମ୍ବନ୍ଧରେ ଅବଗତ ଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି । ଆହୁରି ଗୁରୁତର ଘଟଣା ହେଲା ଯେ, ଝାରସୁଗୁଡା ସହର ନିକଟବର୍ତ୍ତି ଏକ ବିସ୍ତ୍ରୁତ ଅଞ୍ଚଳରେ ମାଫିଆ ମାନେ ଏହି ଖନନ କାର୍ଯ୍ୟ କରୁଛନ୍ତି ।

ଦଲକି ଗାଁ  ଖାତା ନମ୍ବର ୪୪୪ରେ ଥିବା  ଜମିର ବ୍ୟାପକ ଅଞ୍ଚଳରେ ବଡ ବଡ ମେସିନ ଲଗାଇ ଏହି ମୋରମ ଓ ମାଟି ଖନନ ଚାଲିଛି ।  ଶହଶହ ହାଇବା ଲଗାଇ ମୋରମ ବୁହା ଚାଲିଛି ।  ମାତ୍ର ଏ ସମ୍ବନ୍ଧରେ କୌଣସି ସରକାରୀ ଅଧିକାରୀ ମୁହଁ ଖୋଲିବାକୁ ଅନିଚ୍ଛୁକ । ଦୀର୍ଘଦିନ  ହେଲା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଖନନ ଚାଲିଛି , ମାତ୍ର ଏହାକୁ ବନ୍ଦ କରିବା ଅବା ଏହି ଲଘୁ  ଖଣିଜ ସମ୍ପଦ ଲୁଟକୁ ରୋକିବା ପାଇଁ   କୌଣସି  ପଦକ୍ଷେପ ଗ୍ରହଣ କରାଯାଇନାହିଁ ।  ଜିଲ୍ଲାର ବିଭିନ୍ନ ଅଂଚଳରେ ବେଆଇନ ମୋରମ ଖନନ ଓ ଆଶ ପକାଇବା ଚାଲିଥିବା ବେଳେ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.