କଲେଜ ଅଧ୍ୟାପକଙ୍କ ନାଁରେ ଅଭିଯୋଗ, ‘ଟ୍ୟୁସନ୍ ପଢିଲେ ପରୀକ୍ଷାରେ ଭଲ ମାର୍କ ଦେବୁ ନଚେତ୍ କମ୍ ମାର୍କ’ : ତଦନ୍ତ ନିର୍ଦ୍ଦେଶ

Published By : Prameya-News7 Bureau | July 23, 2019 IST

ବ୍ରହ୍ମପୁର ୨୩|୭: କଲେଜ ଅଧ୍ୟାପକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ। ଟ୍ୟୁସନ୍ ପଢିଲେ ପରୀକ୍ଷାରେ ଭଲ ମାର୍କ ଦେବୁ ନଚେତ୍ କମ୍ ମାର୍କ। ଦିଗପହଣ୍ଡି ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ କୁଆଡ଼େ ପିଲାଙ୍କୁ ଏମିତି ଧମକ ଦେଇଥିବା ଅଭିଯୋଗ ହୋଇଛି। ତେବେ ବାଚସ୍ପତିଙ୍କ ଅଭିଯୋଗ ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

{"id":136533}

ଗଞ୍ଜାମ ଦିଗପହଣ୍ଡି ମହିଳା ମହାବିଦ୍ୟାଳୟରେ ଚାଞ୍ଚଲ୍ୟ । କଲେଜର ଜଣେ ଅଧ୍ୟାପକ କୁଆଡ଼େ ଟ୍ୟୁସନ୍ ପଢାଇବା ସହ ପିଲାଙ୍କୁ ଧମକ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ନିର୍ଦ୍ଦେଶ ଦେବା ପରେ ଘଟଣାର ତଦନ୍ତ ପାଇଁ  ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି । ସେପଟେ କଲେଜର ଛାତ୍ରୀମାନେ ଘଟଣାକୁ ଅସ୍ବୀକାର କରିବା ସହ ସେମାନେ କିଛି ଜାଣିନଥିବା କହିଛନ୍ତି ।

{"id":136534}

ସେପଟେ ଏଭଳି ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ଉଭୟ ସମ୍ପୃକ୍ତ ଶିକ୍ଷକ ଓ  ମହାବିଦ୍ୟାଳୟର ଅଧ୍ୟକ୍ଷା। କୌଣସି ଛାତ୍ରୀ  ଅଭିଯୋଗ କରିନାହାନ୍ତି। ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି କଲେଜ ଅଧ୍ୟକ୍ଷା କହିଛନ୍ତି । ସେପଟେ ଗ୍ରାଣ୍ଟ-ଇନ୍-ଏଡ୍- ମିଳିନଥିବା ବେଳେ ଟ୍ୟୁସନ ପଢାଉଥିବା ବେଳେ ଏବେ ଟ୍ୟୁସନର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ସଂପୃକ୍ତ ଅଧ୍ୟାପକ । ତେବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଆସିଥିବାରୁ ଦିନେ ଦୁଇ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦାଖଲ କରିବି ବୋଲି କହିଛନ୍ତି ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶକ ।

{"id":136535}

ଅଭିଯୋଗ, ତଦନ୍ତ ଏବଂ ଅଭିଯୋଗ ଖଣ୍ଡନ ମଧ୍ୟରେ ଛାତ୍ରୀ, ଅଧ୍ୟାପକ, ବିଧାୟକଙ୍କ ସତ୍ୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ତଦନ୍ତ ରିପୋର୍ଟ କଣ ଆସୁଛି ତାକୁ ହିଁ ଏବେ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.