ଯୋଗୀ ସରକାରଙ୍କୁ ଝଟକା, ହାଇକୋର୍ଟଙ୍କ ଆଦେଶ- ଆରୋପିଙ୍କ ଫଟୋ ଥିବା ପୋଷ୍ଟର ତୁରନ୍ତ ହଟାନ୍ତୁ

Published By : Prameya-News7 Bureau | March 09, 2020 IST

ପ୍ରୟାଗରାଜ ୦୯।୦୩- ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସିଏଏ ବିରୋଧୀ ପ୍ରଦର୍ଶନ ସମୟରେ ଭୀଷଣ ହିଂସାକାଣ୍ଡ ଘଟିଥିଲା। ଏହା ପରେ ରାଜ୍ୟ ସରକାର ହିଂସା ଉସୁକାଇଥିବା କିଛି ଆରୋପିଙ୍କ ଫଟୋ ଥିବା ପୋଷ୍ଟର ସହରରେ  ଲଗାଇଥିଲେ। ଏବେ ଆହ୍ଲାବାଦ ହାଇକୋର୍ଟ ଏହି ପୋଷ୍ଟରକୁ ହଟାଇବାକୁ ଆଦେଶ ଦେଇଛି। ଏହା ପୂର୍ବରୁ ଲକ୍ଷ୍ନୌରେ ପୋଷ୍ଟର ଲଗାଯିବା ପରେ ହାଇକୋର୍ଟ ନିଜ ଆଡୁ ଏହି ମାମଲା ପଚାରି ବୁଝିଥିଲେ।

ମାମଲା ନେଇ ରବିବାର ଦିନ ଆହ୍ଲାବାଦ ହାଇକୋର୍ଟ ଶୁଣାଣି ଆରମ୍ଭ କରିଥିଲେ। ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଗୋବିନ୍ଦ ମାଥୁର ଓ ରମେଶ ସିହ୍ନାଙ୍କ ପୀଠ ସଡକ କଡରେ ଲାଗିଥିବା ସିଏଏ ବିରୋଧି ପ୍ରଦର୍ଶନରେ ଲକ୍ଷ୍ନୌରେ ସାର୍ବଜନୀନ  ସଂପତ୍ତି ନଷ୍ଟ କରିଥିବା ଆରୋପୀଙ୍କ ପୋଷ୍ଟରକୁ ହଟାଇବାକୁ ଆଦେଶ ଦେଇଛନ୍ତି। ଏହା ସହିତ ମାର୍ଚ୍ଚ ୧୬ରେ କୋର୍ଟର ଆଦେଶ ପାଳନ  ହୋଇଛି ନା ନାହିଁ ତାର ଆଫିଡେଭିଟ୍ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

{"id":235535,"width":754,"height":419,"sizeSlug":"large"}

ହାଇକୋର୍ଟ କଡା ଟିପ୍ପଣୀ କରି କହିଛନ୍ତି ଯେ, ଦଙ୍ଗାରେ ହୋଇଥିବା କ୍ଷତିର ଭରଣା ଲାଗି ଏହି ପରି ସର୍ବସାଧାରଣରେ ଆରୋପିଙ୍କ ପୋଷ୍ଟର ଲଗାଇବା ବେଆଇନ ଅଟେ। ହାଇକୋର୍ଟଙ୍କ କହିବା କଥା ଏହା ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ କରୁଛି। ମୁଖ୍ୟ ବିଚାରପତି କୋର୍ଟରେ ଶୁଣାଣି ସମୟରେ ଆଡଭୋକେଟ୍ ଜେନେରାଲ ରାଘବେନ୍ଦ୍ର ସିଂହ କହିଥିଲେ ଯେ, ସରକାରଙ୍କ ଏହି ନିର୍ଣ୍ଣୟରେ ଭବିଷ୍ୟତରେ ଏହି ଧରଣର ଘଟଣା ଉପରେ ରୋକ୍ ଲାଗିବ। ତେଣୁ ଏମିତି ମାମଲାରେ କୋର୍ଟକୁ ହସ୍ତକ୍ଷେପ କରିବା ଉଚିତ୍ ନୁହଁ।

ଲକ୍ଷ୍ନୌ ପ୍ରଶାସନର ଦଲିଲ୍

{"id":235538,"width":755,"height":566,"sizeSlug":"large"}

ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ଓ ପୋଲିସ ପୋଷ୍ଟର ଲଗାଯିବା ପକ୍ଷରେ ନିଜର ଦଲିଲ୍ ଦେଇଛନ୍ତି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ହିଂସା ଘଟାଇଥିବା ସମସ୍ତ ଆରୋପିଙ୍କ ପୋଷ୍ଟର ଓ ବ୍ୟାନର ସହରରେ ଲଗାଯାଇଛି। ସମସ୍ତ ଆରୋପିଙ୍କ ସଂପତ୍ତି ଜବତ କରାଯିବ। ଛକମାନଙ୍କରେ ଏହି ପୋଷ୍ଟର ଲଗାଯିବାର ଉଦ୍ଦେଶ୍ୟ ହିଂସା, ଭଙ୍ଗାରୁଜା ଓ ସରକାରୀ ସଂପତ୍ତିକୁ ନଷ୍ଟ କରୁଥିବା ଲୋକଙ୍କ ଚେହେରା ସାମ୍ନାକୁ ଆସୁ।

ଏହି ଦଲିଲ ଉପରେ ହାଇକୋର୍ଟ କହିଛନ୍ତି ଯେ, ସଡକରେ କୌଣସି ବି ନାଗରିକଙ୍କ ପୋଷ୍ଟର ଲଗାଇବା ନାଗରିକଙ୍କ ସମ୍ମାନ, ବ୍ୟକ୍ତିଗତ ଓ ସ୍ଵାଧୀନତା ବିରୋଧୀ ଅଟେ। ସାର୍ବଜନୀନ ସ୍ଥାନରେ ସମ୍ବନ୍ଧିତ ବ୍ୟକ୍ତିଙ୍କ ବିନା ଅନୁମତିରେ ପୋଷ୍ଟର ଲଗାଯିବା ବେଆଇନ ଅଟେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.