'ସେକ୍ସ' ମଧ୍ୟ ଜୀବନର ଏକ ଅଧିକାର: ଲିଭ୍-ଇନ୍‌ରେ ରହୁଥିବା ଯୁବତୀଙ୍କୁ ସୁରକ୍ଷା ଦେବାକୁ ପୋଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | November 04, 2020 IST

ଆହ୍ଲାବାଦ ୦୪/୧୧ : ଆହ୍ଲାବାଦ ହାଇକୋର୍ଟ ଦୁଇ ମହିଳାଙ୍କ ପାଇଁ ଲିଭ-ଇନ-ରିଲେସନକୁ ନେଇ ସମାଜରେ ହେଉଥିବା ବିରୋଧ ଉପରେ ଗୁରୁତ୍ୱପୂର୍ଣ ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ସମାଜର ନୈତିକତା କୋର୍ଟଙ୍କ ରାୟକୁ ପ୍ରଭାବିତ କରିପାରିବ ନାହିଁ। ସାମ୍ବିଧାନିକ ନୈତିକତା ଓ ଲୋକଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ କରିବା କୋର୍ଟଙ୍କ ଦାୟିତ୍ତ୍ୱ। କୋର୍ଟ ପୋଲିସ ଶାମଲି ଅଧିକ୍ଷକଙ୍କୁ ଆବେଦନକାରୀଙ୍କୁ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କହିଛନ୍ତି ଯେ ସେମାନଙ୍କୁ ହଇରାଣ ନ କରାଯାଉ।

ନ୍ୟାୟମୂର୍ତ୍ତି ଶଶିକାନ୍ତ ଗୁପ୍ତା ଓ ପଙ୍କଜ ଭାଟିଆଙ୍କ ଖଣ୍ଡପୀଠ ସୁଲତାନ ମିର୍ଜା ଓ କିରନ ରାଣୀଙ୍କ ଆବେଦନ ଶୁଣାଣିରେ ଏହି ଆଦେଶ ଦେଇଛନ୍ତି। ଆବେଦନକାରୀ କହିଛନ୍ତି ଯେ, ସେମାନେ ବୟସ୍କ ଏବଂ ଚାକିରୀ କରୁଛନ୍ତି। ବହୁ ଦିନ ହେଲା ସେମାନେ ଲିଭ-ଇନରେ ରହୁଛନ୍ତି। କିନ୍ତୁ ପରିବାରଲୋକ ଓ ସମାଜ ଏହାକୁ ବିରୋଧ କରୁଛି। ସେମାନଙ୍କୁ ହଇରାଣ ହରକତ କରାଯାଉଛି। ଅଭିଯୋଗ ସତ୍ତ୍ୱେ ପୋଲିସ ଠାରୁ କୌଣସି ସୁରକ୍ଷା ମିଳିନାହିଁ। ସେ ଯୁକ୍ତି ବାଢ଼ିଛନ୍ତି ଯେ ବିଶ୍ୱର ଅନେକ ଦେଶ ସମେତ ସୁପ୍ରିମକୋର୍ଟ ନବତେଜ ସିଂହ ଜୋହର ମାମଲାରେ ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ଦେଇଛନ୍ତି। ଲିଭ-ଇନ୍ ସମ୍ପର୍କକୁ ମଧ୍ୟ ବୈଧ ବୋଲି କହିଛନ୍ତି।

ନ୍ୟାୟମୂର୍ତ୍ତି ଶଶିକାନ୍ତ ଗୁପ୍ତା ଓ ପଙ୍କଜ ଭାଟିଆଙ୍କ ଖଣ୍ଡପୀଠ ସେକ୍ସକୁ ଜୀବନର ଅଧିକାରର ଅଂଶୀଦାର ଦର୍ଶାଇ କହିଛନ୍ତି ଯେ ସେମାନଙ୍କୁ ନିଜ ଜୀବନ ବଞ୍ଚିବାକୁ ଅଧିକାର ଅଛି। ଧାରା ୨୧ ଅନ୍ତର୍ଗତ ଯୌନ ଆଭିମୁଖ୍ୟ (sexual orientation )ର ଅଧିକାର ଅନ୍ତର୍ଭୁକ୍ତ। ଅଦାଲତ ନିଜ ଆଦେଶରେ କହିଛନ୍ତି ଯେ ସାମ୍ବିଧାନିକ ଅଧିକାର ରକ୍ଷା କରିବା କୋର୍ଟଙ୍କ ଦାୟିତ୍ୱ। ଏହାସହ କୋର୍ଟ ଶାମଲି ପୋଲିସକୁ ଉଭୟ ଆବେଦନକାରୀଙ୍କୁ ପୁରା ସୁରକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.