ଅଜାନ କରିବାକୁ ଅନୁମତି ଦେଲେ କୋର୍ଟ, କିନ୍ତୁ ଲାଉଡ୍ ସ୍ପିକରକୁ ନୁହେଁ

Published By : Prameya-News7 Bureau | May 16, 2020 IST

ଆହ୍ଲାବାଦ ୧୬।୦୫: ଆହ୍ଲାବାଦ  ଉଚ୍ଚ ନ୍ୟାୟାଳୟ କୋଭିଡ୍-୧୯ ମହାମାରୀ କାରଣରୁ ଦେଶବ୍ୟାପୀ ଲାଗୁ ଲକ୍‌ଡାଉନ୍‌ ସମୟରେ ଉତ୍ତର ପ୍ରଦେଶର ତିନୋଟି ଜିଲ୍ଲା ଘାଜିପୁର, ହତରାସ ଓ ଫରୁଖାବାଦରେ ମସଜିଦରେ ଅଜାନ କରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଏହି ସମୟରେ ଲାଉଡ୍‌ସ୍ପିକର ବଜାଇବା ଉପରେ  ରୋକ୍ ଲଗାଇଛନ୍ତି। କିଛି ଦିନ ପୂର୍ବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଲକ୍‌ଡାଉନ୍‌ ଗାଇଡ୍‌ ଲାଇନ୍‌ ଅନୁଯାୟୀ ଜିଲ୍ଲା ମାଜିଷ୍ଟ୍ରେଟ୍ ଅଜାନ ଉପରେ ରୋକ୍ ଲଗାଇଥିଲେ।

ଏହି ଆଦେଶର ୧୦ ଦିନ ପରେ ଜଷ୍ଟିସ ଶଶିକାନ୍ତ କାନ୍ତ ଗୁପ୍ତା ଓ ଅଜିତ୍ କୁମାରଙ୍କ ପୀଠ ମୁସଲିମ ସମୁଦାୟକୁ ଆଶ୍ଵସ୍ତି ଦେଇ କହିଛନ୍ତି, ଅଜାନ ଇଲସାମର ଏକ ଆବଶ୍ୟକ ଏବଂ ଅଭିନ୍ନ ଅଙ୍ଗ ହୋଇପାରେ, କିନ୍ତୁ ଲାଉଡସ୍ପିକର କିମ୍ବା ଅନ୍ୟ କୌଣସି ଧ୍ଵନି ବିସ୍ତାରକ ଯନ୍ତ୍ର ଜରିଆରେ ଅଜାନ ଦେବାକୁ ଧର୍ମର ଅଭିନ୍ନ ଅଙ୍ଗ କୁହାଯାଇ ପାରିବ ନାହିଁ।

ପୀଠ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ ଓ ଗାଜିପୁରର ଲୋକସଭା ଆସନର ସାଂସଦ ଅଫଝଲ ଅଂସାରୀଙ୍କ ସହିତ ଅନ୍ୟ ଲୋକଙ୍କ ଅପିଲ୍ ଉପରେ ଶୁଣାଣି କରି  ଏହି ଟିପ୍ପଣୀ ଦେଇଛନ୍ତି। ପୀଠ କହିଛନ୍ତି, ମସଜିଦ୍‌ର ମୀନାରେ ବିନା ଲାଉଡ୍‌ ସ୍ପିକର ଲଗାଇ ଆପଣ ଅଜାନ କରି ପାରିବେ। ତେଣୁ ପ୍ରଶାସନକୁ କୋଭିଡ୍-୧୯ ମହାମାରୀ ରୋକିବାର ଗାଇଡ୍‌ ଲାଇନ୍‌ ବାହାନାରେ ଏଥିରେ କୌଣସି ପ୍ରକାରର ଅବରୋଧ ଉତ୍ପନ ନକରିବାକୁ ନିର୍ଦ୍ଦେଶ ଦିଆଯାଉଛି। ପ୍ରଶାସନ ସେ ପର୍ଯ୍ୟନ୍ତ ଅଜାନରେ ବାଧା ଦେଇ ପାରିବ ନାହିଁ ଯେ ପର୍ଯ୍ୟନ୍ତ ଗାଇଡ୍‌ ଲାଇନ୍‌ର ଉଲ୍ଲଂଘନ ନହୋଇଛି।

{"id":270930,"sizeSlug":"large"}

ଏହି ବ୍ୟବସ୍ଥା ସହିତ କୋର୍ଟ ଗାଜିପୁରର ସାଂସଦ ଅଫଜଲ ଅଂସାରୀଙ୍କ ଦ୍ଵାରା ଦାଖଲ ଜନସ୍ଵାର୍ଥ ମାମଲାର  ମଧ୍ୟ ଶୁଣାଣି କରିଛନ୍ତି। ଅଂସାରୀ ଅଦାଲତରେ ଗୁହାରି କରିଥିଲେ ଯେ, ଗାଜିପୁର ଲୋକଙ୍କ ଧର୍ମର ମୌଳିକ ଅଧିକାରର ସୁରକ୍ଷା ଦିଆଯାଉ। ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ଯେ, ଗାଜିପୁରର ମସଜିଦରେ ଜଣେ ମୁଅଜ୍ଜିନଙ୍କୁ  ଅଜାନ ଦେବାର ଅନୁମତି ଦିଆଯାଉ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ୍ ମଧ୍ୟ ଫରୁକାବାଦ ଓ ଅନ୍ୟ ଜିଲ୍ଲାର ମୁସଲିମଙ୍କ ଅନାଜ ଦେବା ସମ୍ବନ୍ଧରେ ଅଦାଲତର ଦ୍ଵାରସ୍ଥ  ହୋଇଥିଲେ। ଖୁର୍ସିଦ ଆବେଦନରେ ଦର୍ଶାଇଥିଲେ ଯେ, ଅଜାନ ମୁସଲିମଙ୍କ ଅବିଚ୍ଛେଦ୍ୟ ଅଙ୍ଗ। କୋର୍ଟ କହିଛନ୍ତି ଯଦି କେହି ଲାଉଡ୍‌ସ୍ପିକର ଜରିଆରେ ଅଜାନ କରିବାକୁ ଆବେଦନ କରିବେ ତେବେ ଧ୍ଵନି ପ୍ରଦୂଷଣ ନିୟମାବଳୀ ସହିତ ଆଇନ ଅନୁସାରେ ଏହାର ବିଚାର କରାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.