ପାଟକୁରାରେ ବିଜେପି ଓଡିଶା ପ୍ରଭାରୀ ପହଞ୍ଚିବା ପରେ କର୍ମୀ ମହଲରେ ଉତ୍ସାହ, କାଲି ଡେରାବିଶରେ ପହଞ୍ଚିବ କଂଗ୍ରେସର ପାଟକୁରା ଏକ୍ସପ୍ରେସ
12/07/2019 at 5:14 PM

କେନ୍ଦ୍ରାପଡା ୧୨|୭: ପାଟକୁରା ନିର୍ବାଚନକୁ ନେଇ ଏବେ ସବୁ ଦଳ ସିରିୟସ୍। ପୂର୍ବରୁ ଶାସକ ବିଜେଡି ଦିନରାତି ଏକ୍ କରି ପ୍ରଚାର ଚଳାଇଥିବା ବଳେ ଗତ ୧୧ ତାରିଖରୁ ଆକ୍ସନ ମୋଡରେ ବିଜେପି। ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂହ କେନ୍ଦ୍ରାପଡାରେ ପହଞ୍ଚିବା ପରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଖୁବ୍ ଉତ୍ସାହ ବଢିଛି । ସେପଟେ ପାଟକୁରା ଅଭିମୁଖେ ବାହାରି ସାରିଲାଣି କଂଗ୍ରେସ୍ ଏକ୍ସପ୍ସେସ୍ ।

ଟାର୍ଗଟ୍ରେ ପାଟକୁରା ଭୋଟର। ପାଟକୁରା ମଇଦାନରେ ୩ ଦଳର ପ୍ରମୁଖ ନେତାଙ୍କ ଭିଡ। ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂହ କାଲିଠାରୁ ନିର୍ବାଚମମଣ୍ଡଳୀରେ ଡେରା ପକାଇଛନ୍ତି । ସେ ପହଞ୍ଚିବା ପରେ ପ୍ରାର୍ଥୀ, କର୍ମୀ ଓ ନେତା ଅଧିକ ଉତ୍ସାହିତ ହୋଇପଡିଛନ୍ତି । ଏଥିସହ ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଡେରାବିଶରେ ଡେରା ପକାଇଛନ୍ତି । ବୈଜୟନ୍ତ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପାଇଁ ପ୍ରଚାରକୁ ଜୋରଦର କରିଛନ୍ତି । ସେହିପରି ବିଜେପି ପ୍ରଚାର ତାଲିକାରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ, ଦାମୋଦର ରାଉତ ପ୍ରମୁଖ ବିଜୟଙ୍କ ପାଇଁ ପ୍ରଚାର କରିବେ ।

ସେପଟେ ବିଳମ୍ବରେ ହେଉ ପଛେ ପାଟକୁରା ପାଇଁ ଅଣ୍ଟା ଭିଡିଛି ‘ ଟିମ୍ କଂଗ୍ରେସ୍’। କଂଗ୍ରେସ୍ ପାଟକୁରା ପାଇଁ ତାର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର୍ ତାଲିକା ଘୋଷଣା କରିଛି। ଭୁବନେଶ୍ବରେ ପ୍ରସ୍ତୁତ ହୋଇ ରହିଥିବା କଂଗ୍ରେସର ‘ପାଟକୁରା ଏକ୍ସପ୍ରେସ୍’ ଆସନ୍ତା କାଲି ପୂର୍ବାହନ ୧୦ଟାରେ ଡେରାବିଶ ବ୍ଲକରେ ପହଞ୍ଚିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପାଟକୁରାରେ ପ୍ରଚାର ଭାର ସମ୍ଭାଳିବେ। ପଛକୁ ପଛ ଆହୁରି ଅନେକ ଟାଣୁଆ କଂଗ୍ରେସ୍ ନେତା ପାଟକୁରାରେ ପହଞ୍ଚିବେ । ଅନ୍ୟପଟେ ବିଜେଡି ପୂର୍ବପରି ପଞ୍ଚାୟତ ଓ ୱାର୍ଡ ସ୍ତରରେ ତାର କର୍ମୀ ସମ୍ମିଳନୀ ଓ ପ୍ରଚାର କାର୍ଯ୍ୟ ଜାରି ରଖିଛି।

୩ଦଳର ହେଭିଓବେଟ ମାନେ ପାଟକୁରାରେ ପହଁଚିବା ପରେ ଲଢେଇ ବେଶ୍ ଚିତାକର୍ଷକ ହେବ ବୋଲି ରାଜେନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି । ତେବେ ଭୋଟର କାହାକୁ ଗ୍ରହଣ କରୁଛନ୍ତି ତାହା ଫାଳଫଳ ପରେ ହିଁ ଜଣା ପଡିବ ।