ଦିଲ୍ଲୀ ସରକାରଙ୍କୁ ମିଳିଲା ବଡ ଆଶ୍ୱସ୍ତୀ: କରୋନା ସଂକ୍ରମିତ ଡେଲିଭରୀ ବୟଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କ ରିପୋର୍ଟ ନେଗେଟିଭ୍
20/04/2020 at 1:02 PM

ନୂଆଦିଲ୍ଲୀ, ୨୦|୦୪: ଦକ୍ଷିଣ ଦିଲ୍ଲୀରେ କରୋନା ସଂକ୍ରମିତ ହୋଇଥିବା ପିଜା ଡେଲିଭରୀ ବୟଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଯେଉଁ ୧୬ଜଣଙ୍କ ଉପରେ କରୋନାର ବିପଦ ଅଧିକ ଥିଲା ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏନେଇ ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟ୍ ସୂଚନା ଦେଇଛନ୍ତି ।
ଡେଲିଭରୀ ବୟଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଦକ୍ଷିଣ ଦିଲ୍ଲୀ ଜିଲ୍ଲାର ଡିଏମ୍ ବି.ଏନ୍. ମିଶ୍ରା ପୂର୍ବରୁ କହିଥିଲେ ଯେ ୭୨ ଲୋକ ଡେଲିଭରି ବୟ ସଂସ୍ପର୍ଶରେ ଆସିଥିଲେ । ସମସ୍ତ ୭୨ ପରିବାର ଲୋକଙ୍କୁ ହୋମ୍ କ୍ବାରେଣ୍ଟାଇନ୍ ରେ ରଖାଯାଇଛି । ଯଦି ଏହି ଲୋକଙ୍କଠାରେ କରୋନା ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କର ଯାଞ୍ଚ କରାଯିବ । ତେବେ ଏହା ମଧ୍ୟର ୧୬ଜଣଙ୍କ ରକ୍ତ ଓ ସ୍ୱାବ ନମୂନା ଟେଷ୍ଟ ପାଇଁ ପଠାଯାଇଥିଲା ।

ସୂତ୍ରାନୁସାରେ, ଏହି ଡେଲିଭରି ବୟ ଜଣଙ୍କଠାରେ ୨୦ ଦିନ ହେବ କରୋନାର ଲକ୍ଷଣ ଥିଲା । ୨୦ ଦିନ ମଧ୍ୟରେ ସେ ୭୨ ପରିବାରରେ ପିଜା ଡେଲିଭରି ଦେଇଛନ୍ତି । ସମସ୍ତ ୭୨ ପରିବାରକୁ ହୋମ୍ କ୍ବାରେଣ୍ଟାଇନ୍ କରାଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି କହିଥିଲେ କରୋନା ଲକ୍ଷଣ ଥିବା ସତ୍ତ୍ୱେ କମ୍ପାନୀ ଡେଲିଭରି ବୟଙ୍କୁ କାମରେ ଲଗାଇଥିଲା । ଏହା ଅତ୍ୟନ୍ତ ଦାୟିତ୍ୱହୀନତା ବିଷୟ ।ତେବେ ସୋମବାର ଡେଲିଭରୀ ବୟଙ୍କ ସଂସ୍ପର୍ଶରେ ଆସିଥିବା ୧୬ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଯାହା ସରକାରଙ୍କୁ ଏକ ବଡ ଆଶ୍ୱସ୍ତୀ ପ୍ରଦାନ କରିଛି ।
ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୋମବାର ସକାଳେ କହିଛନ୍ତି ଯେ, ଦିଲ୍ଲୀରେ ମୋଟ ୨୦୦୩ ସଂକ୍ରମିତଙ୍କ ରହିଛନ୍ତି । ଏଠାରେ ମୃତକଙ୍କ ସଂଖ୍ୟା ରହିଛି ୪୫ । ଆଜିଠୁ ରାପିଡ୍ ଟେଷ୍ଟ ଆରମ୍ଭ ହେବାର ସମ୍ଭାବନା ରହିଛି ।