ମହିଳା ପ୍ରାର୍ଥୀ ଦେବାରେ ସବୁଠୁ ଆଗରେ ବିଜେଡି, ସବୁଠୁ ପଛରେ କଂଗ୍ରେସ : ଜାଣନ୍ତୁ କେଉଁ ଦଳରେ କେତେ ମାଡାମ୍‌ ପଲିଟିସିଆନ୍

Published By : Prameya-News7 Bureau | March 29, 2019 IST

ଭୁବନେଶ୍ବର ୨୯|୩: ଏଥର ନିର୍ବାଚନରେ ମହିଳାପ୍ରାର୍ଥୀଙ୍କ ଭିଡ । କାରଣ ସବୁ ରାଜନୈତିକ ଦଳ ମହିଳା ମାନଙ୍କୁ ଅଧିକ ଗୁରୁତ୍ବ ଦେଉଥିବା କହୁଛନ୍ତି । ଲୋକସଭାରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବାକୁ ଘୋଷଣା କରିଛି ବିଜେଡି । ସେହି ଅନୁସାରେ ବର୍ତ୍ତମାନ ସୁଦ୍ଧା ଘୋଷଣା କରିଥିବା ୧୮ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ମହିଳାଙ୍କୁ ପ୍ରାର୍ଥୀ ବି କରିଛି ଦଳ । ସେପଟେ ବିଜେପି ବର୍ତ୍ତମାନସୁଦ୍ଧା ଘୋଷଣା କରିଥିବା ୧୭ ଲୋକସଭା ଆସନରୁ ତିନିଟିରେ  ମହିଳା ପ୍ରାର୍ଥୀ ଦେଇଛି । ତେବେ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ଘୋଷଣା କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ମହିଳା ।

୧୯ ନିର୍ବାଚନରେ ଓଡ଼ିଶାରେ ମହିଳା ପ୍ରାର୍ଥୀ । ବର୍ତ୍ତମାନ ସୁଦ୍ଧା ଲୋକସଭା ପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ୧୧ ମହିଳା । ଚଳିତ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବାକୁ ଘୋଷଣା କରିଛି ବିଜୁ ଜନତା ଦଳ। ସେହି ଅନୁସାରେ ବର୍ତ୍ତମାନ ସୁଦ୍ଧା ଘୋଷଣା କରିଥିବା ୧୮ଟି ଲୋକସଭା ଆସନରୁ ୬ଟିରେ ମହିଳା ପ୍ରାର୍ଥୀ ଦେଇଛି ଦଳ ।

{"id":98105}

ତେବେ ବିଜେଡିର ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ଚର୍ଚ୍ଚାର ସର୍ବାଗ୍ରେ ଆସ୍କା ଲୋକସଭାର ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ।ତାଙ୍କୁ ନେଇ କେବଳ ରାଜ୍ୟ ନୁହେଁ ଜାତୀୟ ସ୍ତରରେ ବି ଆଲୋଚନା । କେହି କେହି ଏହାକୁ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍‌ ବି କହୁଛନ୍ତି । କାରଣ ଏକ ଅକ୍ଷାତ ପଲ୍ଲୀର ଖୁବ୍‌ କମ୍‌ ପଢୁଆ ପ୍ରମିଳା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା  । ସବୁଠୁ ବୟସ୍କା ପ୍ରାର୍ଥୀ ପ୍ରମିଳାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଯଦିଓ ଅନେକ ପ୍ରଶ୍ନ ଉଠାଇଛନ୍ତି, ହେଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀରେ ସେ ଯେଉଁ ଦକ୍ଷତା ଦେଖାଇଛନ୍ତି ତାହା ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ହୋଇଛି । ସାଂସଦ ନିର୍ବାଚିତ ହେଲେ ସେ ବେଶ୍ ଦକ୍ଷତାର ସହ କାମ କରିବେ ବୋଲି କହିସାରିଲେଣି ପ୍ରମିଳା ।

{"id":98106}

ସେହିପରି କୋରାପୁଟ ଆସନ ପାଇଁ ପୂର୍ବତନ ସାଂସଦ ଝିନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ବିଜେଡି ପ୍ରାର୍ଥୀ କରିଛି ।ସ୍ବାମୀଙ୍କ ସ୍ଥାନରେ ସେ ତାଙ୍କ ଦକ୍ଷତା ପ୍ରମାଣିତ କରିବା ନେଇ ଆଶାବାଦୀ । ସେପଟେ ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ସୁନୀତା ବିଶ୍ବାଳ । ସେ  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ । ନିର୍ବାଚନୀ ମଇଦାନକୁ ଲମ୍ଫ ଦେଇଥିବା ସୁନୀତା ମଧ୍ୟ ନେଇ ଆଶାବାଦୀ ।

{"id":98107}

ପରବର୍ତ୍ତୀ ପର୍ଯ୍ୟାୟରେ ଘୋଷଣା ହୋଇଥିବା ୯ଟି ଲୋକସଭା ମଧ୍ୟରୁ ପୁଣି ୩ଟି ଆସନରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିଛି । ଜଗତସିଂହପୁର ଲୋକସଭା ଆସନ ପାଇଁ ଡକ୍ଟର ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଯାଜପୁରରୁ ସସ୍ମିତା ସେଠୀ ଓ ଭଦ୍ରକରୁ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରାଯାଇଛି ।ମଞ୍ଜୁଲତା ମଣ୍ଡଳ ହେଉଛନ୍ତି ବିଜେଡିର ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ । ସେ ରାଜନୀତିରେ ଆଗରୁ ନଥିଲେ ।

{"id":98108,"width":576,"height":652}

ସେପଟେ ବିଜେପି ବର୍ତ୍ତମାନ ସୁଦ୍ଧା ଘୋଷଣା କରିଥିବା ୧୭ ଲୋକସଭା ଆସନରୁ ୩ଟି ସ୍ଥାନରେ ଦେଇଛି ମହିଳା ପ୍ରାର୍ଥୀ । ବଲାଙ୍ଗୀରରେ ଦଳ ରାଜପରିବାରରୁ କ୍ରମାଗତ ଲଢ଼ିଆସୁଥିବା ସଙ୍ଗୀତା ସିଂହଦେଓଙ୍କୁ ପ୍ରାର୍ଥୀ କରିଛି । ସେହିପରି ଆସ୍କା ଲୋକସଭା ଆସନରେ ବିଜେପି ଟିକେଟ୍ ଦେଇଛି ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀଙ୍କୁ । ତେବେ ରାଜଧାନୀ ଭୁବନେଶ୍ବର ଆସନରୁ ବିଜେପି ପ୍ରାର୍ଥୀ ତଥା ବ୍ୟୁରୋକ୍ରାଟ ଟର୍ଣ୍ଣଡ୍ ପଲିଟିସିଆନ ଅପରାଜିତା ଷଡ଼ଙ୍ଗୀ ରହିଛନ୍ତି ଚର୍ଚ୍ଚାରେ ।

{"id":98109,"width":576,"height":464}

ଏପଟେ ବିଧାନସଭା ପାଇଁ ବର୍ତ୍ତମାନ ସୁଦ୍ଧା ତିନି ପ୍ରମୁଖ ରାଜନୈତୀକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ମଧ୍ୟ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । ବିଜେଡି ଘୋଷଣା କରିଥିବା ତାଲିକାରେ ୧୪ ଜଣ ମହିଳାଙ୍କୁ ସ୍ଥାନ ଦେଇଛି । ଅତାବିରା ଆସନରେ ମନ୍ତ୍ରୀ ସ୍ନେହାଙ୍ଗିନୀ  ଛୁରିଆ ଓ  ଚିକିଟିରେ ମନ୍ତ୍ରୀ ଉଷା ଦେବୀ, ବିଞ୍ଝାରପୁରରେ ପ୍ରମିଳା ମଲ୍ଲିକଙ୍କ ସହ ବର୍ତ୍ତମାନ ବିଧାୟିକା ଥିବା ନନ୍ଦିନୀ ଦେବୀଙ୍କୁ ସାନଖେମୁଣ୍ଡି, ରାଶେଶ୍ବରୀ ପାଣିଗ୍ରାହୀଙ୍କୁ ସମ୍ବଲପୁର ଏବଂ ଟୁକୁନୀ ସାହୁଙ୍କୁ ପୁଣିଥରେ ଟିଟିଲାଗଡ଼ ଆସନ ପାଇଁ ପ୍ରାର୍ଥୀ କରିଛି ବିଜେଡି ।

{"id":98113}

ଏହାସହ ନୂଆ ମୁହଁ ଭାବେ କବିସୂର୍ଯ୍ୟନଗର ଆସନ ପାଇଁ ଲତିକା ପ୍ରଧାନ, ଖଲିକୋଟ୍ ପାଇଁ କେ.କେ. ସୂର୍ଯ୍ୟମଣି ବୈଦ୍ୟ, ଆସ୍କା ବିଧାନସଭା ଆସନ ପାଇଁ ମଞ୍ଜୁଳା ସ୍ବାଇଁ, ମୋହନା ପାଇଁ ପୂର୍ଣ୍ଣବାସୀ ନାୟକ, ପାରଳାଖେମୁଣ୍ଡି ପାଇଁ କଲ୍ୟାଣୀ ଗଜପତି ଏବଂ କୋଟପାଡ଼ ଆସନରେ ପଦ୍ମିନୀ ଦିଆନଙ୍କୁ ବିଜେଡି ପ୍ରାର୍ଥୀ କରିଛି ।କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ହିନ୍ଦୋଳରୁ ସୀମାରାଣୀ ନାୟକଙ୍କୁ ପ୍ରାର୍ଥୀ କରାଯାଇଛି ।

{"id":98104}

ଏପଟେ ବିଜେପି କରିଥିବା ବିଧାୟିକା ପ୍ରାର୍ଥୀ ମାନେ ହେଲେ ବ୍ରଜରାଜନଗର ପାଇଁ ରାଧାରାଣୀ ପଣ୍ଡା, ସୁନ୍ଦରଗଡ଼ ପାଇଁ କୁସୁମ ଟେଟେ, ବିଞ୍ଝାରପୁର ପାଇଁ ବବିତା ମଲ୍ଲିକ, ଖରିଆର ଆସନ ପାଇଁ ରିତାରାଣୀ ବଗର୍ତ୍ତୀ, ଜି. ଉଦୟଗିରି ପାଇଁ ଅର୍ଚ୍ଚନା ପ୍ରଧାନ, ରଣପୁର ପାଇଁ ସୁରମା ପାଢ଼ୀ, ନୟାଗଡ଼ ପାଇଁ ଇରାନୀ ରାୟ, ଖଲିକୋଟ ପାଇଁ ଭାରତୀ ବେହେରା, ଦିଗପହଣ୍ଡି ପାଇଁ ପିଙ୍କି ପ୍ରଧାନ  ।

{"id":98110,"width":566,"height":679}

ସେହିପରି କଂଗ୍ରେସ ମଧ୍ୟ ଅନେକ ଆସନରେ ମହିଳା ପ୍ରାର୍ଥୀଙ୍କ ଉପରେ ଭରସା କରିଛି । ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ କରିଛି ଅମିତା ବିଶ୍ବାଳଙ୍କୁ । ସେହିପରି ନୀଳଗିରି ଆସନ ପାଇଁ ମନୋଜମଞ୍ଜରୀ ଦେବୀ, କୋରେଇ ପାଇଁ ବନ୍ଦିତା ପରିଡ଼ା, ଛେଣ୍ଡିପଦା ପାଇଁ ସସ୍ମିତା ବେହେରା, ଉମରକୋଟ ପାଇଁ ଯଶୋଦାରାଣୀ ଗୌଡ଼, ଏକାମ୍ର ଭୁବନେଶ୍ବର ପାଇଁ ରଶ୍ମିରେଖା ମହାପାତ୍ର, ରଣପୁର ପାଇଁ ଶୁଭଶ୍ରୀ ପଣ୍ଡା ଏବଂ ଚିତ୍ରକୋଣ୍ଡା ପାଇଁ ଲକ୍ଷ୍ମୀପ୍ରିୟା ନାୟକ, ନିଆଳିରୁ ମମତା ଭୋଇ ଓ ପର୍ଜଙ୍ଗରୁ ଯଶସ୍ବିନୀ ରାଉତଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ।

{"id":98111}

ମହିଳାଙ୍କୁ ପ୍ରାର୍ଥୀ କରି ବିରୋଧୀଙ୍କୁ ଚେକ୍ ଦେବା ଲକ୍ଷ୍ୟରେ ବିଭିନ୍ନ ପାର୍ଟି । ତେବେ ଭୋଟର ଏମାନଙ୍କ ମଧ୍ୟରୁ କେଉଁମାନଙ୍କ ଉପରେ ଭରସା କରୁଛନ୍ତି ତାହା ମେ ୨୩ ରେ ହିଁ ସ୍ପଷ୍ଟ ହେବ । କିନ୍ତୁ ଯାହା ବି ହେଉ ମହିଳାଙ୍କୁ  ରାଜନୀତିରେ ପ୍ରାଧାନ୍ୟ ନିଶ୍ଚିତ ଭାବେ  ସ୍ବାଗତଯୋଗ୍ୟ ଏବଂ ଗଣତନ୍ତ୍ର  ଓ ଦେଶ ତଥା ଜାତି ପାଇଁ ଶୁଭଙ୍କର । ଏଥିରେ ଦ୍ବିମତ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.