ଚୀନ ସହ ଉତ୍ତେଜନା ମଧ୍ୟରେ ସନ୍ଧ୍ୟା ୫ଟାରେ ସର୍ବଦଳୀୟ ବୈଠକ, କଂଗ୍ରେସ ଉଠାଇବ ଏଲଏସି ପ୍ରସଙ୍ଗ

Published By : Prameya-News7 Bureau | September 16, 2020 IST

ନୂଆଦିଲ୍ଲୀ ନ୧୬।୦୯: ଲଦାଖରେ ଚୀନ ସହିତ ଜାରି ଉତ୍ତେଜନା ମଧ୍ୟରେ ମୋଦୀ ସରକାର ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏହି ବୈଠକ ବୁଧବାର ସନ୍ଧ୍ୟା ୫ଟାରେ ବସିବ। ଏଥିରେ ଅନେକ ରାଜନୈତିକ ଦଳର ନେତା ଯୋଗ ଦେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ଵାରା ସଂସଦରେ ଚୀନ ପ୍ରସଙ୍ଗରେ ଦେଇଥିବା ବୟାନ ପରେ ଏହି ବୈଠକ ହେବାକୁ ଯାଉଛି।

ସର୍ବଦଳୀୟ ବୈଠକରେ ସରକାରଙ୍କ ପକ୍ଷରୁ ସଂସଦର ଅଧିବେଶନରେ ଆଗାମୀ ଦିନର ଯୋଜନା ବିଷୟରେ ଆଲୋଚନା ହେବ। ଏହା ସହିତ ବିରୋଧୀଙ୍କ ଦ୍ଵାରା ଉଠାଯାଇଥିବା ଆପତ୍ତି ଉପରେ ମଧ୍ୟ ବିଚାର ବିମର୍ଶ ହେବ। ଏହି ବୈଠକରେ କଂଗ୍ରେସ ପାର୍ଟି ତରଫରୁ ଏଲଏସି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରାଯାଇପାରେ।

ସୂଚନାଯୋଗ୍ୟ, ସଂସଦର ଅଧିବେଶନରେ ଏଲଏସି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ବିବୃତ୍ତି ରଖାଯାଇଥିଲେ ମଧ୍ୟ ବିରୋଧୀ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବାକୁ ଦାବି କରିଛନ୍ତି। ଏବେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ଏହି  ବୈଠକ ଡକାଯାଇଥିବା କୁହାଯାଉଛି।

ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇଥିବା ମୌସୁମି ଅଧିବେଶନରେ ପ୍ରଶ୍ନକାଳକୁ ରଦ୍ଦ କରାଯାଇଛି। କଂଗ୍ରେସ, ତୃଣମୂଳ କଂଗ୍ରେସ ସମେତ ଅନେକ ବିରୋଧୀ ପାର୍ଟି ସରକାରଙ୍କୁ ଘେରିବା ସହିତ ଚୀନ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପଛଘୁଞ୍ଚା ଦେଉଥିବା ଆରୋପ ଲଗାଇଛନ୍ତି।

ଲୋକସଭାରେ ରାଜନାଥ ସିଂହ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଲଦାଖରେ ସ୍ଥିତି ଗମ୍ଭୀର ରହିଛି  ଏବଂ ଏଲଏସିର ସଂପ୍ରତି ସ୍ଥିତାବସ୍ଥାକୁ ଚୀନ ବଦଳାଇବାକୁ ଚେଷ୍ଟା କରୁଛି। ରାଜନାଥ ଏପ୍ରିଲ ମାସରୁ ଏ ପର୍ଯ୍ୟନ୍ତ ସମସ୍ତ ସୂଚନା ଦେଇ କହିଛନ୍ତି ଆମେ ଏହି ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚାହୁଁଛୁ ମାତ୍ର ପରିସ୍ଥିତି ବଦଳେ ତେବେ ଭାରତୀୟ ସେନା ଏଥିପାଇଁ ପ୍ରସ୍ତୁତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.