୧୧ ଲକ୍ଷ ଯବାନଙ୍କୁ ବିପଦରେ ପକାଇବେ ନାହିଁ ସରକାର, ମେ’ ୩ ଯାଏଁ ଘରେ ରହିବା ପାଇଁ ନିର୍ଦ୍ଦେଶ
15/04/2020 at 9:10 PM

ନୂଆଦିଲ୍ଲୀ, ୧୫|୦୪: କେନ୍ଦ୍ରୀୟ ଅର୍ଧସୈନିକ ବଳର ଯେଉଁ ଅଧିକାରୀମାନେ ଲକଡାଉନ ୧.୦ ପୂର୍ବରୁ ଛୁଟିରେ ଯାଇଥିଲେ, ଏବେ ଲକଡାଉନ୍ ୨.୦ରେ ମଧ୍ୟ ଘରେ ରହିବେ । ସେମାନଙ୍କୁ କାର୍ଯ୍ୟରେ ଯୋଗଦେବାର ଆବଶ୍ୟକତା ନାହିଁ । ଦେଶର ସବୁଠାରୁ ବଡ କେନ୍ଦ୍ରୀୟ ବଳ ସିଆରପିଏଫର ଡିଜି ଏପି. ମହେଶ୍ୱରୀ ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଯବାନଙ୍କୁ ବିପଦରେ ପକାଯାଇ ପାରିବ ନାହିଁ । ସେମାନେ ଯେଉଁଠି ଅଛନ୍ତି ଆଗାମି ନିର୍ଦ୍ଦେଶ ଯାଏଁ ସେଠାରେ ରୁହନ୍ତୁ । ତେବେ କିଛି ଯବାନଙ୍କୁ ଆଣିବା ପାଇଁ ରେଳ ବିଭାଗ ସହ ଆଲୋଚନା ହୋଇଥିଲା । କିନ୍ତୁ କରୋନା ସଂକ୍ରମଣ ଭୟ ରହିଥିଲା । ସିଆଇଏସଏଫ ଓ ଅନ୍ୟ ଅର୍ଧସାମରିକ ବଳ ପକ୍ଷରୁ ମଧ୍ୟ ସମାନ ଆଦେଶ ଜାରି କରାଯାଇଛି । ତେବେ ବିଏସଏଫ ସ୍ୱତନ୍ତ୍ର ବସ ଯୋଗେ ନିଜ ଯବାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଆଣିବା ପାଇଁ ଲକ୍ଷ୍ୟ ରଖିଛି ।

ଅର୍ଧସାମରିକ ବଳ ପ୍ରାୟ ୧ ଲକ୍ଷ ୭୦ ହଜାରରୁ ଅଧିକ ଯବାନ ଓ ଅଧିକାରୀ ଲକଡାଉନ ପୂର୍ବରୁ ଛୁଟିରେ ଯାଇଥିଲେ । ଏବେ ମେ ୩ ଯାଏଁ ସେମାନଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏସଏସବି, ଆଇଟିବିପି, ସିଆଇଏସଏଫ ମଧ୍ୟ କରୋନା ପାଇଁ ଯବାନଙ୍କ ଛୁଟିକୁ ବଢାଇ ଦେଇଛି ।ଏବେ କରୋନା ସଂକ୍ରମଣ ଶେଷ ହୋଇ ନାହିଁ। ଛୁଟିରେ ଯାଇଥିବା ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି, ସେମାନଙ୍କ ଅଞ୍ଚଳରେ କେତେ ଆକ୍ରାନ୍ତ ରହିଛନ୍ତି ଏସବୁ ଉପରେ ନଜର ରଖାଯାଇଛି । ସେମାନଙ୍କୁ ଛୁଟିରୁ ଆଣିବା ଅର୍ଥ ସମସ୍ତଙ୍କୁ ବିପଦରେ ପକାଇବା ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।