ଫେରିବ କି ୧୯୯୬ ପରିସ୍ଥିତି ! ମୋଦିଙ୍କୁ ଚେକ୍ ଦେବାକୁ ଏକାଠି ହେଉଛନ୍ତି ବିଜେପିର ପ୍ରମୁଖ ବିରୋଧୀ, ବିରୋଧୀଙ୍କୁ ଏକାଠି କରିବାରେ ଅଣ୍ଟା ଭିଡ଼ିଛନ୍ତି ଚନ୍ଦ୍ରବାବୁ ନାଇଡୁ

Published By : Prameya-News7 Bureau | December 25, 2018 IST

ଏନ୍‌ଡିଏ ସରକାରଙ୍କ ବିରୋଧରେ ମହାମେଳି ।୨୦୧୯ ସାଧାରଣ ନିର୍ବାଚନରେ ମୋଦିଙ୍କୁ ଚେକ୍‌ ଦେବାକୁ ଏକାଠି ହେଉଛନ୍ତି ବିଜେପିର ପ୍ରମୁଖ ବିରୋଧୀ । ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବା ପାଇଁ କଂଗ୍ରେସ ଓ ମମତା ବାନର୍ଜୀ ପ୍ରୟାସ କରି ସାରିଛନ୍ତି । ତେବେ ଏଥର ବିରୋଧୀଙ୍କୁ ଏକାଠି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଏକଦା ଏନ୍‌ଡିଏର ସହଯୋଗୀ ଥିବା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ । ଜାତୀୟ ଦଳ କଂଗ୍ରେସକୁ ଭେଟିବା ସହିତ ଆଞ୍ଚଳିକ ଦଳମାନଙ୍କୁ ଗୋଟିଏ ସୂତାରେ ବାନ୍ଧି ମୋଦିଙ୍କୁ ହଟାଇବା ପାଇଁ ପ୍ରୟାସ କରୁଛନ୍ତି…

{"id":67010}

କଣ ହେବ ୨୦୧୯ ସାଧାରଣ ନିର୍ବାଚନରେ ଏନ୍‌ଡିଏର ସ୍ଥିତି। ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନମିଳିବା ପରେ  ମୋଦିଙ୍କ ବିରୋଧରେ ସମରସଜ୍ଜା କରୁଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ । ଦିନେ ଏନ୍‌ଡିଏର ସହଯୋଗୀ ଥିଲେ ଚନ୍ଦ୍ରବାବୁ । ଆଉ ଏବେ ବିରୋଧୀଙ୍କୁ ଏକାଠି କରି କରୁଛନ୍ତି ମହାମେଳି । ଗଲା କିଛି ଦିନ ଭିତରେ ଚନ୍ଦ୍ରବାବୁ ଜଣଙ୍କ ପରେ ଜଣେ  ଦଳପତିଙ୍କୁ ଭେଟିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଶରଦ ପାୱାର, ଫାରୁକ ଅବ୍‌ଦୁଲ୍ଲା, ମାୟାବତୀ, ମମତା ବାନର୍ଜୀ, ଅରବିନ୍ଦ କେଜ୍ରିୱାଲ, ଅଖିଲେଶ ଯାଦବ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା ଓ ଡିଏମକେ ମୁଖ୍ୟ ଏମ୍‌କେ ଷ୍ଟାଲିନ। କେନ୍ଦ୍ର ଶାସନରୁ ବିଜେପିକୁ ହଟାଇବା ଲକ୍ଷ୍ୟରେ ସମଭାବାପର୍ଣ୍ଣ ଓ ଧର୍ମ ନିରପେକ୍ଷ ଦଳ ଗୁଡ଼ିକୁ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି। ବିଜେପିକୁ ଗାଦିଚ୍ୟୁତ୍‌ କରିବା ଲକ୍ଷ୍ୟରେ ବିରୋଧୀଙ୍କୁ ଭେଟି ଚନ୍ଦ୍ରବାବୁ କରୁଛନ୍ତି ସମରସଜ୍ଜା।

{"id":67011}

ଚଳିତ ବର୍ଷ ସୁପ୍ରିମକୋର୍ଟ ବିଚାରପତିଙ୍କ ସାମ୍ବାଦିକ ସମ୍ମିଳନୀ, ସିବିଆଇ ବିବାଦ, ରାଫେଲ ଡିଲ୍‌  ଆଦି ସମସ୍ୟାକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଆକ୍ରମଣ ପରେ ଆକ୍ରମଣ କରି ଚାଲିଛନ୍ତି। ଜାମ୍ମୁକାଶ୍ମୀର, ଆନ୍ଧ୍ରପ୍ରଦେଶରେ ମେଣ୍ଟ ଭାଙ୍ଗି ଯାଇଥିଲେ ମଧ୍ୟ କେନ୍ଦ୍ରରେ ବିଜେପି ଶାସନ ଚାଲିଛି। ଚଳିତ ବର୍ଷ କର୍ଣ୍ଣାଟକ, ଗୋଆ,  ତ୍ରିପୁରା ଆଦି ରାଜ୍ୟରେ ହୋଇଥିବା  ନିର୍ବାଚନରେ ବିଜେପିକୁ କାଣ୍ଟେ କା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିଛି। ବିହାରରେ ଲାଲୁ-ନୀତିଶ ମେଣ୍ଟ ଭାଙ୍ଗିବା ସହିତ ନୀତିଶଙ୍କ  ସହାୟତାରେ ବିହାରରେ ଶାସନ ଚଲାଇଛି ବିଜେପି।

{"id":67014}

ଆଗରୁ କଂଗ୍ରେସ ସହ ମିଶି ମହାମେଣ୍ଟର ମଙ୍ଗ ଧରିଥିଲେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନର୍ଜୀ। ବିଭିନ୍ନ ନେତାଙ୍କୁ ଭେଟି ଏକଜୁଟ କରିଥିଲେ ମମତା ଆଉ କଂଗ୍ରେସ ବିରୋଧୀଙ୍କୁ ଏକାଠି କରି ରାତ୍ରୀ ଭୋଜନ ଦେଇଥିଲା। ତେବେ କିଛି ଦିନର ବୟାନ ବାଜି ପରେ ଚୁପ୍‌ ହୋଇଯାଇଥିଲେ ମମତା। ଏବେ କିନ୍ତୁ  ଚନ୍ଦ୍ରବାବୁଙ୍କ ପ୍ରୟାସ ଜୋର ଧରିଥିବା ବେଳେ ଚୁପ୍‌ ବସିଛନ୍ତି ମମତା। କିଛି ଆଭିମୁଖ୍ୟ ସ୍ପଷ୍ଟ କରୁନାହାଁନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ।

{"id":67012}

ସେପଟେ ବିରୋଧୀ ମେଣ୍ଟ କରୁଛନ୍ତି ସତ, କିନ୍ତୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥୀ କିଏ ହେବ କେହି ସ୍ପଷ୍ଟ କରୁନାହାଁନ୍ତି । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ପୂର୍ବରୁ ଗୋଡ଼ଟେକି ବସିଛନ୍ତି। କିନ୍ତୁ ତାଙ୍କ ଆଶା ଆଶାରେ ରହିଗଲା ପରି ମନେ ହେଉଛି । କାରଣ ବରିଷ୍ଟ କଂଗ୍ରେସ ନେତା ପି.ଚିଦାମ୍ବରମ କହିଛନ୍ତି ମହାମେଣ୍ଟରେ ରାହୁଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ନାହିଁ । ଜଣେ ପରେ ଜଣେ ତୁଙ୍ଗ ନେତା ମହାମେଣ୍ଟ ସ୍ବପ୍ନ ଦେଖୁଥିବା ବେଳେ କେଁ ବି କିଛି କମ୍‌ ନାହିଁ। ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀତ ସ୍ପଷ୍ଟ କରିଛନ୍ତି, ମାୟାବତୀ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। ସେହିପରି ଏବେ ଷ୍ଟାଲିନ୍‌ଙ୍କୁ ଭେଟିବା ଅବସରରେ ନେତୃତ୍ବ ନେଇ ସାମ୍ବାଦିକମାନେ ପଚାରି ଥିବା ପ୍ରଶ୍ନକୁ ଚାଲାକି କରି ଏଡାଇ ଯାଇଛନ୍ତି ଚନ୍ଦ୍ରବାବୁ ।

{"id":67013}

ତିନି ତିନି ଥର ଏକାଠି ହୋଇ ସାରିଛନ୍ତି ବିରୋଧୀ । ନିର୍ବାଚନକୁ ହାତ ଗଣତି ଆଉ କେଇ ମାସ ଥିବା ବେଳେ ବିରୋଧୀ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଚକ୍ରବ୍ୟୁହ ରଚନା କରୁଛନ୍ତି । ସବ୍‌ କା ସାଥ ସବ୍‌କା ବିକାଶ ନାରା, ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଦ୍ବାହୀ ଦେଇ ଭୋଟ ଭିକ୍ଷା କରିବ ବିଜେପି । ସେହିପରି ଦୁର୍ନୀତି, ତୈଳ ଦର ବୃଦ୍ଧି ରାଫେଲ ଡିଲ୍‌ କୁ ପ୍ରସଙ୍ଗ କରିବେ ବିରୋଧୀ । କିନ୍ତୁ କିଏ ପିନ୍ଧିବ ୨୦୧୯ରେ ପଗଡ଼ି ତାହା ସ୍ପଷ୍ଟ କରିବେ ଜନତା । ଇତିହାସର ପୁନଃରାବୃତ୍ତି ହେବ ନା ଇତିହାସ ଇତିହାସରେ ରହିଯିବ ତାହା ୨୦୧୯ରେ ଜଣା ପଡ଼ିବ …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.