ସୋଆରେ ପାଂଚ ଦିନିଆ ଅଲ୍ ଇଣ୍ଡିଆ ଲ ସ୍କୁଲ୍ ମିଟ – “ଲିଗାଲ୍ ସ୍ପେକ୍ଟ୍ରା” ଉଦଘାଟିତ

Published By : Prameya-News7 Bureau | February 01, 2019 IST

ଭୁବନେଶ୍ୱର ୧/୨ : ଯେତେବେଳେ ଆମେ ମୋବାଇଲ୍ ଫୋନ୍ ଭଳି କୋ÷ଣସି ଯାନ୍ତ୍ରିକ ଉପକରଣ କିଣିଥାଉ ତାହାକୁ କିଭଳି ବ୍ୟବହାର କରାଯିବ ସେଥି ନିମନ୍ତେ ଏକ ମାନୁଆଲ୍ ମଧ୍ୟ ଯୋଗାଇ ଦିଆଯାଇଥାଏ । ଠିକ୍ ସେହିପରି ସମାଜରେ ଶୃଙ୍ଖଳିତ ଭାବେ ରହିବା ପାଇଁ ପ୍ରତ୍ୟେକ ନାଗରିକ ଆଇନ୍କାନୁନ୍କୁ ଠିକ୍ ଭାବେ ବୁଝିବା ଉଚିତ୍ ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଜେ.ପି.ଦାସ ।

ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ରତ୍ୟେକ ନାଗରିକ ଆଇନ୍କାନୁନ୍ ସମ୍ବନ୍ଧରେ ଜାଣିବା ଉଚିତ୍ ଏବଂ ଏହାକୁ ଜୀବନ ଚର୍ଯ୍ୟାରେ ବ୍ୟବହାର କରିବା ଉଚିତ୍ ବୋଲି ଜଷ୍ଟିସ୍ ଦାସ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ “ଲିଗାଲ୍ ସ୍ପେକ୍ଟ୍ରା” ନାମକ ଚାରିଦିନିଆ ପଂଚମ ଅଲ୍ ଇଣ୍ଡିଆ ଲ ସ୍କୁଲ୍ ମିଟ୍ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଜଷ୍ଟିସ୍ ଦାସ । ସୋଆ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ଲ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୧୯ଟି ଲ ସ୍କୁଲର ୧୧୨ ଜଣ ଛାତ୍ରଛାତ୍ରୀ ଭାଗ ନେଉଛନ୍ତି ।


ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଡି.ପି. ଚୌଧରୀ ଏବଂ ଜଷ୍ଟିସ୍ ଏସ୍.ସି. ପରିଜା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆର କାର୍ଯ୍ୟକାରୀ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ୱ କରିଥିଲେ ।


ଜଷ୍ଟିସ୍ ଦାସ କହିଥିଲେ ଆଇନକୁ ବୁଝିନଥିବା ଲୋକ କେବେ ବି ଭଲ ନାଗରିକ ହୋଇପାରିବ ନାହିଁ । ଟ୍ରାଫିକ ସିଗନାଲରେ ରେଡ୍ ଲାଇଟ୍ ଉଲଂଘନ କରିବା ହୁଏତ ସାଧାରଣ କଥା ହୋଇପାରେ ତେବେ ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ବିଚାରପତି ଭାବେ ନିଜ ଅନୁଭୂତି ବଖାଣି ଜଷ୍ଟିସ୍ ଦାସ କହିଥିଲେ ଜଣେ ବ୍ୟକ୍ତି ଦୁଇଟି ଛେଳି ଚୋରି ଅଭିଯୋଗରେ ଗିରଫ ହେବା ପରେ ଜାମିନ୍ ପାଇ ନଥିଲା । ତାଙ୍କ କୋର୍ଟରେ ଅଭିଯୁକ୍ତଙ୍କ ପକ୍ଷରୁ ଥିବା ଓକିଲଙ୍କ ଯୁକ୍ତି ଥିଲା ଛେଳି ଚୋରାଇବା ଏକ ସାଧାରଣ ଅଭିଯୋଗ । ମାତ୍ର ତାକୁ ଜାମିନ୍ ମିଳି ନଥିଲା । କାରଣ ସେ ଦସ୍ତାବିଜରୁ ଜାଣିବାକୁ ପାଇଥିଲେ ଯେ ସେ ଦୁଇଟି ଛେଳି ଜଣେ ବିଧବା ମହିଳାଙ୍କର ଥିଲା ଏବଂ ସେ ଛେଳି ହିଁ କେବଳ ତାଙ୍କର ଜୀବନଧାରଣର ସାହାରା ଥିଲା ।


ଛାତ୍ରଛାତ୍ରୀମାନଙ୍କୁ ଜଷ୍ଟିସ୍ ପରିଜା କହିଥିଲେ ଯେ ପାଠ୍ୟକ୍ରମ ଶେଷ ହେବା ପରେ ସେମାନେ ବାରରେ ଯୋଗ ଦିଅନ୍ତୁ । ହୁଏତ ସେମାନଙ୍କୁ ବଡ଼ ବଡ଼ କମ୍ପାନୀରେ ଭଲ ଚାକିରି ମିଳିପାରେ । ତେବେ କୋର୍ଟରେ କେସ୍ ଲଢ଼ିବାର ଆତ୍ମସନ୍ତୋଷ କେବେ ସେମାନେ ପାଇପାରିବେ ନାହିଁ । କୋର୍ଟରେ ପକ୍ଷ ରଖିବା ବେଳେ ସେମାନେ ଠିକ ଭାବେ ପ୍ରସ୍ତୁତ ହୋଇ ଯିବା ଉଚିତ୍ ବୋଲି ସେ କହିଥିଲେ ।


ଜଷ୍ଟିସ୍ ଚୌଧରୀ କହିଥିଲେ ଲୋକମାନଙ୍କର ଅଧିକାରକୁ ସୁରକ୍ଷା ଦେବା ଓକିଲମାନଙ୍କର ଦାୟିତ୍ୱ । ସମ୍ବିଧାନକୁ ବେଶ ଭଲ ଭାବେ ବୁଝି ନ୍ୟାୟପାଳିକାକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଏହି ମିଟରେ କଟକ ସ୍ଥିତ ନ୍ୟାସନାଲ ଲ ୟୁନିଭର୍ସିଟି ଓଡ଼ିଶା, ରାଜୀବ ଗାନ୍ଧି ସ୍କୁଲ୍ ଅଫ୍ ଇଂଟେଲେକ୍ଚୁଆଲ୍ ପ୍ରପର୍ଟି ଲ, ଆଇଆଇଟି ଖଡଗପୁର, ସ୍କୁଲ୍ ଅଫ୍ ଏକ୍ସଲେନ୍ସ ଇନ୍ ଲ, ଚେନ୍ନାଇ, ବାଲାଜୀ ଲ କଲେଜ, ପୁନେ, ଏମ୍ଏସ୍ ଲ କଲେଜ, କଟକ, ୟୁନିଭର୍ସିଟି ଲ କଲେଜ, ଭୁବନେଶ୍ୱର, କିଟ୍ ଏବଂ ଆମିଟି ଲ ସ୍କୁଲ୍ କୋଲକାତା ଯୋଗ ଦେଇଛନ୍ତି ।


ଏହି ମିଟରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟରେ ମୁଟ୍ କୋର୍ଟ, ଟ୍ରାଏଲ୍ ଆଡ୍ଭୋକାସି, ଲିଗାଲ୍ ଡ୍ରାଫ୍ଟିଂ, ପାର୍ଲିଆମେଂଟାରୀ ଡିବେଟ୍, କୁଇଜ୍, ସଙ୍ଗୀତ, ନୃତ୍ୟ ଏବଂ ଫଟୋଗ୍ରାଫିର ଅନ୍ତର୍ଭୁକ୍ତ । ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ’ର ଡିନ୍ ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ ଓ ସିନିୟର ପ୍ରଫେସର, ପ୍ରଫେସର ଜୟଦେବ ପତି ବକ୍ତବ୍ୟ ରଖିଥିବା ବେଳେ ଡ. ଇତିଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.