କରୋନା ଆତଙ୍କ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଫିଲ୍ମ ଓ ସିରିଏଲର ସୁଟିଂ ବନ୍ଦ
15/03/2020 at 7:34 PM

ନୂଆଦିଲ୍ଲୀ ୧୫।୦୩୩: କରୋନା ଭୂତାଣୁର ପ୍ରକୋପ ସବୁ କ୍ଷେତ୍ରକୁ ପ୍ରଭାବିତ କରିଛି। କ୍ରୀଡା ଜଗତ ପରେ ଏବେ ଫିଲ୍ମ ଓ ଟିଭି ଜଗତ ମାର୍ଚ୍ଚ ୧୯ ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ସୁଟିଂ ବାତିଲ୍ କରିବାକୁ ରବିବାର ନିଷ୍ପତ୍ତି ନେଇଛି। ଇଣ୍ଡିଆନ ମୋସନ୍ ପିକଚର୍ସଦ ପ୍ରଡ୍ୟୁସର୍ସ ଆସୋସିଏସନ(IMPPA)ଦ୍ଵାରା ଆୟୋଜିତ ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ, ସଂପ୍ରତି ଦେଶ ଓ ଦେଶ ବାହାରେ ଫିଲ୍ମ ଓ ଟିଭି ପାଇଁ ସୁଟିଂ ଚାଲିଛି। ରବିବାର ଏହି ନିଷ୍ପତ୍ତି ନେବା ପରେ ସମସ୍ତ ସୁଟିଂର ପ୍ୟାକ୍ଅପ ଲାଗି ତିନି ଦିନର ସମୟ ଦିଆଯାଇଛି।

ଟିଭି ଓ ଓ୍ଵେବସିରିଜର ଚେୟାରମ୍ୟାନ ଜେଡି ମଜେଠିଆ କହିଛନ୍ତି ଯେ, ଦେଶ ଦୁନିଆ, ସମାଜ, ଫିଲ୍ମ ଇଣ୍ଡଷ୍ଟ୍ରୀ ଓ ଓ୍ଵାର୍କରଙ୍କ ହିତକୁ ଦୃଷ୍ଟିରେ ରଖି ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରୁଥିବା ସମସ୍ତ ସଂସ୍ଥା ମିଶି ଏହି ନିଷ୍ପତ୍ତି ନେଇଛନ୍ତି ଯେ, ମାର୍ଚ୍ଚ ୧୯ ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଫିଲ୍ମ, ଟିଭି, ଓ୍ଵେବ୍ ସିରିଜ୍ ଓ ଅନ୍ୟ ପ୍ରକାରର ସମସ୍ତ ସୁଟିଂ ସମଗ୍ର ଭାରତରେ ବନ୍ଦ ରହିବ। ଏହା ପୂର୍ବରୁ ଫିଲ୍ମ ସୂର୍ଯ୍ୟବଂଶୀ, ତଖତ, ରାଧେ ସହିତ ଅନେକ ବଲିଉଡ ଫିଲ୍ମର ସୁଟିଂ ବାତିଲ କରାଯାଇଛି।

ଉଲ୍ଲେଖଯୋଗ୍ୟ, କରୋନା ନେଇ ସମଗ୍ର ବିଶ୍ଵରେ ଭୟର ମାହୋଲ ରହିଛି। କରୋନାରେ ମୃତକ ସଂଖ୍ୟା ୫୦୦୦ ଟପି ସାରିଥିବା ବେଳେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୧୦୦ ଟପି ସାରିଛି ଏବଂ ଅଦ୍ୟାବଧି ୩ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ଅନେକ ରାଜ୍ୟ ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବା ସହ ସାର୍ବଜନୀନ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଛନ୍ତି।