ଓଡିଶାର ସମସ୍ତ ଯୋଗ୍ୟ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ସହାୟତା ଟଙ୍କା : ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | December 25, 2020 IST

ଜଗତସିଂହପୁର, ୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓଡ଼ିଶା ସମେତ ଭାରତବର୍ଷର ୯ ଲକ୍ଷ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ୧୮ ହଜାର କୋଟି ଟଙ୍କା ପଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଭଳି ସୁଶାସନର ପରିଚୟ ଦେଇଛନ୍ତି । ଓଡ଼ିଶା ସରକାର ପଠାଉଥିବା ସମସ୍ତ ଯୋଗ୍ୟଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବାର୍ଷିକ ୬ ହଜାର ଲେଖାଏଁ ସହାୟତା  ଟଙ୍କା ମିଳିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।     

ଶୁକ୍ରବାର ସୁଶାସନ ଦିବସ ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଓ ଚାଷୀଙ୍କ ଆଲୋଚନାରେ ଜଗତସିଂହପୁର ଏରସମା ଜପାରୁ ସାମିଲ ହୋଇଥିଲେ ଧର୍ମେନ୍ଦ୍ର। ଏହି ଅବସରରେ ସେ କହିଛନ୍ତି ଯେ ଅଟଳଜୀଙ୍କ ସୁଶାସନ ଏବଂ ଦାୟିତ୍ୱ ଅଟଳଜୀଙ୍କ ପ୍ରତିଟି ଶବ୍ଦ ୨୦୧୪ ମସିହାରୁ ମୋଦୀ ସରକାରଙ୍କ ମାର୍ଗଦର୍ଶକ । ଅଟଳଜୀଙ୍କୁ ପାଥେୟ କରି ଆଜି ପ୍ରଧାନମନ୍ତ୍ରୀ ଭାରତବର୍ଷର ୯ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୮ହଜାର କୋଟି ଟଙ୍କା ପଠାଇ ସୁଶାସନର ପରିଚୟ ଦେଇଛନ୍ତି । ଓଡ଼ିଶା ସରକାର ଯେତେ ମଧ୍ୟ ଯୋଗ୍ୟଚାଷୀଙ୍କ ତାଲିକା ପଠାଇବେ,ସେମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ବାର୍ଷିକ ୬ ହଜାର ଲେଖାଏଁ ଟଙ୍କା ବ୍ୟାଙ୍କ୍ ଖାତାକୁ ପଠାଯିବ ବୋଲି ମୋଦୀ ସରକାର ସ୍ପଷ୍ଟ କରିଛନ୍ତି । 

{"id":382745,"sizeSlug":"large","linkDestination":"none"}

ଆଧୁନିକ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସୁଶାସନର ପରିଚୟ ଦେଇ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇବାର ବ୍ୟବସ୍ଥା କରିଥିବା ବେଳେ ଓଡ଼ିଶାରେ ରାଜ୍ୟ ସରକାର ଯୋଗ୍ୟ ଚାଷୀମାନଙ୍କର ତାଲିକା ପଠାଇନପାରିବା ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର କାଳିଆ ଯୋଜନାରେ ଚାଷୀଙ୍କୁ ଟଙ୍କା ପଠାଇବା ପାଇଁ କହିଥିବା ବେଳେ କାଳିଆ ଟଙ୍କା କୁଆଡେ ଗଲା ବୋଲି ସେ  ପ୍ରଶ୍ନ କରିଛନ୍ତି ।

ମୋଦୀ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନାରେ ଜରିଆରେ ମୋଟ ୬୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ନୂଆ କୃଷି ଆଇନରେ ଆମ ଚାଷୀମାନଙ୍କ ପାଇଁ ଚାଷର ସମ୍ଭାବ୍ୟ ବ୍ୟବହାରକୁ ବଢ଼ାଇବା ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପଦକ୍ଷେପ ନିଆଯାଇଛି । 

{"id":382753,"sizeSlug":"large","linkDestination":"none"}

ମାତ୍ର ଦେଶ ଏବଂ ରାଜ୍ୟରେ ଲମ୍ବା ସମୟ ଧରି ଶାସନରେ ଥିବା ସତ୍ୱେ ଚାଷୀଙ୍କ ପ୍ରତି ଅବହେଳା କରିଥିବା ଏବଂ ପ୍ରଜାତନ୍ତ୍ରରେ ପରାସ୍ତ ହୋଇ ବାହାରେ ଥିବା ବ୍ୟକ୍ତିମାନେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି । ଓଡ଼ିଶାକୁ ମୋଦି ସରକାର ବିପୁଳ ଅର୍ଥ ଦେଉଥିବା ବେଳେ ଏହାର ବାଟମାରଣା ହେଉଛି । ଏହାର ସବୁ ଜବାବ ଦେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ।

ଉଲ୍ଲେଖନୀୟ ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର କିସ୍ତି ଚାଷୀଙ୍କୁ ପ୍ରଦାନ କରିବା ଅବସରରେ ଦେଶର ବିଭିନ୍ନ ରାଜ୍ୟର ଚାଷୀଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଜଗତସିଂହପୁର ଏରସମା ବ୍ଲକ ଜପାରେ ଓ ସ୍ଥାନୀୟ ଜନସାଧାରଣ ଓ ଦଳର କାର୍ଯ୍ୟକର୍ତାଙ୍କ ସହ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.