ଫେବୃଆରୀ ୧୨ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନେଲେ ରାଜ୍ୟ ସରକାର
23/11/2020 at 7:18 PM

ସିମଲା ୨୩।୧୧: ଦେଶର ଅନେକ ରାଜ୍ୟରେ କରୋନାର ଦ୍ଵିତୀୟ ଲହଡି ଆରମ୍ଭ ହୋଇ ଯାଇଛି। ଅବସ୍ଥାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଅଧିକ ସଂକ୍ରମଣ ପ୍ରଭାବିତ ସହରରେ କର୍ଫ୍ୟୁ ଲଗାଇଛନ୍ତି। ଲକ୍ଡାଉନ୍ ଲାଗୁ ନେଇ ମଧ୍ୟ ବିଚାର ବିମର୍ଶ ଚଳାଇଛନ୍ତି। ଏହା ମଧ୍ୟରେ ହିମାଚଳ ପ୍ରଦେଶର ଜୟରାମ ଠାକୁର ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ଫେବୃଆରୀ ୧୨ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଅନଲାନ ପାଠପଢା ଜାରି ରହିବ ବୋଲି କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଅଧ୍ୟକ୍ଷତାରେ ସୋମବାର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସମୟରେ କରୋନା ସଂକ୍ରମଣ ଓ ନିୟନ୍ତ୍ରଣ ନେଇ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।
It has also been decided that winter closing Institutions would remain closed from January 1 to February 12, 2021. However, online studies would continue even during the winter time: State govt https://t.co/TBXzZ43NBQ
— ANI (@ANI) November 23, 2020
ଅନ୍ୟପଟେ ରାଜ୍ୟରେ ଜାନୁଆରୀ ୧ରୁ ଶୀତକାଳୀନ ଛୁଟି ଆରମ୍ଭ ହେଉଛି ଯାହା ଫେବୃଆରୀ ୧୨ ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ମଧ୍ୟ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏହି ସମୟରେ ଅନଲାଇନରେ ପାଠପଢା ଜାରି ରହିବ। ତେଣୁ ରାଜ୍ୟରେ ଫେବୃଆରୀ ୧୨ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ କୋଚିଂ ସବୁ ବନ୍ଦ ରହିବ।
ଉଲ୍ଲେଖନୀୟ ଓଡିଶାରେ ମଧ୍ୟ ଡିସେମ୍ଵର ୧୨ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କିନ୍ତୁ ଅନଲାଇନ୍ ଜରିଆରେ ପାଠପଢା ଜାରି ରହିଛି। କରୋନାର ଦ୍ଵିତୀୟ ଲହଡି ଆଶଙ୍କାରେ ରାଜ୍ୟ ସରକାର ଚଳିତ ବର୍ଷ ଶେଷ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ।