ସମ୍ବଲପୁର ଲୋକସଭା: ସବୁ ଦଳର ନେତା ବାହାରର, ଲୋକ ଚିହ୍ନୁ ଚିହ୍ନୁ ସରିଯିବ ଭୋଟ୍

Published By : Prameya-News7 Bureau | April 06, 2019 IST

ସମ୍ବଲପୁର ୬|୪(ନୀଳାଚଳ ମହାପାତ୍ର):ସମ୍ବଲପୁର ଲୋକସଭା ଆସନରେ କାହାର ହେବ ଜିତାପଟ ? ତିନି ପ୍ରମୁଖ ଦଳ ଏଥର ନୂଆ ମୁହଁ ଉପରେ ଭରସା କରିଛନ୍ତି । ବିଜେପି,ବିଜେଡି ଓ କଂଗ୍ରେସ ଏଥର ବାହାରୁ ନେତା ଆମଦାନୀ କରି ଭୋଟରଙ୍କ ସମ୍ମୁଖରେ ରଖିଛନ୍ତି । ହେଲେ ଭୋଟର କାହା ସପକ୍ଷରେ ଯିବେ କହିବା ମୁସ୍କିଲ୍‌ । କାରଣ ପୂର୍ବରୁ ଏହି ନେତାମାନଙ୍କୁ ସେମାନେ କେବେ ଦେଖିନଥିଲେ। ହେଲେ ସବୁ ପ୍ରାର୍ଥୀଙ୍କର ଗୋଟିଏ ମତ -ଭୋଟର ସବୁ ଜାଣିଛନ୍ତି ଆଉ ବିଜୟ ଆମର ହିଁ ହେବ ।

{"id":100869}

ରୋଚକ ସ୍ଥିତିରେ ସମ୍ବଲପୁର ଲୋକସଭା ନିର୍ବାଚନ। ଏଥର ତିନି ଅଚିହ୍ନା ମୁହଁକୁ ତିନି ପ୍ରମୁଖ ରାଜନୈତିକ ଦଳ ମଇଦାନକୁ ଉତ୍ତାରିଛନ୍ତି । ବିଜେଡି ନଳିନୀ ପ୍ରଧାନକୁ ପ୍ରାର୍ଥୀ କରିଥିବା ବେଳେ, ଶରତ ପଟ୍ଟନାୟକ ହୋଇଛନ୍ତି କଂଗ୍ରେସ କ୍ୟାଣ୍ଡିଡେଟ୍ । ଆଉ ବିଜେପି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ନୀତେଶ ଗଙ୍ଗଦେବ । ହେଲେ ଲୋକମାନେ ଏହି ନେତାମାନଙ୍କୁ ସହଜରେ ଗ୍ରହଣ କରିବା ମୁଡ୍‌ ରେ ନାହାଁନ୍ତି। କାରଣ ଏମାନେ କେବେ ହେଲେ, ସମ୍ବଲପୁର ଆସିନାହାଁନ୍ତି କି, ଲୋକମାନଙ୍କ ସୁଖଦୁଃଖରେ ସାମିଲ୍‌ ହୋଇନାହାଁନ୍ତି । ଏମିତି କି ଏହି ନେତାମାନଙ୍କୁ କର୍ମୀମାନେ ମଧ୍ୟ ଜାଣି ନାହାଁନ୍ତି।

{"id":100873}

ତେଣୁ ସମ୍ବଲପୁର ଲୋକସଭା ନିର୍ବାଚନରେ ଏହି ପ୍ରାର୍ଥୀ ମାନେ କେତେଦୂର ଗ୍ରହଣୀୟ ହୋଇପାରିବେ ତାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ୨୦୧୪ ନିର୍ବାଚନରେ ବିଜେଡି ବାଜିମାତ୍ କରିଥିଲା । ସାଂସଦ ନଗେନ୍ଦ୍ର ପ୍ରଧାନ, ବିଜେପିର ସୁରେଶ ପୂଜାରୀଙ୍କୁ ପ୍ରାୟ ୪୦ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । କଂଗ୍ରେସର ଅମର ପ୍ରଧାନ ତୃତୀୟ ସ୍ଥାନରେ ଥିଲେ । ହେଲେ ଏଥର କୌଣସି ପାର୍ଟି ଗତଥର ପ୍ରାର୍ଥୀଙ୍କୁ ରିପିଟ୍ କରିନାହାଁନ୍ତି ।  ନବୀନଙ୍କ ଭାବମୂର୍ତ୍ତି ଏବଂ ବିକାଶର ନାରା ଦେଇ  ନିର୍ବାଚନ ବୈତରଣୀ ପାର୍‌ ହେବା ଲକ୍ଷ୍ୟରେ ରହିଛି ବିଜେଡି ।

{"id":100878}

ସମ୍ବଲପୁରରେ ସଂପୂର୍ଣ୍ଣ ନୂଆଁ ମୁହଁକୁ ଟିକେଟ ଦେଇଛି ବିଜେପି । ପୁର୍ବରୁ ଦେବଗଡ ବିଧାନସଭା ଆସନରୁ, ନିର୍ବାଚିତ ହୋଇଥିବା, ନୀତିଶ ଗଙ୍ଗଦେବଙ୍କ ଉପରେ ଏଥର ଭରସା କରିଛି ଦଳ ।  ସମ୍ବଲପୁରର ଇତିହାସ, ଭୂଗୋଳ କିଛି ଜାଣନ୍ତିନି  ନୀତେଶ ।  କେବଳ ଦଳର ଚିହ୍ନ ଓ ସମ୍ବଲପୁର ବିଧାନସଭା ପ୍ରାର୍ଥୀଙ୍କ ଭରସାରେ ନିର୍ବାଚନ ଜିତିବା ଲକ୍ଷ୍ୟରେ ଅଛନ୍ତି ସେ । ଏପରିକି ନୀତେଶଙ୍କୁ ସମ୍ବଲପୁର ଜିଲ୍ଲା ବିଜେପି କର୍ମୀମାନେ ମଧ୍ୟ ଜାଣିନାହାଁନ୍ତି । ତଥାପି ନିର୍ବାଚନ ଜିତିବା ନେଇ ଆଶାବାଦୀ ସେ ।

{"id":100879}

କଂଗ୍ରେସ ମଧ୍ୟ ବାହାରୁ ପ୍ରାର୍ଥୀ ଆମଦାନୀ କରିଛି । ବଲାଙ୍ଗିର ଲୋକସଭା ନିର୍ବାଚନମଣ୍ଡଳୀରେ ଲଗାତାର ୫ଥର ଶରତ ପଟ୍ଟନାୟକଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ନାମାଙ୍କନ ଶେଷଦିନର ପୂର୍ବ ରାତିରେ, ଟିକେଟ୍‌ ପାଇଲେ ଶରତ । ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ, ମୋଟ ୨୭ଜଣ ପଦାଧିକାରୀ ନିଜ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଯେଉଁଠି ଶରତଙ୍କୁ ସ୍ଥାନୀୟ ନେତା ଏବଂ କର୍ମୀ ପର କରିଦେଲେ ସେଠି ଲୋକେ ତାଙ୍କୁ କେମିତି ଗ୍ରହଣ କରିବେ ? ପଶ୍ଚିମ ଓଡିଶାର ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ଦାବି କରୁଥିବା ଶରତ ପଟ୍ଟନାୟକଙ୍କୁ, ଜିଲ୍ଲା ଓକିଲ ସଂଘ ସମେତ ୨ଶହରୁ ଅଧିକ ସାମାଜିକ ସଂଗଠନ ବିରୋଧ କରି ଆସୁଛନ୍ତି । ତେଣୁ କଂଗ୍ରେସ ସମ୍ବଲପୁର ଲୋକସଭା  ନିର୍ବାଚନ ମଣ୍ଡଳୀରେ ଏଥରେ କିଭଳି ପ୍ରଦର୍ଶନ କରିବ, ତାହା ଏବେଠାରୁ ଜଳଜଳ ଦେଖା ଗଲାଣି।

{"id":100880}

ପୁର୍ବରୁ ପୂର୍ତ୍ତ ସଚିବ ଥିବା ନଳିନୀ ପ୍ରଧାନ ସରକାରୀ କର୍ମଚାରୀ ଥିବା ବେଳେ,  ଗାଁଗଣ୍ଡାର ଠିକାଦାର,ସାହୁକାର,ମହାଜନଙ୍କ ସହ ଭଲ ସଂପର୍କ ରଖିଆସିଛନ୍ତି। ତେଣୁ ସେହି ସଂପର୍କ ଏବେ କାମ ଦେବ। ହେଲେ ଦେବଗଡରୁ ଆସି, ସମ୍ବଲପୁର ହୋଟେଲ୍‌ରେ ରହି ନିର୍ବାଚନ ଲଢୁଥିବା ବିଜେପିର ପ୍ରାର୍ଥୀ ଓ ବଲାଙ୍ଗିରରୁ ଆମଦାନୀ ହୋଇଥିବା ଶରତ ପଟ୍ଟନାୟକଙ୍କୁ ଲୋକ ଚିହ୍ନୁ ଚିହ୍ନୁ ଭୋଟ ସରିଯିବ ।  

{"id":100881}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.