ମଙ୍ଗଳବାର ସୁଦ୍ଧା ପୁରୀରେ କାର୍ଯ୍ୟକ୍ଷମ ହେବ ସବୁ ବ୍ୟାଙ୍କ : ମୁଖ୍ୟ ଶାସନ ସଚିବ

Published By : Prameya-News7 Bureau | May 13, 2019 IST

ପୁରୀ ୧୩।୫ :    ବାତ୍ୟା ଫୋନି ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ପୁରୀରେ ବିଦ୍ୟୁତ, ବ୍ୟାଙ୍କ  ଓ ଟେଲିକମ୍ ସେବା ସଚଳ କରିବାକୁ ଚାଲିଛି ଜୋରଦାର ଉଦ୍ୟମ ।  ଟେଲିକମ୍ ଓ ବ୍ୟାଙ୍କ ସେବାରେ କିଛିଟା ସୁଧାର ଆସିଛି । ମଙ୍ଗଳବାର ସୁଦ୍ଧା ପୁରୀରେ ସବୁ ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଯିବ ।  ଇଣ୍ଟରନେଟ୍ କନେକ୍ସନ ନ ଥିବା ବ୍ୟାଙ୍କଗୁଡ଼ିକରେ ଅଫଲାଇନରେ କାମ ହେବ। କେନ୍ଦ୍ର ସରକାରଙ୍କ ଟେଲିକମ, ପାୱାର ଓ ବ୍ୟାଙ୍କିଙ୍ଗ ମନ୍ତ୍ରାଳୟର ଅଧିକାରୀଙ୍କ ସହ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ।

{"id":111550,"width":581,"height":387}

ପ୍ରଳୟଙ୍କରୀ ବାତ୍ୟା ଫୋନି ଯୋଗୁଁ ଟେଲିକମ ସେକ୍ଟର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ।  ଏହାର ମୁକାବିଲା ପାଇଁ ଟେଲିକମ କମ୍ପାନୀମାନେ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି । ପ୍ରାୟ ସମସ୍ତ ଅଞ୍ଚଳରେ ନେଟୱର୍କ ସକ୍ରିୟ ହୋଇସାରିଛି । ଆଉ ଅଳ୍ପ କିଛି ଅଞ୍ଚଳ ବାକିଥିବା ମୁଖ୍ୟଶାସନ ସଚିବ ଓ କେନ୍ଦ୍ର ଶକ୍ତି ସଚିବ କହିଛନ୍ତି । ବାତ୍ୟା ଫୋନି ଯୋଗୁ ପୁରୀ ଜିଲ୍ଲାରେ ସବୁଠାରୁ ଅଧିକ ଘର ଭାଙ୍ଗିଛି। ସମ୍ପୂର୍ଣ୍ଣ ଘର ଯେଉଁମାନଙ୍କର ଭାଙ୍ଗିଥିବା ସେମାନଙ୍କୁ ପକ୍କା ଘର ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିସହିତ ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାରମ୍ଭିକ ଭାବେ ୫ ଲକ୍ଷ ସ୍ବତନ୍ତ୍ର ଘର ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି।

{"id":111551,"width":583,"height":388}

 ବାତ୍ୟାରେ ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରାଥମିକ ସର୍ଭେରୁ ୫ ଲକ୍ଷ ଘର ଭାଙ୍ଗିଥିବା ଜଣାପଡିଛି । ମୌସୁମୀ ଆସିବା ଆଗରୁ ଆର୍ଥିକ ସହାୟତା ପାଇଁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ନବୀନ।   ଏବେ ପୁରୀକୁ ବିଜୁଳି ସଂଯୋଗ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ହେଲେ କେବେ ପୁରୀ ଆଲୋକିତ ହେବ ସେନେଇ ସଠିକ୍ ତଥ୍ୟ କାହା ପାଖରେ ନାହିଁ।  ୯୩ଟି ବିଦ୍ୟୁତ୍‌ ଟାୱାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲାରେ ପ୍ରାୟ ୬୫ ହଜାର ବିଦ୍ୟୁତ୍‌ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି । ସେଥିମଧ୍ୟରୁ ୬୦ ହଜାର ଖୁଣ୍ଟ ମରାମତି କରିବା ସମ୍ଭବପର ନୁହେଁ ।

{"id":111552}

ପୁରୀକୁ ଆଲୋକିତ କରିବା ଲାଗି ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୫ହଜାର କୁଶଳୀ ଶ୍ରମିକ ଲାଗି ପଡ଼ିଛନ୍ତି । ସଂପୂର୍ଣ୍ଣ ଜିଲ୍ଲାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ସରକାରଙ୍କ ଘୋଷଣା ଅନୁଯାୟୀ ଖାଦ୍ୟା ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ୨ ହାଜର ଟଙ୍କା, ପଲିଥିନ୍ ଓ ୫୦ କେଜି ଚାଉଳ ଯୋଗାଇ ଦିଆଯାଉଛି । ଅନେକ ସ୍ଥାନରେ କିନ୍ତୁ ବିପନ୍ନଙ୍କୁ ପଲିଥିନ୍ ମିଳୁନଥିବା ଅଭିଯୋଗ ହୋଇଛି । ସେପଟେ ଫୋନିରେ ପୁରୀରେ ପର୍ଯ୍ୟଟନ ଶିଳ୍ପ ଛାରଖାର ହୋଇଯାଇଥିବା ବେଳେ ତଥାପି ପୁରୀକୁ ପର୍ଯ୍ୟଟକ ଆସିବା ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.