ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌କୁ ପୁଣି ନିର୍ବାଚିତ ହେଲେ ଡେମୋକ୍ରାଟିକ୍‌ ଦଳର ୪ ଭାରତୀୟ-ଆମେରିକୀୟ

Published By : Prameya-News7 Bureau | November 04, 2020 IST

ଓ୍ବାସିଂଟନ ୪/୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ଏବେ ସାରା ବିଶ୍ବର ନଜର। ପୁଣିଥରେ ଟ୍ରମ୍ପ ନା ଡେମୋକ୍ରାଟିକ୍‌ ପାର୍ଟିର ଜୋ ବିଡେନ୍‌ ରାଷ୍ଟ୍ରପତି ହେବେ ସେନେଇ କଳ୍ପନା ଜଳ୍ପନା ଚାଲିଛି। କିନ୍ତୁ ଏହାରି ଭିତରେ ଭାରତୀୟ ବଂଶୋଦ୍ଭବଙ୍କ କମାଲ ଦେଖିବାକୁ ମିଳିଛି। ସମସ୍ତ ଡେମୋକ୍ରାଟିକ୍‌ ପାର୍ଟିର ୪ ଭାରତୀୟ-ଆମେରିକୀୟ ସାଂସଦ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ଡାକ୍ତର ଆମି ବେରା, ପ୍ରମିଳା ଜୟପାଲ, ରୋ ଖାନା ଓ ରାଜା କ୍ରିଷ୍ଣମୂର୍ତ୍ତି ପୁଣିଥ​‌ରେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌କୁ  ନିର୍ବାଚିତ ହୋଇଛନ୍ତି।

ଭାରତୀୟ-ଆମେରିକୀୟ ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଉଭୟ ଡେମୋକ୍ରାଟିକ୍‌ ଓ ରିପବ୍ଲିକାନ୍‌ ପାର୍ଟି ପାଇଁ ଭାରତୀୟ-ଆମେରିକୀୟଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାର ଚେଷ୍ଟା କରିଥିଲେ। ଏହି ସମ୍ପାଦାୟର ୧.୮ ମିଲିୟନ୍‌ ସଦସ୍ୟ ଦୁଇ ପାର୍ଟି ପାଇଁ ମୁଖ୍ୟ ଭୂମିକା ନେଇଥିବା ବେଳେ ଫ୍ଲୋରିଡା, ଜର୍ଜିଆ, ମିଚିଗାନ, ନର୍ଥ କାରୋଲିନା, ପେନସିଲଭାନିଆ ଓ ଟେକ୍ସାସ ନିର୍ବାଚନୀ ମୈଦାନରେ ଏମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବା ଜଣାପଡ଼ିଛି।

କ୍ରିଷ୍ଣମୂର୍ତ୍ତିଙ୍କ ଦ୍ବାରା ‘ସମୋସା କାକସ୍‌’ ଭଳି ଏକ ଶବ୍ଦ ଭାରତୀୟ-ଆମେରିକୀୟ ଗୋଷ୍ଠୀ ପାଇଁ ଗଠନ କରାଯାଇଥିଲା। ଏହି ଗୋଷ୍ଠୀ ହୁଏତ ସଂପ୍ରସାରିତ ହୋଇପାରିଥାନ୍ତା ଯଦି ଆରିଜୋନାରୁ ହୀରାଲ ଟିପିର୍ନିନି ଜିତିଥାନ୍ତେ। ଯଦି ଟିପିର୍ନିନି ଜିତି ଯାଇଥନ୍ତେ ତେବେ ଦ୍ବିତୀୟ ଭାରତୀୟ-ଆମେରିକୀୟ ମହିଳା ଭାବେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌କୁ ନିର୍ବାଚିତ ହୋଇଥାନ୍ତେ। ୫୫ ବର୍ଷୀୟା ଜୟପାଲ ଯିଏକି ପ୍ରଥମ ଭାରତୀୟ-ଆମେରିକୀୟ ମହିଳା ଭାବେ ୨୦୧୬ରେ ନିର୍ବାଚିତ ହୋଇଥିଲେ।

ରାଜା କ୍ରିଷ୍ଣମୂର୍ତ୍ତି ଲିବର୍ଟେରିଆନ ପାର୍ଟିର ପ୍ରେଷ୍ଟନ ନେଲସନ୍‌କୁ ସହଜରେ ହରାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ସେ ମୋଟ ଭୋଟର  ୭୧ ପ୍ରତିଶତ ପାଇଥିଲେ। ୪୪ ବର୍ଷୀୟ ରୋ ଖାନାଙ୍କୁ ପୁଣି ଥରେ ସହଜ ବିଜୟ ୧୭ ତମ କଂଗ୍ରେସିଆଲ ଡିଷ୍ଟ୍ରିକ୍ଟ ଅଫ୍‌ କାଲିଫର୍ନିଆରୁ ମିଳିଛି। ଏହା ତାଙ୍କ ଲଗାତର ତୃତୀୟ ବିଜୟ। ଏହାସହ ସମୋସା କାକସ୍‌ର ବରିଷ୍ଠ ସଦସ୍ୟ ୫୫ ବର୍ଷୀୟ ଆମି ବେରା ପଞ୍ଚମ ଥର ବିଜୟ ହାସଲ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.