ଆମେରିକାକୁ ଚୀନର କରୋନା ରିଲିଫ୍: ଜାକ୍ ମା ପଠାଇଲେ ୫ ଲକ୍ଷ ଟେଷ୍ଟିଂ କିଟ୍ସ୍ ଓ ୧୦ ଲକ୍ଷ ମାସ୍କ୍
17/03/2020 at 1:19 PM

ବେଜିଂ, ୧୭|୦୩: ଇ-କମର୍ସ କମ୍ପାନୀ ଆଲିବାବାର ସଂସ୍ଥାପକ ଜ୍ୟାକ୍ ମା କରୋନା ମୁକାବିଲା ପାଇଁ ଆମେରିକାକୁ ସହାୟତାର ହାତ ବଢାଇଛନ୍ତି। ସେ ଆମେରିକାକୁ କରୋନା କିଟସ୍ ଓ ମାସ୍କ୍ ପ୍ରଦାନ କରିଛନ୍ତି। ସେହିପରି ବିଶ୍ୱର ଦ୍ୱିତୀୟ ଧନି ବିଲ ଗେଟସଙ୍କ ପାଉଣ୍ଡେସନ ମଧ୍ୟ କରୋନା ମୁକାବିଲା ପାଇଁ ୧୦ କୋଟି ଡଲାର ପ୍ରଦାନ କରିବ ବୋଲି ଘୋଷଣା କରିସାରିଛି।
ଏହି ଚାଇନିଜ୍ କୋଟିପତି ଦୁଇଟି ଫଟୋ ଟ୍ୱିଟ କରିଛନ୍ତି। ଏହି ଫଟୋରେ ସେ ସାଙ୍ଘାଇରୁ ଆମେରିକାକୁ କରୋନା କିଟ୍ସ ପଠାଉଥିବା ଦେଖିବାକୁ ମିଳିଛି। ଚଳିତ ମାସର ଆରମ୍ଭରେ ସେ ୫ଲକ୍ଷ କରୋନା ଟେଷ୍ଟିଂ କିଟସ୍ ଓ ୧୦ ଲକ୍ଷ ମାସ୍କ୍ ପଠାଇଥିଲେ। ଏହାସହ ୟୁରୋପକୁ ମଧ୍ୟ ସେ ଅନେକ ମେଡିକାଲ ସାମଗ୍ରୀ ପଠାଇଛନ୍ତି।

ତାଙ୍କ ପ୍ରଥମ ଟ୍ୱିଟରେ ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସରେ ମେଡିକାଲ କିଟ୍ ପଠାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ଫେସ୍ ମାସ୍କ, ଟେଷ୍ଟିଂ କିଟ ଆଦି ରହିଛି। କେବଳ ଆମେରିକା ନୂହେଁ ଜାପାନ, ସାଉଥ କୋରିଆ, ଇଟାଲୀ, ଇରାନ, ସ୍ପେନକୁ ମଧ୍ୟ ୨୦ ଲକ୍ଷରୁ ଅଧିକ ମାସ୍କ ସେ ଦାନ କରିବେ ବୋଲି କହିଥିଲେ।

ଏତତ୍ ବ୍ୟତୀତ ବିଲ୍ ଗେଟସ୍ ଫାଉଣ୍ଡେସନ ମଧ୍ୟ କରୋନା ମୁକାବିଲା ପାଇଁ ୧୦ କୋଟି ଡଲାର ପ୍ରଦାନ କରିବ ବୋଲି ଘୋଷଣା କରିସାରିଛି।