Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚିକିତ୍ସା ଲାଗି ଜର୍ମାନ ଗଲେ କ୍ରେମଲିନ୍ ସମାଲୋଚକ ଆଲେକ୍ସି ନାଭାଲନୀ

22/08/2020 at 4:23 PM

ବର୍ଲିନ:  ଗୁରୁତର ଅସୁସ୍ଥ କ୍ରେମଲିନ୍‌ ସମାଲୋଚକ ଆଲେକ୍ସି ନାଭାଲନୀଙ୍କୁ ଚିକିତ୍ସା ଲାଗି ଶନିବାର ଜର୍ମାନ ସ୍ଥାନାନ୍ତରଣ କରାଯାଇଛି। ସାଇବେରିଆର ଓମସ୍କ ସହରରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ବର୍ଲିନ ହସ୍ପିଟାଲ ସ୍ଥାନାନ୍ତରଣ କରାଯାଇଛି।  ଗତ ଗୁରୁବାର ନାଭାଲନୀ ବିମାନ ଯାତ୍ରା କରୁଥିବା ବେଳେ ଅଚାନକ ଅସୁସ୍ଥ ହୋଇପଡିଥିଲେ। ଏଣୁ ଓମସ୍କରେ ବିମାନକୁ ଜରୁରି ଅବତରଣ କରାଯାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୪୪ ବର୍ଷ ବୟସ୍କ ଆଲେକ୍ସି ନାଭାଲନୀ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ଦୀର୍ଘ ଦିନର ପ୍ରତିଦ୍ୱନ୍ଦ୍ୱୀ ଓ ଦେଶରେ ଦୁର୍ନୀତି ବିରୋଧୀ ଆନ୍ଦୋଳନର ନେତା ଭାବେ ବେଶ୍ ଜଣାଶୁଣା। ତେବେ ତାଙ୍କୁ ଚାରେ ବିଷ ଦେଇ ହତ୍ୟାଉଦ୍ୟମ କରାଯାଇଥିବା ତାଙ୍କ ସମର୍ଥକମାନେ ଅଭିଯୋଗ କରୁଛନ୍ତି। ଓମସ୍କରୁ ନାଭାଲନୀଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଜର୍ମାନ ଟେଗେଲ ବିମାନ ବନ୍ଦରକୁ ନିଆଯାଇଥିଲା।  ସେଠାରୁ ଚାରିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ସୂଚନା ଦେଇ ନାହାନ୍ତି। ସ୍ୱାସ୍ଥ୍ୟ ପରୀକ୍ଷଣ ପରେ ତାଙ୍କ ପରିବାର ସହ ଆଲୋଚନା କରି ଅପଡେଟ୍ ପ୍ରଦାନ କରିବେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

ନାଭାଲନୀଙ୍କ ସ୍ଥାନାନ୍ତରଣ ପୂର୍ବରୁ ଓମସ୍କ ହସ୍ପିଟାଲ କର୍ତ୍ତୃପକ୍ଷ ସେ ଏବେ କୋମାରେ ଥିବା ଓ ଅଚାନକ ତାଙ୍କ ଜୀବନଲାଗି କୌଣସି ବିପଦ ନଥିବା କହିଥିଲେ। ପ୍ରାୟ ୨ ବର୍ଷ ପୂର୍ବେ ଅନ୍ୟଜଣେ କ୍ରେମଲିନ ବିରୋଧୀ କାର୍ଯ୍ୟକର୍ତ୍ତାଙ୍କୁ ଏହିପରି ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଥିଲା। ତେବେ ତାଙ୍କୁ ଜର୍ମାନ ନିଆଯାଇ ସେଠାରେ ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇ ଫେରିଛନ୍ତି। ନାଭାଲନୀଙ୍କୁ ଜର୍ମାନ ସ୍ଥାନାନ୍ତରଣ ଏତେ ସହଜ ନଥଲା। ତେବେ ତାଙ୍କ ପତ୍ନୀ ସିଧା କ୍ରେମଲିନ୍‌ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ତାଙ୍କୁ ଜର୍ମାନ ହସ୍ପିଟାଲ ସ୍ଥାନାନ୍ତରଣ ନିମନ୍ତେ ନିବେଦନ କରିଥିଲେ। ସେହି ଅନୁସାରେ ନାଭାଲନୀଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଜର୍ମାନ ରେଫର କରିଛନ୍ତି।

ତେବେ ନାଭାଲନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ସିନେମା ଫର ପିସ୍‌ ଫାଉଣ୍ଡେସନର ସଂସ୍ଥାପକ ଜାକା ବିଜଲଜ୍ କହିଛନ୍ତି। ବର୍ଲିନ ଚାରିଟି ହସ୍ପିଟାଲ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ବିଜଲଜ୍ କହିଛନ୍ତି ଯେ ଯଦି ସେଦିନ ବିମାନକୁ ଓମସ୍କରେ ଜରୁରି ଅବତରଣ କରାଯାଇ ନଥାନ୍ତା ତେବେ ତାଙ୍କର ମୃତ୍ୟୁ ନିଶ୍ଚିତ ଥିଲା। ନାଭାଲନୀଙ୍କୁ ଚିକିତ୍ସା ନିମନ୍ତେ ଜର୍ମାନ ନେବା ଲାଗି ବିଜଲଜିଙ୍କ ଫାଉଣ୍ଡେସନ ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ  

   Related Posts