ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା : ବନ୍ୟା ଆଶଙ୍କାରେ ୬ ଜିଲ୍ଲାର ଓଡ୍ରାଫ ଓ ଅଗ୍ନିଶମ ବିଭାଗକୁ ଆଲର୍ଟ ଜାରି
7/08/2019 at 12:21 PM

ଭୁବନେଶ୍ବର ୭|୮: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି । ଲାଞ୍ଜିଗଡ଼, କାଶୀପୁର ଏବଂ କୋଟଗଡ଼ରେ ଗତ ୨୪ ଘଣ୍ଟାରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ୬ଟି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । କାଶୀପୁର ଏବଂ ଗୁଣପୁରରେ ବଂଶଧାରା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
କାଶୀପୁରରେ ବିପଦ ସଂକେତ ୫୪.୬ ମିଟର ଥିବାବେଳେ ଜଳସ୍ତର ୫୫.୭୫ ମିଟର ରହିଛି । ଗୁଣପୁରରେ ବଂଶଧାରା ବିପଦ ସଂକେତ ୮୪ ମିଟର ଥିବା ବେଳେ ଜଳସ୍ତର ୮୫.୧୦ ମିଟର ରହିଛି । କାଶୀପୁର, ବିଷମ କଟକ ଏବଂ ଗୁଣୁପୁର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ ।
ତେବେ ମାଲକାନଗିରି ବଦଲି ଓ ପୋଟେରୁ ନାଳରେ ୫ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ । ମଝିରେ ନ୍ୟୁଜ ୭ କ୍ୟାମେରା ଟିମ୍ ଏବଂ ଶହ ଶହ ଯାତ୍ରୀ ଫସିଥିବା ଖବର ମିଳିଛି । କନ୍ଧମାଳ ତୁମୁଡ଼ିବନ୍ଧ ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । କୁତ୍ରାଗଡ଼ରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଛି । ମାଲକାନଗିରିରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ।
ଗୋଟା ବ୍ୟାରେଜର ୨୨ଟି ଗେଟ୍ ଖୋଲାଯାଇଛି । ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ଗଜପତି ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି । ୬ଟି ଜଲ୍ଲାରେ ବନ୍ୟା ସ୍ଥିତି ଦେଖାଦେଇଥିବାରୁ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗକୁ ଆଲର୍ଟ କରାଯାଇଛି । ଏନେଇ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।