ଚେନ୍ନାଇ ପାର୍କରୁ ବିଶ୍ବର ଦ୍ବିତୀୟ ବୃହତ୍ତ ଆଲ୍‌ଡାବ୍ରା କଇଁଛ ଗାଏବ, ଅନ୍ତର୍ଜାତୀୟ ବଜାରରେ ଦାମ ୧୦ ଲକ୍ଷ ଟଙ୍କା

Published By : Prameya-News7 Bureau | December 25, 2020 IST

ଚେନ୍ନାଇ ୨୫/୧୨: ୧୦ ଲକ୍ଷ ଟଙ୍କିଆ ଆଲଡାବ୍ରା କଇଁଛ ଗାଏବ। ବିଶ୍ବର ଦ୍ବିତୀୟ ବୃହତ୍ତ ତଥା ଓଜନିଆ କଇଁଛ ମହାବଳିପୁରମ କ୍ରୋକ୍‌ଡାଇଲ୍‌ ପାର୍କରୁ ଗାଏବ ହୋଇଯିବା ପରେ ତଦନ୍ତ ଆରମ୍ଭ ହୋଇଛି। ଚେନ୍ନାଇରୁ ୫୬ କିଲୋମିଟର ଦୂରରେ ଅବସ୍ଥିତ ମହାବଳିପୁରମ ପାର୍କରୁ ଆଲଡାବ୍ରା କଇଁଛକୁ କେହି ଚୋରି କରିନେଇଥିବା ସନ୍ଦେହ କରାଯାଉଛି। ତେବେ ଏନଡିଟିଭିରେ ପ୍ରକାଶିତ ଖବରରୁ ଏନେଇ ଜଣପଡ଼ିଛି।

କଇଁଛଟିର ଓଜନ ୮୦-୧୦୦ କେଜି ମଧ୍ୟରେ ହେବ। ଏହାର ଦାମ ଅନ୍ତର୍ଜାତୀୟ ବଜାରରେ ୧୦ ଲକ୍ଷ ଟଙ୍କା। ତେବେ କଇଁଛଟି ପୂର୍ବରୁ ଗାଏବ ହୋଇଥିଲେ ବି ଏହି ଖବରକୁ ଏବେ ସାର୍ବଜନୀନ କରାଯାଇଛି। ଏହି ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଛି। କଇଁଛ ଚୋରି ପଛରେ ପାର୍କର ଷ୍ଟାଫଙ୍କ ହାତ ଥିବା ପୋଲିସ ସନ୍ଦେହ କରୁଥିବା ବେଳେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଜଣାପଡ଼ିଛି।

ନଭେମ୍ବର ୧୧ କିମ୍ବା ୧୨ ତାରିଖରେ କଇଁଛଟି ଚୋରି ହୋଇଥିବା ବେଳେ ଏହାକୁ ଔଷଧୀୟ ଦ୍ରବ୍ୟ ତିଆରି କରିବାକୁ ନିଆଯାଇଥିବା ନେଇ ସନ୍ଦେହ ଉପୁଜିଛି। ବିଶାଳ କଇଁଛ ଥିବା ଏନ୍‌କ୍ଲୋଜରରେ ସିସିଟିଭି ନଥିଲା। କିନ୍ତୁ ବାହାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଆଧାରରେ ଚୋରକୁ ଖୋଜିବାକୁ ପୋଲିସ ଚେଷ୍ଟା କରୁଛି।

ଆଲଡାବ୍ରା କଇଁଛ ବିଶ୍ବର ସର୍ବବୃହତ୍ତ ସ୍ଥଳଭାଗରେ ବିଚରଣ କରୁଥିବା କଇଁଛ। ସେମାନଙ୍କ ଓଜନ ୫୫୦ ପାଉଣ୍ଡ ହୋଇପାରୁଥିବା ବେଳେ ସେମାନଙ୍କ ବୟସ ସୀମା ୧୫୦ ବର୍ଷ। ଭାରତୀୟ ମହାସାଗରରେ ଥିବା ଆଲଡାବ୍ରା ଦୀପପୁଞ୍ଜରେ ଏଭଳି କଇଁଛ ଦେଖିବାକୁ ମିଳେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.