ନାଲି ଓଢଣୀ ପକାଇ ମେଡ ଇନ୍‌ ଓଡ଼ିଶାର ସମ୍ବଲପୁରୀ ନନୀ ସମସ୍ତଙ୍କ ଦିଲ୍‌ରେ ଦେଇଗଲା ଦୁଃଖ….

Published By : Prameya-News7 Bureau | July 27, 2020 IST

ଭୁବନେଶ୍ବର୨୭/୦୭: ମଉଳି ଯାଇଛି କୃଷ୍ଣଚୂଡ଼ାର ସେଇ ରଙ୍ଗ । ଆଉ ଦେଖିବାକୁ ମିଳିବନି ତାଙ୍କର ମସ୍ତ୍ ମସ୍ତ୍ ଚାଲି ।  ମେଡ଼୍ ଇନ୍ ଓଡ଼ିଶା ଝିଅଟି ଚାଲି ଯାଇଛନ୍ତି ବହୁ ଦୂରକୁ । ସାଜିଛନ୍ତି ଅଫେରା ପଥର ପଥିକ । ହଁ, ସେ ଥିଲେ ଆଲ୍‌ବମ୍ ଜଗତରେ ଚହଳ ସୃଷ୍ଟି କରିଥିବା ଦୀପା ସାହୁ । ଆଲ୍‌ବମ୍ କୁଇନ୍ ରୂପରେ ଯିଏ ରାଜ୍ କରିଥିଲେ ପ୍ରଶଂସକଙ୍କ ହୃଦୟରେ ।   

 ଦୂରାରୋଗ୍ୟ କ୍ୟାନ୍ସର୍ ର ସେହି ଭୟଙ୍କର ଝଡ଼ରେ ଲିଭିଗଲା ଦୀପାଙ୍କ ଜୀବନ ଦୀପ  । ସ୍ବାମୀ ଓ ଝିଅ ସମେତ ଓଲିଉଡ୍‌ର ବନ୍ଧୁଙ୍କ  ସହ ଅଗଣିତ ପ୍ରଶଂସକଙ୍କୁ ବିଦାୟ ଜଣାଇ ଆରପାରିକୁ ଚାଲିଯାଇଛନ୍ତି ସେ ।ଦିଲ ଦେଇ ଯାର ସେହି ସୁନ୍ଦରୀ ସମସ୍ତଙ୍କ ଦିଲ୍ ରେ ଭରି ଦେଇ ଯାଇଛନ୍ତି ଦୁଃଖ ।

ଢେଙ୍କାନାଳର ଝିଅ ଦୀପା ଶତାଧିକ ଓଡ଼ିଆ ଆଲ୍‌ବମ୍‌ରେ ଅଭିନୟ କରି ସମସ୍ତଙ୍କ ମନକୁ ଛୁଇଁଥିଲେ । ତାଙ୍କର ଲୋକପ୍ରିୟ ଆଲ୍‌ବମ୍ ଗୀତଗୁଡ଼ିକ ହେଉଛି- ‘ମୁଁ ଝିଅଟେ ମେଡ଼୍ ଇନ୍ ଓଡ଼ିଶା’, ‘କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ’, ‘ସମ୍ବଲପୁରୀ ନନୀ’, ‘ମସ୍ତ୍ ମସ୍ତ୍ ଚାଲି ତୋର’, ‘ଦବୁ ଯଦି ଗୋରୀ ତୁ ଦୀଲ୍ ଦେଇ ଯା’, ‘ଏକ୍‌ଡ଼ା ଏକ୍‌ଡ଼ା ରା’, ‘ହାଏ ହାଏ ତୋ ମଲ୍ଲୀଫୁଲ ଗଜରା’, ‘ବାବୁଲା ବାରବୁଲା’, ‘ପକେଟ୍ ଖାଲି’ ପ୍ରଭୃତି । ତେବେ ପରବର୍ତ୍ତୀ ସମୟରେ ଛୋଟ ପରଦା ଓ ବଡ଼ ପରଦାରେ ଦୀପାଙ୍କୁ ଦେଖିବାକୁ ମିଳିଥିଲା  । ଧାରାବାହିକ ‘ସଂସ୍କାର’, ‘ବଡ଼ ଘର ବଡ଼ ଗୁମର କଥା’ ଧାରାବାହିକରେ ସେ ଖଳନାୟିକା ଭୂମିକାରେ ନଜର ଆସିଥିଲେ ।

ଢ଼େଙ୍କାନାଳ ଜିଲ୍ଲାର ବାଲ୍ୟାମ୍ବୋ ଗ୍ରାମରେ ଦୀପା ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ ଉଲ୍ଲାସ ଚନ୍ଦ୍ର ସାହୁ ଏବଂ ମାଆଙ୍କ ନାଁ ମଞ୍ଜୁଲତା। ପିଲାଦିନେ ଲକ୍ଷ୍ମୀ ବଜାର ବାଳିକା ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ପରେ ସେହି ଢ଼େଙ୍କାନାଳରେ କଲେଜ ପାଠ ମଧ୍ୟ ପଢ଼ିଥିଲେ। ପରବର୍ତ୍ତୀ ସମୟରେ ଭୁବନେଶ୍ବରର ଜଣେ ବ୍ୟବସାୟୀଙ୍କୁ ଦୀପା ବିବାହ କରିଥିଲେ।

ଦୀପାଙ୍କ ସିନେ କ୍ୟାରିୟର୍ ସେତେ ଲମ୍ବା ନୁହେଁ । ତେବେ ‘ନାରୀ ଆଖିରେ ନିଆଁ’ ଓ ‘ସୁନା ଚଢ଼େଇ ମୋ ରୂପା ଚଢ଼େଇ’ ପରି ଅଳ୍ପ କିଛି ଫିଲ୍ମରେ ଅଭିନୟ କରି ଥିଲେ ବି  ସେ ଦର୍ଶକ ଓ ପ୍ରଶଂସକଙ୍କୁ ବାନ୍ଧି ରଖି ପାରିଥିଲେ । ଖୁବ୍ କମ୍‌ ବୟସରେ ଭଲ କଳାକାରଙ୍କୁ ହରାଇଲା ଓଲିଉଡ୍, ହରାଇଲେ ଓଡ଼ିଶାର କଳାପ୍ରେମୀ । ବିଜୟ ମହାନ୍ତିଙ୍କ ଦେହାନ୍ତ ପରେ ଦୀପାଙ୍କ ବିଦାୟ ,ଓଡିଶାର କଳା ଜଗତକୁ ଦେଇଛି ଆହୁରି ଦୁଃଖ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.