ପ୍ରେମରେ ପ୍ରତାରଣା! ବୁର୍ଲା ପାଓ୍ବାର ଚ୍ୟାନେଲ ବ୍ରିଜ୍ ତଳୁ ଆଲବମ୍ ଅଭିନତ୍ରୀ ସିମରନ ସିଂଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ମା ଆଣିଲେ ହତ୍ୟା ଅଭିଯୋଗ
3/01/2019 at 3:32 PM

ସମ୍ବଲପୁର ୦୩|୦୧: ସମ୍ବଲପୁର ବୁର୍ଲା ପାଓ୍ବାର ଚ୍ୟାନେଲ ବ୍ରିଜ୍ ତଳୁ ଜଣେ ଆଲବମ୍ ଅଭିନତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତ ଅଭିନେତ୍ରୀ ହେଲେ ସିମରନ ସିଂ । ସିମରନଙ୍କ ଘର ଝାରସୁଗୁଡା ଜିଲ୍ଲା ଭୁଲିଆଟିକ୍ରାରେ । ଝିଅକୁ ହତ୍ୟା କରାଯାଇଛି ବୋଲି ସିମରନଙ୍କ ମା ଅଭିଯୋଗ କରିଛନ୍ତି ।

ସେଲଫି ବେବୋ, କେଶରୀ ଲୋ ଆଦି କିଛି ସମ୍ବଲପୁରୀ ଆଲବମରେ ଅଭିନୟ କରିଛନ୍ତି । ପାଓ୍ବାର ଚ୍ୟାନେଲ ବ୍ରିଜ୍ ଉପରୁ ଡେଇଁ ସେ ଆତ୍ମ ହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ହୀରାକୁଦ ପୋଲିସ ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ସମସ୍ତ ଘଟଣା ସ୍ପଷ୍ଟ ହେବ । ଅପରପକ୍ଷରେ ମୃତ ସିମରନଙ୍କ ମାଁ କହିଛନ୍ତି ଯେ, ସିମରନଙ୍କୁ ବିଧିବଦ୍ଧ ଭାବେ ହତ୍ୟା କରାଯାଇଛି ।

ପିସି ବ୍ରିଜର ଉଚ୍ଚତା ପ୍ରାୟ ଦେଢଶହ ଫୁଟ ହେବ । ଏହି ବ୍ରଜ ତଳେ ବଡ ବଡ ପଥର ମଧ୍ୟ ରହିଛି । ଏହି ବ୍ରିଜ ଉପରୁ ତଳକୁ ଡେଇଁଲେ ବା କେହି ଖସିପଡିଲେ ପଥରରେ ପିଟି ହୋଇ ମୃତ୍ୟୁ ହେବା ସୁନିଶ୍ଚିତ ।

ତେବେ କିଛି ଦେଖଣାହାରୀଙ୍କ କହିବା କଥା ହେଉଛି ସିମରନ ନିଜେ ନିଜେ ବ୍ରିଜ ଉପରୁ ଡେଇଁ ପଡିଥିଲେ । ଡେଇଁବା ପୂର୍ବରୁ ସେ କାହା ସହ ଦୀର୍ଘ ସମୟ ଧରି ଫୋନରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା । କେହି କେହି ଏହାକୁ ଏକ ହତ୍ୟାକାଣ୍ଡ ବୋଲି ମଧ୍ୟ କହୁଛନ୍ତି ।

ତେବେ ହୀରାକୁଦ ପୋଲିସ ମୃତ ସିମରନଙ୍କ ମୋବାଇଲ ମଧ୍ୟ ଘଟଣାସ୍ଥଳରୁ ଜବତ କରିଛି । କଲ ରେକର୍ଡ ଯାଂଚରୁ ପୋଲିସକୁ ସମସ୍ତ କଥା ଜଣାପଡିବ ବୋଲି କୁହାଯାଉଛି । ଗତ କିଛିଦିନ ହେଲା ସିମରନ ମାନସିକ ଚାପରେ ଥିବା ମଧ୍ୟ କୁହାଯାଉଛି ।

ଖବରନେବାରେ ଜଣାପଡିଛି ଯେ, ସିମରନଙ୍କ ବୟସ ୧୬ ବର୍ଷ ହେବ । ଗତ ବର୍ଷ ସେ ମାଟ୍ରିକ ପାସ କରିଥିଲେ । ତାଙ୍କ ପିତା ଝାଡଖଣ୍ଡରେ ରହନ୍ତି । ମା ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ଭାଇ ଭୁଲିଆଟିକ୍ରାରେ ରହନ୍ତି ।

ଟିଟଲାଗଡର ଜଣେ ମେଲୋଡି ମାଲିକ ଯୁଗ ସୁନାଙ୍କ ସହ ସିମରନଙ୍କ ପ୍ରେମ ସମ୍ପର୍କ ଥିଲା ।ସେମାନେ ପ୍ରେମ ବିବାହ ମଧ୍ୟ କରିଥିଲେ। ସଂପୃକ୍ତ ମେଲୋଡି ମାଲିକଙ୍କ ସହ ମଧ୍ୟ ସିମରନ କିଛି ଆଲବମରେ ଅଭିନୟ କରିଛନ୍ତି । ଗତ କିଛିଦିନ ହେଲା କୌଣସି କଥାକୁ ନେଇ ଉଭଯଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା ।

ମତାନ୍ତର ପରେ ସିମରନ ଟିଟିଲାଗଡ ଛାଡି ଆସି ଭୁଲିଆଟିକ୍ରାରେ ରହୁଥିଲେ । କିନ୍ତୁପୁଣି ସଂପୃକ୍ତ ପ୍ରେମିକ ଯୁଗ ସୁନା ଆସି ବୁଝାସୁଝା କରିବା ପରେ ସେ ଟିଟିଲାଗଡ ଯାଇଥିଲେ । ସିମରନଙ୍କ ମାଙ୍କ କହିବା ଅନୁସାରେ ସିମରନଙ୍କୁ ଯୁଗ ସୁନା ବିଭିନ୍ନ ଭାବରେ ନିର୍ଯ୍ୟାତନା ଦେଇ ଆସୁଥିଲା ।

ତେବେ ଗତକାଲି କଣ ଏମିତି ଘଟିଲା ଯେ, ସିମରନ ଆସି ପିସି ବ୍ରିଜ ଉପରୁ ଡେଇଁ ଆତ୍ମ ହତ୍ୟା କଲେ ବା ତାଙ୍କୁ ହତ୍ୟା କରାଗଲା ତାହା ସନ୍ଦେହ ଘେରରେ ରହିଛି ।। ସିମରନଙ୍କ ମାଁ ହୀରାକୁଦରେ ପହଞ୍ଚିଛନ୍ତି । ତାଙ୍କ ସହ ପୋଲିସ କଥାବାର୍ତ୍ତା କରି ତଦନ୍ତ ଆରମ୍ଭ କରିଛି ।