କରୋନାର ନୂଆ ଭାରିଏଣ୍ଟ: ବ୍ରିଟେନରେ ବଢ଼ୁଛି ସଂକ୍ରମଣ, ଭାରତ ପାଇଁ ସତର୍କ ଘଣ୍ଟି, ଯାତ୍ରୀ ସଂଖ୍ୟା ବୃଦ୍ଧି ମୁଖ୍ୟ ଚିନ୍ତା

Published By : Prameya-News7 Bureau | October 20, 2021 IST

ନୂଆଦିଲ୍ଲୀ ୨୦/୧୦: ବିଶ୍ବ ପାଇଁ କରୋନା ଭୟ ଏବେ ବି ରହିଛି । କାରଣ ପ୍ରତିବର୍ଷ ନୂଆ ରୂପରେ କରୋନା ଭୂତାଣୁ ତାଣ୍ଡବ ରଚୁଥିବା ବେଳେ ଏହାର ଆଉ ଏକ ନୂଆ ରୂପ ଭାରତ ପାଇଁ ବିପଦ ଆଣିପାରେ । ଭାରତ ଏବଂ ବ୍ରିଟେନ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହୋଇଯାଇଥିବା ବେଳେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାରି ଭିତରେ ବ୍ରିଟେନରେ ପୁଣି ଥରେ କୋଭିଡ ସଂକ୍ରମଣ ବଢ଼ିଛି । ଅକ୍ଟୋବର ୧୧ ପରେ ଦୈନିକ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସୋମବାର ୪୮ ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ମାମଲା ମିଳିଥିଲା ।

ପୁଣି ଥରେ ବେକାବୁ କରୋନା ସଂକ୍ରମଣ ଭାରତ ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଉଛି।  ଏବେ ବ୍ରିଟେନରେ ଡେଲଟା ଭାରିଏଣ୍ଟ କରୋନା ଭୂତାଣୁର ମ୍ୟୁଟାଣ୍ଟର ସଂକ୍ରମଣ ବୃଦ୍ଧି ପାଇଛି।  କରୋନାର ଏହି ନୂଆ ରୂପ ଡେଲଟାଠୁ ୧୦ ଗୁଣ ସଂକ୍ରାମକ ହୋଇଥିବା ବେଳେ ସାଧାରଣ ପରୀକ୍ଷାରେ ଚିହ୍ନଟ ହୋଇପାରୁ ନାହିଁ। ଅନ୍ୟପଟେ ଆଉ ଏକ ଚିନ୍ତାର କାରଣ ହେଉଛି, ବ୍ରିଟେନରେ ଅଧାରୁ ଅଧିକ ଲୋକେ ଟିକାର ଦୁଇ ଡୋଜ୍‌ ନେବା ସହ ବୁଷ୍ଟର ଡୋଜ୍‌ ମଧ୍ୟ ନେଉଛନ୍ତି। ଏହା ସତ୍ବେ ସେଠାରେ ସଂକ୍ରମଣ ପୁଣି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଏହା ସହ ବ୍ରିଟେନରେ ଦିଆଯାଉଥିବା ଆଷ୍ଟ୍ରାଜେନିକା ଟିକା ଭାରତରେ କୋଭିସିଲ୍ଡ ରୂପରେ ଦିଆଯାଉଛି। ଯଦି ବ୍ରିଟେନରେ ସଂକ୍ରମଣ ପୁଣି ବଢ଼ୁଛି ଏବଂ ଯାତ୍ରୀଙ୍କ ଯାତାୟତ ବଢ଼ିଛି ତେବେ ଭାରତରେ ପୁଣି ଥରେ ଦ୍ରୁତ ସଂକ୍ରମଣକୁ ଅଣଦେଖା କରାଯାଇ ନପାରେ। ବିମାନ ଚଳାଚଳ ଆରମ୍ଭ ହେବା ପରେ ବହୁ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀ ବ୍ରିଟେନ ଯାଉଛନ୍ତି। ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ୬୨,୫୦୦ ନୂଆ ବିଦ୍ୟାର୍ଥୀଙ୍କୁ ଭିଜା ଦିଆଯାଇଛି। ଯାହାକି ଗତବର୍ଷ ତୁଳନାରେ ୩୦ ପ୍ରତିଶତ ଅଧିକ। ତେଣୁ ଭାରତରେ ମହାମାରୀର ଆଉ ଏକ ଲହର ଖୁବଶୀଘ୍ର ଆସିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.