ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଡିବିଆଇଏଲ୍‌ ସହ ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି, NIIFରେ ହେବ ୬ ହଜାର କୋଟି ପୁଞ୍ଜି ନିବେଶ

Published By : Prameya-News7 Bureau | November 25, 2020 IST

ନୂଆଦିଲ୍ଲୀ ୨୫/୧୧: ସଙ୍କଟଗ୍ରସ୍ତ ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ଡିବିଏସ୍‌ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ୍‌(ଡିବିଆଇଏଲ୍‌)ରେ ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି। ବୁଧବାର ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହା ସହ ଏଟିସି​‌ରେ ଏଫଡିଆଇକୁ ମଞ୍ଜୁରି ମଧ୍ୟ ମିଳିଛି। ତେବେ ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ଡିବିଏସ୍‌ ବ୍ୟାଙ୍କ ସହ ମିଶ୍ରଣ ପାଇଁ ନିର୍ଦେଶ ଦେଇଛି। ଏହାସହ ଏଟିସି ଟେଲିକମ୍‌ ଇନ୍‌ଫ୍ରାରେ ୨୪୮୦ କୋଟି ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ଟାଟା ଗ୍ରୁପ୍‌ର କମ୍ପାନୀ ଏଟିସିର ୧୨ ପ୍ରତିଶତ ସେୟାର ଏଟିସି ପାସିଫିକ୍‌ ଏସିଆ ନେଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ଜାଭଡେକର କହିଛନ୍ତି। ଆଜି ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକଚର୍‌ ଫଣ୍ଡ (ଏନଆଇଆଇଏଫ୍‌)ରେ ୬୦୦୦ କୋଟି ପୁଞ୍ଜି ନିବେଶ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏହି ନିବେଶ ଆଗାମୀ ଦୁଇ ବର୍ଷ ମଧ୍ୟରେ ହେବ।

ଭାରତୀୟ ରିଜର୍ଭ ବ୍ୟାଙ୍କ ୧୭ ନଭେମ୍ବରରେ ଦକ୍ଷିଣ ଭାରତ କେନ୍ଦ୍ରୀୟ ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ଏକ ମାସ ପାଇଁ ମୋରାଟରିୟମରେ ଅନ୍ତର୍ଭୁକ୍ତ କରିଥିଲା। ଆଗାମୀ ଏକ ମାସ ପର୍ଯ୍ୟନ୍ତ କୌଣସି ଗ୍ରାହକ ୨୫୦୦୦ରୁ ଅଧିକ ଟଙ୍କା ଉଠାଣ କରିପାରିବେ ନାହିଁ ବୋଲି ଆରବିଆଇ ନିର୍ଦେଶ ଦେଇଥିଲା। ତେବେ ଆରବିଆଇର ଏହି ନିଷ୍ପତ୍ତିର ପ୍ରଭାବ ବ୍ୟାଙ୍କର ସେୟାର ଉପରେ ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.