ଫୋର୍ବସ୍ ତାଲିକା : ଅକ୍ଷୟ କୁମାର ସବୁଠୁ ଅଧିକ ଆୟ କରୁଥିବା ବଲିଉଡ୍‌ ଅଭିନେତା, ତାଙ୍କର ବାର୍ଷିକ ଆୟ କେତେ ଜାଣନ୍ତୁ

Published By : Prameya-News7 Bureau | October 02, 2020 IST

ନୂଆଦିଲ୍ଲୀ ୨।୧୦: ଫୋର୍ବସ୍ ମ୍ୟାଗାଜିନ ଚଳିତ ବର୍ଷ ଅର୍ଥାତ୍ ୨୦୨୦ର ସବୁଠୁ ମହଙ୍ଗା ଅଭିନେତାଙ୍କ ତାଲିକା ପ୍ରକାଶ କରିଛି । ସବୁଠୁ ଅଧିକ ଆୟ କରୁଥିବା ଅଭିନେତାଙ୍କ ତାଲିକାରେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର ସାମିଲ ହୋଇଛନ୍ତି । ଅକ୍ଷୟ କୁମାର ମୋଟ ୪୮.୫ ମିଲିୟନ ଡଲାର ସହ ୨୦୨୦ ମସିହାରେ ସବୁଠୁ ଅଧିକ ଆୟ କରିଥିବା ବିଶ୍ବର ଶ୍ରେଷ୍ଠ ୧୦ ଅଭିନେତାଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଏହି ତାଲିକାରେ ଅକ୍ଷୟ କୁମାର ଷଷ୍ଠ ସ୍ଥାନରେ ରହିଛନ୍ତି । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଅନ୍ୟ କୌଣସି ଭାରତୀୟ ଅଭିନେତା ସାମିଲ ନାହାନ୍ତି ।

ଅକ୍ଷୟ କୁମାରଙ୍କ ଅଧିକାଂଶ ଆୟ ପ୍ରଡକ୍ଟ ଏବଂ ବ୍ରାଣ୍ଡର ବିଜ୍ଞାପନରୁ ଆସିଛି । ୨୦୧୯ ମସିହା ଜୁନ୍ ୧ରୁ ୨୦୨୦ ମସିହା ଜୁନ୍ ୧ ତାରିଖ ମଧ୍ୟରେ ଆୟକୁ ଦୃଷ୍ଟିରେ ରଖି ଏହି ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ରେସଲରରୁ ଅଭିନେତା ହୋଇଥିବା ଡୱେନ ଜନସନ ଦ୍ବିତୀୟ ବର୍ଷ ପାଇଁ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ତାଙ୍କର ମୋଟ୍ ଆୟ ୮୭.୫ ମିଲିୟନ ଡଲାର । ଜନସନ ତାଙ୍କ ରିଙ୍ଗ ନାମ ଦି ରକ୍ ରେ ମଧ୍ୟ ଜଣାଶୁଣା ।

ଏହା ପୂର୍ବରୁ ମଧ୍ୟ ଅକ୍ଷୟ କୁମାର ଏହି ତାଲିକାରେ ଅନେକ ଥର ସାମିଲ ହୋଇଥିଲେ। ଫୋର୍ବସର ବିଶ୍ବର ଅଧିକ ଆୟ ବିଶିଷ୍ଟ ୧୦୦ ସେଲିବ୍ରିଟି ତାଲିକାରେ କେବଳ ଭାରତର ଅକ୍ଷୟ କୁମାରଙ୍କ ନାଁ ରହିଛି । ତେବେ ଗତ ଏକ ବର୍ଷ ମଧ୍ୟରେ ଅକ୍ଷୟ କୁମାରଙ୍କ ଆୟ ୨୨ ପ୍ରତିଶତ ହ୍ରାସ ପାଇ ୩୬୪ କୋଟି ଟଙ୍କା (୪.୮୪ କୋଟି ଡଲାର)ରେ ପହଞ୍ଚିଛି। ତାଲିକାରେ ସେ ୩୩ତମ ସ୍ଥାନରୁ ୫୨ତମ ସ୍ଥାନକୁ ପଳାଇ ଆସିଛନ୍ତି । ଗତ ବର୍ଷ ଅକ୍ଷୟଙ୍କ ଆୟ ୪୬୬ କୋଟି ଟଙ୍କା ଥିଲା।

ଫୋର୍ବସ୍ ଅନୁଯାୟୀ ଅକ୍ଷୟ କୁମାର ବଲିଉଡରେ ସବୁଠୁ ଅଧିକ ଆୟ କରୁଥିବା ଅଭିନେତା। ଫୋର୍ବସ୍ ମଧ୍ୟ ଅକ୍ଷୟଙ୍କୁ ଭାରତର ସବୁଠୁ ଅଧିକ ଦାନ କରୁଥିବା ସେଲିବ୍ରିଟିଙ୍କ ମଧ୍ୟରେ ସ୍ଥାନିତ କରିଛି । ସେ କରୋନା ରିଲିଫ ପାଣ୍ଠିକୁ ୨୫ କୋଟି ଟଙ୍କା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.