ସାଉଦି ତୈଳ ସାଇଟରେ ମିସାଇଲ୍ ଆକ୍ରମଣ : ବଢିଲା ଅଶୋଧିତ ତୈଳ ଦର, ଭାରତରେ ମଧ୍ୟ ପଡିବ ପ୍ରଭାବ !

Published By : Prameya-News7 Bureau | March 09, 2021 IST

ରିୟାଧ,୦୯/୦୩: ତୈଳ ସାଇଟ୍‌ରେ ରବିବାର ମିସାଇଲ ଏବଂ ଡ୍ରୋନ୍‌ ଆକ୍ରମଣ । ସାଉଦି ଆରବର କିଛି ତୈଳ ଖଣିରେ ଏହି ଆକ୍ରମଣ ହୋଇଛି । ଏହା ଆଞ୍ଚଳିକ ଶତ୍ରୁତାକୁ ବଢ଼ାଇବାର ସମ୍ଭାବନା ରହିଛି । ଇରାନ ସମର୍ଥିତ ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ଏହି ଆକ୍ରମଣ କରାଯାଇଛି । ଆକ୍ରମଣ ଦ୍ୱାରା ୨୦୨୦ ଜାନୁଆରୀ ପରଠାରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଅଶୋଧିତ ତୈଳ । ସୋମବାର ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୭୦ ଡଲାର ପାର୍‌ ଅତିକ୍ରମ କରିଛି ।

ରବିବାର ଏହି ଆକ୍ରମଣ ହୋଇଥିଲା, ଯାହାକୁ ଗତିରୋଧ କରାଯାଇଛି । ଆକ୍ରମଣ ଯୋଗୁ ତୈଳ ଉତ୍ପାଦନ ବାଧାପ୍ରାପ୍ତ ହୋଇ ନ ଥିବା ସାଉଦି ଆରବ ପ୍ରକାଶ କରିଛି । ତେବେ ଏସବୁ ମଧ୍ୟରେ ସାଉଦି ଆରବ ଏବଂ ଇରାନ ମଧ୍ୟରେ ଉତ୍ତେଜନା ବଢ଼ିବାର ଆଶଙ୍କା ଦେଖାଦେଇଛି । ଏହା ହେଲେ ଆଗକୁ ବିଶ୍ୱ ତୈଳ ବଜାରରେ ବଡ଼ ଧରଣର ଅସ୍ଥିରତା ଦେଖାଦେଇପାରେ ।

ସାଉଦିର ଶକ୍ତି ମନ୍ତ୍ରୀ କହିଛନ୍ତି ଯେ, ଦେଶର ପର୍ସିଆନ୍‌ ଗଲ୍‌ଫ କୋଷ୍ଟରେ ଥିବା ରାସ୍‌ ତନୁରା ଏକ୍ସପୋର୍ଟ ଟର୍ମିନାଲସ୍ଥିତ ଏକ ତୈଳ ଭଣ୍ଡାର ଟ୍ୟାଙ୍କ ଫାର୍ମ ଉପରେ ଆକ୍ରମଣ ହୋଇଛି । ସମୁଦ୍ରରୁ ଏହି ଆକ୍ରମଣ କରାଯାଇଥିଲା । ଦେହରାନ୍‌ସ୍ଥିତ ସାଉଦି ଅରାମ୍‌କୋର କର୍ମଚାରୀମାନଙ୍କ ଆବାସ ସ୍ଥଳ ନିକଟରେ ମଧ୍ୟ ଏକ ମିସାଇଲ ଆକ୍ରମଣ ହୋଇଛି । ଏହି ପରିସର ନିକଟରେ ଆମେରିକା ଦୂତାବାସ ମଧ୍ୟ ରହିଛି । ତେବେ ଉଭୟ ଆକ୍ରମଣ ଯୋଗୁ କୌଣସି ପ୍ରକାର କ୍ଷୟକ୍ଷତି ହୋଇ ନ ଥିବା ସାଉଦି ଆରବର ଉର୍ଜା ମନ୍ତ୍ରାଳୟର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି । ଦେହରାନ୍‌ରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଘରଗୁଡ଼ିକ ଥରିଥିଲା । ତେବେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନାହିଁ ।

ରାସ୍‌ ତନୁରା ହେଉଛି ବିଶ୍ୱର ସର୍ବବୃହତ୍‌ ତୈଳ ଟର୍ମିନାଲ । ଦିନକୁ ଏଠାରୁ ୬୫ ଲକ୍ଷ ବ୍ୟାରେଲ ତେଲ ରପ୍ତାନି ହୋଇଥାଏ । ଏହି ବନ୍ଦରରେ ଏକ ବଡ଼ ତୈଳ ଟ୍ୟାଙ୍କ ଫାର୍ମ ରହିଛି । ସୁପର ଟ୍ୟାଙ୍କକୁ ଯିବା ପୂର୍ବରୁ ଏଠାରେ ଅଶୋଧିତ ତୈଳ ରଖାଯାଇଥାଏ । ସମାନ ଅଞ୍ଚଳରେ ଆରାମ୍‌କୋର ସର୍ବବୃହତ୍‌ ଏବଂ ବହୁପୁରୁଣା ବିଶୋଧନାଗାର ରହିଛି । 

ଏହି ଆକ୍ରମଣର ପ୍ରଭାବ ଆଜି ତୈଳ ଦରରେ ଅନୁଭୂତ ହୋଇଛି । ସୋମବାର ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍‌ ଦର ୨.୯% ବୃଦ୍ଧି ପାଇ ୭୧.୩୭ ଡଲାରରେ ପହଞ୍ଚିଛି । ଓପେକ୍‌ ବୈଠକରେ ଉତ୍ପାଦନ ବୃଦ୍ଧି ନିଷ୍ପତ୍ତି ନ ହେବା ଫଳରେ ପୂର୍ବରୁ ହିଁ ଅଶୋଧିତ ତୈଳ ଦରରେ ବୃଦ୍ଧି ଧାରା ଜାରି ରହିଛି । ଭାରତର ଏହାର ପ୍ରଭାବ ପଡିପାରେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.