ଅକ୍ଟୋବର ୪ରେ ହାଥରସ ଯିବେ ଅଖିଳେଶ ଯାଦବ, ପୀଡ଼ିତାଙ୍କ ପରିବାର ସହ କରିବେ ଆଲୋଚନା

Published By : Prameya-News7 Bureau | October 03, 2020 IST

ଲକ୍ଷ୍ମୌ ୦୩/୧୦: ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ଚାଲିଥିବା ଉତ୍ତେଜନା ଥମିବାର ନାଁ ନେଉ ନାହିଁ। ପ୍ରଥମେ ରାହୁଲ ଓ ପ୍ରିୟଙ୍କ ଗାନ୍ଧି ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇ ଥିଲେ ମାତ୍ର ସେମାନଙ୍କୁ ଦେଖା କରିପାରି ନ ଥିଲେ। ତା’ପରେ ଶ୍ରୁକ୍ରବାର ହାଥରସ ଗଲେ ଟିଏମସିର କିଛି ସଦସ୍ୟ। ସେମାନେ ବି କଂଗ୍ରେସ ଅନୁରୁପ ଅବସ୍ଥା ସାମ୍ନା କଲେ। ପୁଣି ଆଜି ହାଥରସ ଅଭିମୁଖେ ବାହାରିବେ ରାହୁଲ।

ଏହି କ୍ରମରେ ଅକ୍ଟୋବର ୪ ଅର୍ଥାତ ଆସନ୍ତାକାଲି ହାଥରସ ଯିବେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଆସନ୍ତାକାଲି ବିଦେଶରୁ ଫେରିବା ପରେ ଦିଲ୍ଲୀରୁ ସିଧା ପୀଡ଼ିତାଙ୍କ ଗାଁକୁ ଯିବେ। ସେଠାରେ ପହଞ୍ଚି ସେମାନଙ୍କ ସହ ଘଟଣା ବାବଦରେ ନ୍ୟାୟ କିଭଳି ମିଳିବ ସେନେଇ ଆଲୋଚନା କରି​‌ବେ।

ହାଥରସ ମାମଲାକୁ ନେଇ ସମାଜାବଦୀ ପାର୍ଟି (ସପା)ର କ୍ରମାଗତ ଉତ୍ତେଜନା ଜାରି ରହିଛି। ଗାନ୍ଧି ଦିବସ ଅବସରରେ ସପାର ସବୁ ପ୍ରମୁଖ ନେତା ପୀଡ଼ିତାଙ୍କ ନ୍ୟାୟ ଦାବି, ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା, ବେକାରୀ ଓ ମହଙ୍ଗା ଦର ଉପରେ ଦୁଇ ଘଣ୍ଟା ମୌନବ୍ରତ ରଖି ଥିଲେ। ଏହି ଅବସରରେ ଲକ୍ଷ୍ମୌରେ ଶାନ୍ତି ପ୍ରଦର୍ଶନ ଓ ସତ୍ୟାଗ୍ରହ ମଧ୍ୟ କରାଗଲା। କେତେକ ସ୍ଥାନରେ ପୋଲିସ ଲୋକଙ୍କ ଉପରେ ଲାଠି ଚାର୍ଜ କରିଥିଲା।

ଉଲ୍ଲେଖନୀୟ ଯେ ହାଥରସ ଜିଲ୍ଲାରେ ସେପ୍ଟେମ୍ବର ୧୪ ତାରିଖରେ ୧୯ ବର୍ଷୀୟା ଦଳିତ ଝିଅକୁ ଗଣଦୁଷ୍କର୍ମ କରାଯାଇ ଥିଲା। ଝିଅର ମେରୁଦଣ୍ଡରେ ଆଘାତ ଲାଗିଛି । ଏହା ସହ ଜିଭ କାଟିଦେଇ ଥିବାରୁ ତାଙ୍କୁ ଜବାହାରଲାଲ ନେହରୁ ମେଡିକାଲ କଲେଜରେ ଭର୍ତି କରାଯାଇ ଥିଲା। ମାତ୍ର ସେଠାରେ ଜୀବନ ସହ ଲଢ଼ି ମଙ୍ଗଳବାର ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.