ପ୍ରିୟଙ୍କା ଭଦ୍ରାଙ୍କୁ ବିମାନରେ ଭେଟିଲେ ଅଖିଳେଶ ଯାଦବ, ୟୁପିରେ ଜୋର ଧରିଲା ରାଜନୀତି

Published By : Prameya-News7 Bureau | October 22, 2021 IST

ଲକ୍ଷ୍ନୌ ୨୨।୧୦: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା  ଶୁକ୍ରବାର ଦିଲ୍ଲୀରୁ ଲକ୍ଷ୍ନୌ ବିମାନଯାତ୍ରା କାଳରେ ସମାଜବାଦୀ ପାର୍ଟି (ସପା) ନେତା ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ  ଅଖିଳେଶ ଯାଦବ ତାଙ୍କ ସହଯାତ୍ରୀ ଥିଲେ। ବିମାନରେ ଉଭୟ ନେତାଙ୍କ ସଂକ୍ଷିପ୍ତ ଆଲୋଚନା ମଧ୍ୟ ହୋଇଛି। ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ। ଏଥିରେ ଦୁଇ ନେତାଙ୍କ ଭେଟକୁ ରାଜନାତିକ ମହଲରେ ବେଶ ଗୁରୁତ୍ୱ ଦିଆଯାଉଛି।

ଅଖିଳେଶଙ୍କ ସପା ରାଜ୍ୟରେ ଶାସକ ବିଜେପି ବିରୋଧରେ ଅଣ୍ଟାଭିଡିଛି। ସେପଟେ କଂଗ୍ରେସ ନିଜର ଅସ୍ତିତ୍ୱ ଲାଗି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବ। ଏଥିରେ ବିମାନରେ ଦୁଇ ନେତାଙ୍କ ଭେଟ ବାସ୍ତବିକ ଗୁରୁତ୍ୱପୂର୍ଣ୍ଣ। ସାକ୍ଷାତ ଆଲୋଚନା କାଳରେ ପ୍ରିୟଙ୍କା ଖୁବ୍ ଶୀଘ୍ର ଭେଟିବେ ବୋଲି ଅଖିଳେଶଙ୍କୁ କହିଛନ୍ତି। ଯାହାର ଏବେ ବ୍ୟାପକ ଅର୍ଥ କରାଯାଉଛି। ରାଜ୍ୟରେ ବିଜେପିକୁ ହଟାଇବା ଏବେ ଅଖିଳେଶଙ୍କ ୱାନ ପଏଣ୍ଟ ପ୍ରୋଗ୍ରାମ। ଏଥିରେ ଯଦି କଂଗ୍ରେସର ସହଯୋଗ ଲୋଡାପଡିଲା ହୁଏତ ପ୍ରିୟଙ୍କାଙ୍କ ସହ ଏହି ଭେଟ ବାସ୍ତବିକ୍ ସ୍ମରଣୀୟ ହେବ।

{"id":531541,"width":840,"height":559,"sizeSlug":"full","linkDestination":"none"}

ରାଜ୍ୟରେ ସପାର କଳେବର ଏବେ ପ୍ରସାର କରୁଛନ୍ତି ଅଖିଳେଶ। ମାୟାବତୀଙ୍କ ବହୁଜନ ସମାଜପାର୍ଟିର କିଛି ଟାଣୁଆ ନେତା ଇତିମଧ୍ୟରେ ଦଳକୁ ଆସି ସାରିଲେଣି। ଅଖିଳେଶ ତାଙ୍କ ପାର୍ଟି ରାଜ୍ୟରେ ଜିତିକି ଥିବା ବରାବର ଘୋଷଣା କରିଚାଲିଛନ୍ତି। ଏଥର ନିର୍ବାଚନରେ ସମାଜବାଦୀ ପାର୍ଟି ରାଜ୍ୟରେ ୩୦୦ ପ୍ଲସ୍‌ ଆସନରେ ସରକାର ଗଢିବା ନିଶ୍ଚିତ ବୋଲି କହୁଛନ୍ତି। ତେବେ ତାଙ୍କ ଆକଳନରେ ହୁଏତ ଅଣ ବିଜେପି ଦଳ ଭାବେ କଂଗ୍ରେସ ସହାୟକ ହୋଇପାରେ ବୋଲି ଏବେ ଅନୁମାନ କରାଯାଉଛି।

ଏଥର ବିଧାନସଭା ନିର୍ବାଚନରେ ଅନେକ ବିଜେପି ନେତାଙ୍କ ଟିକେଟ୍ କଟିବ। ସେହିପରି କୋଭିଡ-୧୯ ପରିଚାଳନାରେ ତ୍ରୁଟି ଲାଗି ଅନେକ ନେତା ଅସନ୍ତୁଷ୍ଟ ଅଛନ୍ତି। କିଛି ନେତା ଏଥର ନିର୍ବାଚନ ଲଢି ମଧ୍ୟ ନପାରନ୍ତି। ସେମାନେ ଟିକେଟ ମଧ୍ୟ ଦାବି କରିବେନି। ଏଣୁ ଏଭଳି ସ୍ଥଳେ ବିଧାନସଭାରେ ସପାର ଏବେ ଥିବା ୫୦ ବିଧାୟକଙ୍କୁ ମିସାଇ ଦଳ ବଡ ବ୍ୟବଧାନରେ ସରକାର ଗଢିବା ଲାଗି ଅଖିଳେଶ ଆଶାୟୀ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.