UPରେ ବିଜେପିକୁ ପୁଣି ଟାର୍ଗେଟ କଲେ ଅଖିଳେଶ , ଜାଣନ୍ତୁ କହିଲେ କ’ଣ ?

Published By : Prameya-News7 Bureau | June 11, 2021 IST

ଲକ୍ଷ୍ନୌ ୧୧।୬: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପୁଣି ଥରେ ରାଜ୍ୟ ବିଜେପି ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ବେକାରୀ ଓ ବେରୋଜଗାରୀ ଏବେ ରେକର୍ଡ ଭାଙ୍ଗିଛି। ସହିପରି ମହଙ୍ଗା ମାଡ ଲୋକଙ୍କ ଅଣ୍ଟା ଭାଙ୍ଗୁଛି। ସେପଟେ ରାଜ୍ୟ ଓ କେନ୍ଦ୍ର ବିଜେପି ମାଙ୍କଡ ଭାଗବଣ୍ଟାରେ ବ୍ୟସ୍ତ। ଏବେ ବିଜେପି ସରକାରଙ୍କଠାରୁ ଏବେ ଜନତା କିଛି ଆଶା କରିବା ନିର୍ଥକ।

ତେବେ ବିଜେପି ପ୍ରତି ଅଖିଳେଶଙ୍କ ଟାର୍ଗେଟ୍‌ କିଛି ନୂଆ କଥା ନୁହେଁ। ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ, ରାଜ୍ୟରେ କୋଭିଡ ପରିସ୍ଥିତି ଗୁରୁତର। ସରକାର ସ୍ୱାସ୍ଥ୍ୟ ସମସ୍ୟା ସୁଧାରିବାକୁ ସାମାନ୍ୟତମ ଉଦ୍ୟମ କରୁନାହାନ୍ତି। ଏଣୁ ୟୁପିର ସରକାର କେନ୍ଦ୍ରର କ୍ରିଡନକ ବୋଲି ମଧ୍ୟ ଅତୀତରେ ଅଭିଯୋଗ କରିଥିଲେ। ଏବେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏଥିରେ ଅଖିଳେଶ ବିଜେପି ଅନ୍ଦର ମହଲରେ ବିବାଦ ଲାଗିଥିବା କହିଛନ୍ତି।

କେବଳ ରାଜ୍ୟର ପରିସ୍ଥିତି ନୁହେଁ ଦେଶର ପରିସ୍ଥିତି ଲାଗି ମଧ୍ୟ ଅଖିଳେଶ ଲଗାତାର କେନ୍ଦ୍ରର ମୋଦି ସରକାରଙ୍କ ଉପରେ ମନ୍ତବ୍ୟ ଦେଉଛନ୍ତି। ଏଥିରେ କେନ୍ଦ୍ରରେ ବିଜେପି ସରକାର ଚାଷୀ ବିରୋଧୀ ବୋଲି କହିଛନ୍ତି।  ବିଜେପି ସରକାରଙ୍କ ନୀତି ନିୟମ ଚାଷୀଙ୍କ ସ୍ୱାର୍ଥର ପରିପନ୍ଥୀ ବୋଲି କହିଥିଲେ। କେନ୍ଦ୍ରର ୩ କୃଷି ଆଇନ ଏବେ ଚାଷୀଙ୍କୁ ପୁଞ୍ଜିପତିଙ୍କ ଗୋଲାମ କରିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.