ୟୁପିରେ ମୟାବତୀ ଏବଂ ଅଖିଳେଶ ମେଣ୍ଟ; ୩୮-୩୮ ଲୋକସଭା ଆସନରେ ନିର୍ବାଚନ ଲଢିବେ ଦୁଇ ଦଳ, ବିଜେପି ପାଇଁ ସତର୍କ ଘଣ୍ଟି

Published By : Prameya-News7 Bureau | January 12, 2019 IST

ଲକ୍ଷ୍ନୌ ୧୨|୧: ଆଗାମୀ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମେଣ୍ଟ ଘୋଷଣା ହୋଇଛି । ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ବିଏସପି ସୁପ୍ରିମୋ ମାୟାବତୀ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି ।ୟୁପିର ୭୬ଟି ଲୋକସଭା ଆସନରେ ଲଢିବେ ଏସପି-ବିଏସପି ମେଣ୍ଟ । ଏସପି ୩୮ଟି ଆସନରେ ଏବଂ ବିଏସପି ୩୮ ଆସନରେ ଲଢିବେ । ଦେଶର ହିତ ଏବଂ ଜନତାଙ୍କ ମଙ୍ଗଳ ପାଇଁ ଉଭୟ ଦଳ ମଧ୍ୟରେ ବୁଝାମଣା ହୋଇଛି । ମୋଦି ସରକାର ପ୍ରତିଶ୍ରୁତି ପୂରଣ କରିପାରିଲାନି ବୋଲି ମିଳିତ ସମ୍ବାଦିକ ସମ୍ମିଳନୀରେ କୁହାଯାଇଛି  । ଏହି ମେଣ୍ଟ ମୋଦି ଓ ଶାହାଙ୍କ ନିଦ ହଜାଇ ଦେବ ବୋଲି ଆଲୋଚନା ହେଉଛି । ବିଜେପିର ମନମୁଖି କାର୍ଯ୍ୟରେ ଲୋକେ ଅସନ୍ତୁଷ୍ଟ ଅଛନ୍ତି । କଂଗ୍ରେସ ସରକାର ଅମଳରେ ବ୍ୟାପକ ଦୁର୍ନୀତି ହୋଇଛି । କଂଗ୍ରେସ ସହ ମହାମେଣ୍ଟରେ କିଛି ଫାଇଦା ମିଳିବନାହିଁ ବୋଲି ମୟାବତୀ କହିଛନ୍ତି । ବରଂ କଂଗ୍ରେସକୁ ତାଙ୍କର ଭୋଟ୍ ଟ୍ରାନ୍ସଫର ହୋଇଯାଇଥାନ୍ତା ବୋଲି ପ୍ରେସମିଟରେ ସେ କହିଛନ୍ତି ।

ଏସପି ଏବଂ ବିଏସପି ମଧ୍ୟରେ ୨୬ବର୍ଷ ପରେ ମେଣ୍ଟ ହୋଇଛି । ୧୯୯୩ରେ ଦୁଇ ଦଳ ମଧ୍ୟରେ ମେଣ୍ଟ ହୋଇଥିଲା । ଦୁଇ ବର୍ଷ ସରକାର ଚାଲିବା ପରେ ୧୯୯୫ରେ ଗେଷ୍ଟହାଉସ୍ ଘଟଣା ପରେ ମେଣ୍ଟ ଭାଙ୍ଗିଯାଇଥିଲା । ଏବେ ଦେଶର ହିତ ପାଇଁ ଏହି ମେଣ୍ଟ ହୋଇଛି ବୋଲି ଉଭୟେ କହିଛନ୍ତି  । ଏହି ମେଣ୍ଟ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ ବୋଲି ମୟାବତୀ ଆଶା ପ୍ରକାଶ କରିଛନ୍ତି । ସେହିଭଳି ଅଖିଳେଶ କହିଛନ୍ତି ଯେ ଏସପିର ସମସ୍ତ କାର୍ଯ୍ୟକର୍ତ୍ତା ଏହା ଜାଣିନିଅନ୍ତୁ ଯେ ମାୟାବତୀଙ୍କ ସମ୍ମାନ ମୋର ସମ୍ମାନ ବୋଲି । ତାଙ୍କର ଅପମାନ ମୋର ଅପମାନ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.