୨୦୨୨ ବିଧାନସଭା ନିର୍ବାଚନରେ ‘ସପା’କୁ ମିଳିବ ୪୦୦ ସିଟ୍ : ଅଖିଳେଶ ଯାଦବ

Published By : Prameya-News7 Bureau | August 05, 2021 IST

ମୁରାଦାବାଦ ୫।୮: ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବ ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ୪୦୦ ପାଖାପାଖି ଆସନ ପାଇବ ବୋଲି  ଦୃଢ ଦାବି କରିଛନ୍ତି। ଜନେଶ୍ୱର ମିଶ୍ର ଜୟନ୍ତୀ ଉପଲକ୍ଷେ ୫ ଅଗଷ୍ଟ ସାଇକେଲ ରାଲି ପୂର୍ବରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଏପର୍ଯ୍ୟନ୍ତ ଅଖିଳେଶ ପାର୍ଟିକୁ ପାଖାପାଖି ୩୦୦ରୁ ୩୫୦ ଟି ଆସନ ମିଳିପାରେ ବୋଲି କହୁଥିଲେ। ହେଲେ ଏଥର ନିର୍ବାଚନରେ ତାଙ୍କ ଦଳ ପୁଣି ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢିବ ବୋଲି ଦୃଢ ଦାବି କରିଛନ୍ତି।

ଅଖିଳେଶ କହିଛନ୍ତି ଯେ ରାଜ୍ୟର ଯୋଗୀ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି। ଗତ ରବିବାର ମିର୍ଜାପୁର ରାଲିରେ ଅମିତ ଶାହ ଉତ୍ତରପ୍ରଦେଶରେ ବିଜେପି ସରକାର ଗତ ବିଧାନସଭା ନିର୍ବାଚନରେ ଦେଇଥିବା ପ୍ରତିଟି ପ୍ରତିଶ୍ରୁତି ପୁରଣ କରିଥିବା କହିଥିଲେ। ଅଖିଳେଶ କହିଛନ୍ତି ଯେ ବିଜେପି ରାଜ୍ୟରେ ସରକାର ଗଢିବା ପରେ ପାର୍ଟିର ମେନିଫିଷ୍ଟୋକୁ ଦ୍ୱିତୀୟବାର ଖୋଲି ହିଁ ନାହିଁ। ଫଳରେ ରାଜ୍ୟରେ ଦଳର ଅବସ୍ଥା ଏବେ ଏପରି ଯେ ନିର୍ବାଚନ ବେଳକୁ କେହି ପାର୍ଟିରୁ ପ୍ରାର୍ଥୀହେବେ କି ନା ସେ ନେଇ ମଧ୍ୟ ସନ୍ଦେହ ଉପୁଜିଲାଣି।

{"id":491257,"width":841,"height":554,"sizeSlug":"full","linkDestination":"none"}

ଗଙ୍ଗାରେ ଶବ ଭାସିବା, ଶବ ଦେହରୁ କପଡା କଢା ହେଲା, କୋଭିଡ-୧୯ରେ ଔଷଧର କଳାବଜାରୀ, ନିର୍ଦ୍ଦୋଷ ଲୋକଙ୍କୁ ଜେଲ ପଠାଇବା, ହାଜତ ମୃତ୍ୟୁ ଓ ଅପପୁଷ୍ଟି ଲାଗି ୟୁପି ଏବେ ଦେଶରେ ବଦନାମ ରାଜ୍ୟ। ଏହା କେବଳ ବିଜେପି ଓ ଯୋଗୀଙ୍କ ଲାଗି ସମ୍ଭବ ହୋଇପାରିଥିବା ଅଖିଳେଶ କହିଛନ୍ତି। ରାଜ୍ୟରେ କୋଭିଡ ପରିଚାଳନାରେ ସରକାରଙ୍କ ବ୍ୟର୍ଥତା ଏବେ ବିଜେପି ବିରୋଧରେ ଜନ ଆକ୍ରୋଶ ସୃଷ୍ଟି କରିଛି।

ବିଜେପି ଧୋକାବାଜଙ୍କ ଦଳ ବୋଲି ଏବେ ଲୋକେ ସ୍ପଷ୍ଟ ହୋଇସାରିଲେଣି। ଏଣୁ ଆଗାମୀ ବିଧାନସଭା ନିର୍ବାଚନରେ ସପା ପୁଣି ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହେବା ନିଶ୍ଚିତ ବୋଲି ଅଖିଳେଶ ଯାଦବ କହିଛନ୍ତି। ବିଜେପିରେ କାମର ସଂସ୍କୃତି ନାହିଁ। ସରକାର ୫ ବର୍ଷରେ କେଉଁ ଗୋଟିଏ କାମ କରିଥାନ୍ତେ ପରା ଯାହା ଦ୍ୱାରା ଲୋକେ ଅନୁନ୍ୟ ରାଜ୍ୟରେ ଦଳକୁ ମନେ ରଖିଥାନ୍ତେ । ହେଲେ ଯୋଗୀ ସରକାର ସେତିକି ମଧ୍ୟ କରି ନାହାନ୍ତି। ଅପରପକ୍ଷେ କୋଭିଡ ନିୟନ୍ତ୍ରଣରେ ସରକାର ପ୍ରଶାସନକୁ ଉପଯୋଗ କରି ନପାରିବାରୁ ରାଜ୍ୟରେ ଲୋକେ ପୋକମାଛି ପରି ମରିଛନ୍ତି ବୋଲି ଅଖିଳେଶ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.