ଜେରା ବେଳେ ମିଛ କହୁଛନ୍ତି ଆକାଶ, ହେବ ପଲିଗ୍ରାଫ୍ ଟେଷ୍ଟ୍, ଜେଲରେ କହିଲେ- 'ଫୋନ୍ ଦିଅ ରତନ ଟାଟାଙ୍କ ସହ କଥା ହେବି'

Published By : Prameya-News7 Bureau | December 15, 2020 IST

ଭୁବନେଶ୍ୱର,୧୫/୧୨: ଗିରଫ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ଚତୁର୍ଥ ଦିନ ପାଇଁ ଜେରା କରାଯାଇଛି। ଆକାଶ ଟାଟା ମୋଟର୍ସର ଏମ୍‌ଡି ନଥିବା କ୍ରାଇମବ୍ରାଞ୍ଚ୍ ଜାଣିବାକୁ ପାଇଛି। ପତିଆରା ଦେଖାଇବା ପାଇଁ ସେ ଏମିତି କରି ଲୁଟୁଥିବା ସୂଚନା ମିଳିଛି। ଏହାବ୍ୟତୀତ ଏବେ ସେ ଭାବି ଶ୍ୱଶୁରଙ୍କୁ ବଞ୍ଚାଇବାକୁ ଭରପୂର ଉଦ୍ୟମ କରୁଛନ୍ତି । ଭାବି ଶ୍ୱଶୁରଙ୍କ କିଛି ଭୁଲ୍‌ ନାହିଁ ବୋଲି କହୁଛନ୍ତି ଆକାଶ। ଆହୁରି ମଧ୍ୟ କିଛି ତଥ୍ୟ ସେ ଲୁଚାଉଛନ୍ତି । ଏଥିପାଇଁ ଆକାଶଙ୍କ ପଲିଗ୍ରାଫ୍‌ ଟେଷ୍ଟ (ମିଛ ଧରା ପରୀକ୍ଷା) କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ କହିଛି ।

ଜେରା ବେଳେ କ୍ରାଇମ୍‌ବ୍ରାଞ୍ଚ ଆକାଶ ଠାରୁ ଅନେକ କିଛି ସତ ବାହାର କରିଛି। ଟାଟା ମୋଟର୍ସରେ ଚାକିରି କରୁନଥିବା ମାନିବା ସହ ଷ୍ଟାଟସ୍‌ ଦେଖାଇବାକୁ ଏଭଳି ଜାଲିଆତି କରୁଥିବା ଆକାଶ କ୍ରାଇମ୍‌ବ୍ରାଞ୍ଚ ଆଗରେ ସ୍ୱୀକାର କରିଛି। ଖାଲି ସେତିକି ନୁହେଁ ଟାଟା କମ୍ପାନୀରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ବେକାର ଯୁବକଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟକୁ କରୁଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଟଙ୍କା ଆଦାୟରେ ଭାବି ଶ୍ୱଶୁର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅନେକ ସହଯୋଗ ଥିବାର ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ।

କିନ୍ତୁ ଆକାଶ ପ୍ରଦୀପ ପାଣିଗ୍ରାହୀଙ୍କ ଦୋଷକୁ ଘଣ୍ଟ ଘୋଡାଉଛନ୍ତି । ସେ କହୁଛନ୍ତି, ଏଥିରେ ଭାବି ଶ୍ୱଶୁରଙ୍କ କୌଣସି ଭୂମିକା ନାହିଁ। ଗୋପାଳପୁରରେ ୬୪ରୁ ଅଧିକ ବିସ୍ଥାପିତଙ୍କୁ ଟାଟା କମ୍ପାନୀରେ ଚାକିରି ଲୋଭ ଦେଖାଇ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା କାହା ଜରିଆରେ ଆଦାୟ ହେଉଥିବା ନେଇ କୌଣସି ସ୍ପଷ୍ଟ ଉତ୍ତର ପାଇନାହାନ୍ତି କ୍ରାଇମ୍‌ବ୍ରାଞ୍ଚ ଟିମ। ତେବେ ଚାକିରି ନଥାଇ କୋଟି କୋଟି ଟଙ୍କା କେଉଁଠୁ ଆସିଲା? ମୁମ୍ବାଇରେ ଫ୍ଲାଟ୍‌ ଓ ଫାର୍ମ ହାଉସ୍‌ ଭଡ଼ା କିଏ ଦେଉଥିଲା? ଦାମୀ ଗାଡି କିଣିବା ସମୟରେ ନଗଦ ଟଙ୍କା କିଏ ଦେଇଥିଲା ? ଏ ସବୁ ପ୍ରଶ୍ନର ମଧ୍ୟ ସ୍ପଷ୍ଟ ଉତ୍ତର ଦେଉନାହାନ୍ତି ଆକାଶ । ସେ ଆଧାରୁ ଅଧିକ ମିଛ କହୁଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ସେଥିପାଇଁ ତାଙ୍କର ପଲିଗ୍ରାଫ୍‌ ଟେଷ୍ଟ କରିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ । ଏନେଇ ଖୁବ୍‌ ଶୀଘ୍ର ଆବେଦନ କରାଯିବ ବୋଲି ସୂଚନା ମିଳିଛି ।

ସେହିଭଳି ବିଧାୟକ ପ୍ରଦୀପଙ୍କୁ ମଧ୍ୟ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କ୍ରାଇମ୍‌ବ୍ରାଞ୍ଚ। ତାଙ୍କ ଜରିଆରେ ଆକାଶ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିଲେ। ସେ ବିଷୟରେ ପଚାରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ। ସେପଟେ ଆକାଶ ଜେଲ୍‌ ଯିବା ପରଦିନ ଜେଲ୍‌ରେ ଅଜବ କାଣ୍ଡ କରିଥିଲେ ବୋଲି ଶୁଣିବାକୁ ମିଳୁଛି। ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଆକାଶ କହିଥିଲେ ଯେ, ମୋବାଇଲ୍‌ ଦେଲେ ସେ ରତନ ଟାଟାଙ୍କ ସହ କଥା ହେବ। ସେ ତାଙ୍କ ପାଇଁ କିଛି କହିବ। କିନ୍ତୁ ତାଙ୍କ କଥାକୁ କେହି ବିଶ୍ୱାସ କରିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.