ପୁଅ ପଢା ଖର୍ଚ୍ଚ-ଝିଅ ବାହାଘର, ଆକାଉଣ୍ଟରେ ସବୁ ଦେଣନେଣ କାଢୁଛି ଭିଜିଲାନ୍ସ : ସମ୍ପର୍କୀୟ ବି ସ୍କାନରରେ, ତଥାପି ପାଠକ କହୁଛନ୍ତି ହୋଇଛି ଷଡଯନ୍ତ୍ର

Published By : Prameya-News7 Bureau | December 05, 2020 IST

ଭୁବନେଶ୍ବର ୫।୧୨: ଅମାପ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଭିଜିଲାନ୍ସ କୋର୍ଟରେ ହାଜର ହୋଇଛନ୍ତି । ରିମାଣ୍ଡ ଅବଧି ସରିବା ପରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଉଭୟଙ୍କୁ ହାଜର କରାଯାଇଛି । ଉଭୟଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରୁଥିଲା ଭିଜିଲାନ୍ସ ।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ନଭେମ୍ବର ମାସରେ ବାପା ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ ମିଳିତ ଭାବେ ଭୁବନେଶ୍ବର ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କରିଛନ୍ତି । ଥରେ ୫୦ ଲକ୍ଷ ଆଉ ଥରେ ୩୫ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି । ପୁଅ ଆକାଉଣ୍ଟକୁ ଯାଇଛି ସବୁ ଟଙ୍କା । ଆଉ ତାପରେ ବାପା-ପୁଅ ମିଶି ଡିପୋଜିଟ୍ କରିଛନ୍ତି । ଗିରଫ ପୂର୍ବରୁ ୮୫ ଲକ୍ଷ ଡିପୋଜିଟ୍ ହୋଇଛି ।

ଝିଅ ବାହାଘର ପାଇଁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଉଭୟ ମାନିଛନ୍ତି । ଝିଅକୁ ପାଠ ପଢାଇବାକୁ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦ ଲକ୍ଷ ପୁଅର ପାଠପଢା ପାଇଁ ଖର୍ଚ୍ଚ ହୋଇଛି । ପୁଅ ବାହାଘର ପାଇଁ ବଜେଟ୍ ଥିଲା ୧୦ କୋଟି । ବିହାର ପାଟଣା ସହିତ ସମ୍ପର୍କୀୟ (ଜ୍ବାଇଁ)ଙ୍କ ଘରେ ରେଡ୍ ଚାଲିଛି । ୨୦୧୪ରେ ବାପାଙ୍କ ଆକାଉଣ୍ଟରୁ ୩୮ ଲକ୍ଷ ପୁଅ ଆକାଉଣ୍ଟକୁ ଆସିଥିଲା । ଅଭୟ ଯେଉଁ ଦାୟିତ୍ବରେ ଥିଲେ, କଣ ସବୁ ଦୁର୍ନୀତି କରିଛନ୍ତି ସେନେଇ ଖୋଳତାଡ଼ ଚାଲିଛି । ଗତ ୩ ବର୍ଷ ଭିତରେ ବନୀକରଣରେ ୬ଶହ କୋଟି ଖର୍ଚ୍ଚ ହୋଇଛି । ସେଠାରେ ହୋଇଥିବା ଘୋଟଲା ବାବଦରେ ଖୋଳତାଡ଼ ଜାରି ରହିଛି ।

ଅନ୍ୟପଟେ ଆକାଶ ପାଠକ କହୁଛନ୍ତି ‘ମୁଁ ଟାଟାର କର୍ମଚାରୀ ଥିଲି, କିନ୍ତୁ ଟାଟା ମୋତେ ସପୋର୍ଟ କରୁନାହିଁ । ଆମ ବିରୋଧରେ ଷଡଯନ୍ତ୍ର ହୋଇଛି । ଆମେ ସବୁକିଛି କହିବାକୁ ଚାହୁଁଛୁ । ବାହାରିବା ପରେ ସବୁ କିଛି କହିବି । ଆମ ବିରୋଧରେ ଷଡଯନ୍ତ୍ର ହୋଇଛି ।’

ଏପଟେ ଭିଜିଲାନ୍ସ ତଦନ୍ତ କହୁଛି ସବୁ ମିଛ । ରିମାଣ୍ଡ ପାଇଁ ଭିଜିଲାନ୍ସ ଆବେଦନ କରିବନି । ଶନିବାର ରିମାଣ୍ଡ ଆବିଧି ସରିବା ପରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ ବାପା ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.