ପ୍ରେମରେ ପଡ଼ିଛନ୍ତି ଆକାଶ

Published By : Prameya-News7 Bureau | August 28, 2020 IST

ଭୁବନେଶ୍ବର ୨୮/୮: ଦୀର୍ଘ ଦୁଇ ବର୍ଷ ପରେ ଓଲିଉଡକୁ ଫେରିଥିବା ଜେଣ୍ଟଲ୍‌ମ୍ୟାନ୍‌ ଆକାଶ ଦାସନାୟକଙ୍କ ହାତରେ ଦୁଇଟି ଫିଲ୍ମ । ହେଲେ କ’ଣ ହେବ ଏବେ ତ ସେ ପ୍ରେମରେ ପଡ଼ିଛନ୍ତି। କଥାଟା ସତ ଲାଗୁନଥିଲେ ବି ସତ। ତାଙ୍କ ସିନେମା କହୁଛି, ସେ ପ୍ରେମ ପାଇଁ କୁଆଡ଼େ ପାଗଳ ହୋଇଯାଇଛନ୍ତି । ଜୀସାର୍ଥକରେ ପ୍ରସ୍ତୁତି ପଥେ ରହିଛି ଆକାଶଙ୍କ ଅଭିନୀତ ସିନେମା ‘ପ୍ରେମ ନା’ ପାଗଳପଣ’ ।

ଏଥିରେ ଆକାଶଙ୍କ ନାୟିକା ସାଜିଛନ୍ତି ଲିପ୍ସା । ଅନ୍ୟାନ୍ୟ ଦୁଇଟି ମୁଖ୍ୟ ଭୂମିକାରେ ରାଇମୋହନ ଓ କୁନା ତ୍ରିପାଠୀଙ୍କ ଭଳି କଳାକାର ରହିଛନ୍ତି । ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅଶ୍ୱିନୀ ଗଡ଼ନାୟକ। ସମାଜକୁ ବାର୍ତ୍ତା ଦେଲାଭଳି ଏକ ପ୍ରେମ କାହାଣୀକୁ ନେଇ ଚଳଚ୍ଚିତ୍ର ଗତିଶୀଳ ହେଉଛି । ଯାହା ସତ୍ୟ ଘଟଣା ଉପରେ ଆଧାରିତ ରହିଛି ।

ସେହିପରି ଆକାଶଙ୍କ ଆଉ ଏକ ଚଳଚ୍ଚିତ୍ର ‘ମହାବାହୁ’ର ମହୁରତ୍‌ ହୋଇଯାଇଛି । ଆକ୍ସନ୍‌, ରୋମାନ୍ସ ଓ ହାସ୍ୟରସରେ ଭରପୁର ଏହି ସିନେମାରେ ନାୟିକା ରହିଛନ୍ତି ପ୍ରକୃତି ମିଶ୍ର । ସିନେମାଟି ଏକ ସାମାଜିକ ବାର୍ତ୍ତାବହନକାରୀ ସିନେମା । ବଡ଼ କଥା ହେଲା, ଆକାଶ ଦୁଇ ନାୟିକା ଲିପ୍ସା ଓ ପ୍ରକୃତିଙ୍କୁ ପ୍ରଥମ ଥର ପରଦାରେ ଭେଟେ ହେବେ । ଲାଗୁଛି ଯୋଡ଼ି ନୂଆ ହେଲେ ବି ଫୁଲ୍‌ ଜମିବ । ସେଥିପାଇଁ ଉଭୟ ଫିଲ୍ମକୁ ନେଇ ଆକାଶ ବହୁତ ଉତ୍ସାହିତ ଅଛନ୍ତି ।

୨୦୦୮ରେ ଓଲିଉଡରେ ପ୍ରବେଶ କରିଥିବା ଆକାଶ ନିଜ ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିପାରିଛନ୍ତି । ଭଲ ଅଭିନେତା, ରାଜନେତା ହେବା ସାଙ୍ଗକୁ ସରଳ, ହୃଦୟବାନ ମଣିଷ ଭାବରେ ଫ୍ୟାନ୍ସଙ୍କ ପାଖରେ ସେ ବେଶି ପରିଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.