ଆକାଶରେ ବିବାହ କରିଥିଲେ, ମାନି ନଥିଲେ କୋଭିଡ୍ କଟକଣା : ଏବେ ନିଆଯିବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | May 25, 2021 IST

ନୂଆଦିଲ୍ଲୀ,୨୫/୦୫: କରୋନା କଟକଣା ନମାନି କରିଥିଲେ ବିବାହ । ତାହା ପୁଣି ଆକାଶରେ । ଉପସ୍ଥିତ ଥିଲେ ୧୬୧ ଅତିଥି । ତେବେ ଏହି ଖବର ପ୍ରସାରଣ ହେବା ସହ ବାହାଘରର ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଡିଜିସିଏ ।   ବେସାମଗିର ନାଗରିକ ଉଡ୍ଡୟନ ମହାନିର୍ଦ୍ଦେଶାଳୟ ଏହି ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସ୍ପାଇସଜେଟ୍ ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜବାବ ତଲବ ମଧ୍ୟ କରାଯାଇଛି। ଏହା ସହ କରୋନା ଗାଇଡଲାଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ କଡା ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, ସାରା ଦେଶରେ କରୋନା ସ୍ଥିତି ସଙ୍ଗୀନ ରହିଛି । ସାମାଜିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲାଗିଛି । ବିବାହ କାର୍ଯ୍ୟକ୍ରମରେ ୨୫ରୁ ସର୍ବାଧିକ ୫୦ ଅତିଥିଙ୍କୁ ଅନୁମତି ମିଳିଛି । କିନ୍ତୁ ତାମିଲନାଡୁର ମଦୁରାଇରେ ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଥିଲା । କୋଭିଡ କଟକଣାକୁ ଫୁ କରି ଆକାଶରେ ବିମାନ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି । କେବଳ ସେତିକି ନୁହେଁ ବରକନ୍ୟାଙ୍କୁ ଆଶୀର୍ବାଦ ଦେବା ପାଇଁ ୧୬୧ ଅତିଥି ମଧ୍ୟ ଯୋଗ ଦେଇଥିଲେ। ତାମିଲନାଡୁରେ ବିବାହ କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଅତିଥି ସାମିଲ ହୋଇପାରିବେ ନାହିଁ ବୋଲି ନିୟମ ରହିଛି । ତେଣୁ ଅଧିକ ଅତିଥିଙ୍କୁ ଆମନ୍ତ୍ରଣ ପାଇଁ ବିମାନରେ ବିବାହ କରିବା ଲାଗି ମଦୁରାଇର ଏହି ବରକନ୍ୟାଙ୍କ ପରିବାର ନିଷ୍ପତ୍ତି ନେଇଥିଲେ ।

ରାକେଶ ଓ ଦୀକ୍ଷା ନାମକ ଏହି ବରକନ୍ୟା ୨ ଘଣ୍ଟା ପାଇଁ ଏକ ଚାର୍ଟର୍ଡ ଫ୍ଲାଇଟ (ସ୍ପାଇସ ଜେଟ ବୋଇଙ୍ଗ ୭୩୭)କୁ ସମ୍ପୂର୍ଣ୍ଣ ଭଡ଼ାରେ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ୧୬୧ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ । ଏଥିରେ ସେମାନଙ୍କ ପରିବାର ଲୋକ, ବନ୍ଧୁ ଏବଂ ସାଙ୍ଗସାଥୀ ସାମିଲ ହୋଇଥିଲେ । ମଦୁରାଇ ସ୍ଥିତ ମୀନାକ୍ଷୀ ଅମ୍ମନ ମନ୍ଦିର ଉପରେ ବିମାନଟି ଉଡ଼ି ରହିଥିବା ଅବସ୍ଥାରେ ରାକେଶ ଓ ଦୀକ୍ଷା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଏ ନେଇ ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ବିମାନ ମଧ୍ୟରେ ବିବାହ ବେଳେ କେହି ଜଣେ ହେଲେ ମାସ୍କ ପିନ୍ଧି ନ ଥିଲେ । ସାମାଜିକ ଦୂରତା ପାଳନ କରି ନ ଥିଲେ । ଘଟଣା ସାମ୍ନାକୁ ଆସିବା ପରେ ଡିଜିସିଏ ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ବିମାନର କ୍ରିଉ ସଦସ୍ୟଙ୍କୁ ଡି-ରୋଷ୍ଟର କରାଯାଇଛି । ଏ ନେଇ ମାମଲା କରିବାକୁ ବି କୁହାଯାଇଛି । ବିମାନ ବନ୍ଦର ପ୍ରାଧିକରଣଠାରୁ ରିପୋର୍ଟ ମଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.