ଦୁଇ ଥର UPSC ସଫଳ ହୋଇଥିଲେ ଯୋଗୀ, ଲେଖୁଥିଲେ ସୋନିଆଙ୍କ ଭାଷଣ ...

Published By : Prameya-News7 Bureau | May 29, 2020 IST

ରାୟପୁର ୨୯।୦୫: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀଙ୍କ ନିଧନରେ ତାଙ୍କ ସମର୍ଥକ ଗହଣରେ ଦୁଃଖର ମାହୋଲ ରହିଛି। ଅଜିତ୍ ଯୋଗୀଙ୍କ ଜୀବନକାଳ ଉପରେ ନଜର ପକାଇଲେ ଜଣା ପଡେ ଯେ, ସେ ନିଜ ସମୟରେ ଅନେକ ଭୂମିକା ନିର୍ବାହ କରିଛନ୍ତି। ଅଜିତ୍ ଯୋଗୀ ଏମିତି ଜଣେ ବ୍ୟକ୍ତି ଯାହାଙ୍କ ନାମ କେବଳ ରାଜନୀତି ନୁହେଁ ବରଂ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଖୁବ୍ ରହିଛି। ଆଦିବାସୀ ସମାଜରୁ ଆସିଥିବା ଅଜିତ୍ ଯୋଗୀ ଆରମ୍ଭରୁ ଜଣେ ମେଧାବୀ ଛାତ୍ର ଥିଲେ।

ଭୋପାଳରୁ ମେକାନିକାଲ ଇଞ୍ଜିନିୟରିଂ କରିବା ପରେ ରାୟପୁର  କଲେଜରେ କିଛି ଦିନ ଶିକ୍ଷକତା ଚାକିରି କରିଥିଲେ। ଏହି ସମୟରେ ସେ ୟୁପିଏସସି ପ୍ରସ୍ତୁତି କରିବାକୁ ମନସ୍ଥ କରିଥିଲେ। ୧୯୬୮ରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ  ହୋଇଥିଲେ ଏବଂ ଆଇପିଏସ ହୋଇଥିଲେ। ଏଥିରେ ତାଙ୍କର ମନ ଭରି ନଥିଲା। ଏହା ପରେ ପୁଣି ଥରେ ପ୍ରସ୍ତୁତି କରି ୧୯୭୦ରେ ୟୁପିଏସସିରେ ଶୀର୍ଷ ୧୦ରେ ରହି ଆଇଏଏସ  ହୋଇଥିଲେ।

ଏହି ସମୟରେ ଅଜିତ୍ ଯୋଗୀ ଦୀର୍ଘ ସମୟ ଧରି ଇନ୍ଦୋରର ଜିଲ୍ଲାପାଳ ରହିଥିଲେ। ସବୁଠୁ ବଡ କଥା ଯୋଗୀ ଆଦିବାସୀ ସମାଜରୁ ହୋଇଥିଲେ ହେଁ ସେ ଜେନେରାଲ ବର୍ଗରୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଇନ୍ଦୋରରେ ଜିଲ୍ଲାପାଳ ରହିବା ସମୟରେ ସେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହଙ୍କ ନିକଟତର ହୋଇଥିଲେ।

ଅର୍ଜୁନ ସିଂହଙ୍କ ପରାମର୍ଶକ୍ରମେ ରାଜନୀତିରେ ପାଦ ଦେଲେ

ଅର୍ଜୁନ ସିଂହଙ୍କ ପରାମର୍ଶ କ୍ରମେ ୧୯୮୦ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅଜିତ୍ ଯୋଗୀଙ୍କୁ ରାଜନୀତିରେ ପ୍ରବେଶ କରାଇଥିଲେ। ଅଜିତ୍ ଯୋଗୀ ବିଶେଷ ଲୋକ ପ୍ରିୟ ନଥିଲେ। ମାତ୍ର ତାଙ୍କର କୁଶଳ ପ୍ରଶାସନିକ କ୍ଷମତା ଓ ଗାନ୍ଧୀ ପରିବାରର ନିକଟତର ହୋଇଥିବା କାରଣରୁ ମଧ୍ୟ ପ୍ରଦେଶ, ଛତିଶଗଡ ଓ ଦେଶ ରାଜନୀତିରେ ତାଙ୍କର ଭିନ୍ନ ପ୍ରକାରର ଛାପ ରହିଥିଲା। କୁହାଯାଏ ଯେ, ଅର୍ଜୁନ ସିଂହ ହିଁ ଯୋଗୀଙ୍କୁ ରାଜନୀତିର ସବୁ ଦିଗ ବିଷୟରେ ଶିଖାଇଥିଲେ। କିନ୍ତୁ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ସହ ଅଜିତ୍ ଯୋଗୀଙ୍କ ସଂପର୍କ ଭଲ ନଥିଲା।

ସୋନିଆଙ୍କ ଭାଷଣ ଲେଖୁଥିଲେ ଯୋଗୀ

ଅଜିତ୍ ଯୋଗୀ ରାଜନୀତି ଜୀବନରେ ଖାସ୍ କଥା ଏହା ଥିଲା ଯେ, କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଯେବେ ନୂଆ କରି ରାଜନୀତିରେ ପାଦ ଦେଲେ ସେହି ସମୟରେ ଯୋଗୀ ତାଙ୍କର ଭାଷଣ ଲେଖୁଥିଲେ। ଏଥିରୁ ଅନୁମାନ କରି ପାରିବେ ଯେ, ସେ ଗାନ୍ଧୀ ପରିବାରର କେତେ ନିକଟତର ଥିଲେ। ଯେବେ ୨୦୦୦ ମସିହାରେ ମଧ୍ୟପ୍ରଦେଶର  ବିଭାଜନ ହେଲା ଅଜିତ୍ ଯୋଗୀ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଏହା ଯୋଗୀଙ୍କ ରାଜନୀତିର ସର୍ବୋଚ୍ଚ ଉତ୍‌ଥାନ ଥିଲା। ଶପଥ ନେବା  ପରେ ଯୋଗୀ କହିଥିଲେ, ହଁ ମୁଁ ସ୍ଵପ୍ନର ସୌଦାଗର। ମୁଁ ସ୍ଵପ୍ନ ବିକ୍ରି କରେ।           

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.