ସେ ଜଣେ ସମ୍ପୂର୍ଣ୍ଣ କଳାକାର କିନ୍ତୁ ନାଟକ ଥିଲା ତାଙ୍କ ଜୀବନ, ଅଜିତ ଦାସଙ୍କୁ ଝୁରୁଥିବେ ଓଡିଆ ଦର୍ଶକ

Published By : Prameya-News7 Bureau | September 13, 2020 IST

ଭୁବନେଶ୍ୱର, ୧୩।୦୯:   ଜୀବନ ଯୁଦ୍ଧରେ ସେ ହାରିଗଲେ । କିନ୍ତୁ ହାରି ବି ଜିତିଗଲେ । ମୟୂରଭଞ୍ଜର କରଞ୍ଜିଆରୁ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ଏବଂ ଓଡିଶା ସଙ୍ଗୀତ ନାଟକ ମହାବିଦ୍ୟାଳୟ । ଜଣେ ଉଚ୍ଚକୋଟୀର କଳାକାର, ଛାତ୍ରବତ୍ସଳ ଅଧ୍ୟାପକ ଏବଂ ବହୁମୁଖୀ ପ୍ରତିଭାର ଅଧିକାରୀଅଜିତ ଦାସ । ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନଟିଏ ହାସଲ କରି ପାରିଛନ୍ତି । ବେସ୍ ମେଳାପୀ ଓ ହସଖୁସିଆ ଥିଲେ ସେ । ସମସ୍ତେ ତାଙ୍କୁ ଝୁରନ୍ତି । ଠିକ୍ ସେହିଭଳି ସେ ଜଣେ ଶୃଙ୍ଖଳାରେ ବନ୍ଧା ଅଧ୍ୟାପକ ବି ଥିଲେ । ଉତ୍ତମ ମହାନ୍ତି, ପ୍ରଶାନ୍ତ ନନ୍ଦଙ୍କଠାରୁ ଆରମ୍ଭ କରି ଅଶୃମୋଚ୍ଚନ, ଶ୍ରୀତମ ଦାସ ଏବଂ ଓଡିଆ ସିନେ, ମଞ୍ଚ ନାଟକ ସହ ଜଡିତ କଳାକାର ଅଭିନେତା ସମସ୍ତେ ବଖାଣନ୍ତି ଅଜିତଙ୍କ ସ୍ମୃତି । ସେ ଜଣେ ଭଲ ଅଭିନେତା, ନିର୍ଦ୍ଦେଶକ, ଲେଖକ ଭାବେ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ୧୯୭୬ ମସିହାରେ ସିନ୍ଦୁର ବିନ୍ଦୁରୁ ଓଡିଆ ସିନେମାରେ ଅଭିନୟ ଆରମ୍ଭ କରିଥିବା ଅଜିତ ଦାସ ୬୦ରୁ ଅଧିକ ଓଡିଆ ସିନେମାରେ ଅଭିନୟ କରିଛନ୍ତି । ଖଳନାୟକରୁ ଅଭିନୟ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ନାୟକ ଓ ଚରିତ୍ର ଅଭିନେତା ଭୂମିକାରେ ନିଜର ଦକ୍ଷତା ପ୍ରମାଣିତ କରିଥିଲେ ।  ମଲାଜହ୍ନ, ହାକିମ୍ ବାବୁ, ତୁଣ୍ଡ ବାଇଦ,  ମାଆ, ଆଦି ଓ ତାଙ୍କ ଅଭିନୀତ ବହୁ ଚଳଚ୍ଚିତ୍ର ଏବେବି ଓଡିଆ ସିନେ ଜଗତର ପ୍ରମୁଖ ଏବଂ ସଫଳ ସିନେମା ହୋଇ ରହିଛି ।

{"id":329259,"sizeSlug":"large"}

ବରିଷ୍ଠ ସିନେ ସାମ୍ବାଦିକ ସୂର୍ଯ୍ୟ ଦେଓଙ୍କ ମତରେ ଅଜିତ ଦାସ ସିନେମା ଅପେକ୍ଷା ନାଟକ ପ୍ରତି ଅଧିକ ଗୁରୁତ୍ୱ ଦେଉଥିବା ଦେଖାଯାଇଛି । କ୍ଲାସିକ୍ ଡ୍ରାମା ମଲାଜହ୍ନ ଭଳି ଏବଂ ସେହି ଭଳି କାହାଣୀରୁ ସେ ଅଧିକ ପସନ୍ଦ କରୁଥିଲେ । ୧୯୮୭-୮୮ରୁ ସେ ସିନେମାରେ ଛୋଟ କିନ୍ତୁ ବେସ୍ ଶକ୍ତିଶାଳୀ ଭୂମିକାରେ ଅଧିକ ଅଭିନୟ କରିଥିବା ଦେଖାଦେଇଛି । ସେହି ଭଳି ସିନେମାରେ ତାଙ୍କ ଅଭିନୟ ବେସ୍ ମନଛୁଆଁ ହୋଇଛି । ତୁଣ୍ଡ ବାଇଦରେ କମ୍ ସମୟର ବଡ ଭାଇ ଭୂମିକା ଅଭିନୟ କରିବି ସେ ଦର୍ଶକଙ୍କ ମନ ଛୁଇଁଥିଲେ । କିନ୍ତୁ ଏହି ମୁଖ୍ୟ ନାୟକ ଥିଲେ ଉତ୍ତମ ମହାନ୍ତି । ସେଭଳି ପ୍ରସନଜିତଙ୍କ ଅଭିନୀତ ମାଆରେ ଛୋଟ ଭୂମିକାରେ ନଜର ଆସି ସେ ଦର୍ଶକଙ୍କ ମନ କିଣିଥିଲେ । ପରବର୍ତ୍ତୀ ସମୟରେ ସେ ଅଧିକ ମାତ୍ରାରେ ମଞ୍ଚନାଟକ ଆଡକୁ ଢଳିଥିଲେ । ସେ ଅଜିତ ନାମରେ ଏକ ନାଟ୍ୟସଂସ୍ଥା ଗଢିଥିଲେ । ମେଳାପୀ ଓ ହସଖୁସିଆ ସ୍ୱଭାବର ଅଜିତ ଜଣେ ଭଲ ଶିକ୍ଷକ ଥିଲେ । ଅଭିନୟ ସହ ଲେଖାଲେଖିରେ ଦକ୍ଷତା ରଖୁଥିବା ଅଜିତ ଡ୍ରାମାରେ ଗ୍ରାମ୍ର ପ୍ରତି ବେସ୍ ଗୁରୁତ୍ୱ ଦେଉଥିଲେ ବୋଲି କୁହନ୍ତି ସୂର୍ଯ୍ୟ ଦେଓ ।

ସୂଚନାଯୋଗ୍ୟ, ବିଶିଷ୍ଟ ଚଳଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଅଜିତ ଦାସ ରବିବାର ୭୧ ବର୍ଷ ବୟସରେ ଅଜିତ ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ଖବର ପ୍ରସାରିତ ହେବାପରେ ରାଜ୍ୟ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି।୨୦ ଜାନୁଆରୀ ୧୯୪୯ରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଅଜିତ୍ ଦାସଙ୍କ ଜନ୍ମ । ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ଅଜିତ ଦାସ୍‌ । ତାଙ୍କ ଅଭିନୀତ ହାକିମବାବୁ ଚଳଚ୍ଚିତ୍ରକୁ ମିଳିଥିଲା ଜାତୀୟ ପୁରସ୍କାର ।

କିଛି ଦିନ ତଳେ ଅଜିତ ଦାସ କୋଭିଡ୍ ସଂକ୍ରମିତ ହୋଇଥିବାର ଜଣାପଡ଼ିଥିଲା । ତେବେ ଆଜି ରବିବାର ଦିନ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେ କୋଭିଡ୍ ସହ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ସେହିପରି କିଛି ଦିନ ତଳେ ଓଡିଆ ଫିଲ୍ମ ଜଗତର ଆଉ ଜଣେ ବରିଷ୍ଠ ଅଭିନେତାଙ୍କ ପରଲୋକ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଥିଲା । ୭୦ ବର୍ଷ ବୟସରେ ଆଖିବୁଜିଥିଲେ ବିଜୟ ମହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.