ଆରପାରିରେ ଅଭିନେତା ଅଜିତ ଦାସ
13/09/2020 at 2:47 PM

ଭୁବନେଶ୍ୱର ୧୩।୯: ଓଡିଆ ସିନେଜଗତ ପାଇଁ ଆଉ ଏକ ଦୁଃଖଦ ଖବର । ବିଶିଷ୍ଟ ଚଳଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଅଜିତ ଦାସ ଆଉ ନାହାନ୍ତି । ରବିବାର ୭୧ ବର୍ଷ ବୟସରେ ଅଜିତ ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ଖବର ପ୍ରସାରିତ ହେବାପରେ ରାଜ୍ୟ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି।
୨୦ ଜାନୁଆରୀ ୧୯୪୯ରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଅଜିତ୍ ଦାସଙ୍କ ଜନ୍ମ । ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ଅଜିତ ଦାସ୍ । ତାଙ୍କ ଅଭିନୀତ ହାକିମବାବୁ ଚଳଚ୍ଚିତ୍ରକୁ ମିଳିଥିଲା ଜାତୀୟ ପୁରସ୍କାର । ଉତ୍କଳ ସଙ୍ଗୀତ ବିଶ୍ୱବିଦ୍ୟାଳୟର ଡ୍ରାମା ବିଭାଗର ଅଧ୍ୟାପକ ଥିଲେ ଅଜିତ ଦାସ୍ । ମୁଖ୍ୟମନ୍ତ୍ରୀ, ହାକିମବାବୁ, ଲୁଚକାଳି, ସିନ୍ଦୁର ବିନ୍ଦୁ, ମାଆ, ସୁନା ଚଢ଼େଇ ଆଦି ଫିଲ୍ମରେ ସେ ଅଭିନୟ କରିଥିଲେ । ୧୯୭୬ ମସିହାରେ ସିନ୍ଦୁର ବିନ୍ଦୁ ଚଳଚିତ୍ରରୁ ନିଜ ଫିଲ୍ମ ଯାତ୍ରା ଆରମ୍ଭ କରିଥିଲେ ଅଜିତ ଦାସ୍ । କେବଳ ସିନେମା ନୁହେଁ ବରଂ ନାଟକରେ ଅଭିନୟ ଓ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ଅଜିତ ଦାସ । ହାକିମ ବାବୁରେ ତାଙ୍କ ଉଚ୍ଚକୋଟିର ଅଭିନୟକୁ ଦେଖି ତାଙ୍କ ଫ୍ୟାନ୍ସ ଓଲିଉଡର ହାକିମ ବାବୁ ଡାକିବା ଆରମ୍ଭ କରିଥିଲେ ।
କିଛି ଦିନ ତଳେ ଅଜିତ ଦାସ କୋଭିଡ୍ ସଂକ୍ରମିତ ହୋଇଥିବାର ଜଣାପଡ଼ିଥିଲା । ତେବେ ଆଜି ରବିବାର ଦିନ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେ କୋଭିଡ୍ ସହ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ସେହିପରି କିଛି ଦିନ ତଳେ ଓଡିଆ ଫିଲ୍ମ ଜଗତର ଆଉ ଜଣେ ବରିଷ୍ଠ ଅଭିନେତାଙ୍କ ପରଲୋକ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଥିଲା । ୭୦ ବର୍ଷ ବୟସରେ ଆଖିବୁଜିଥିଲେ ବିଜୟ ମହାନ୍ତି ।