ବକ୍ସିଂ ଡେ’ ଟେଷ୍ଟରେ ଚମକିଲେ ଆଜିଙ୍କ୍ୟ ରାହାଣେ, ଲଗାଇଲେ ଦମଦାର୍ ଶତକ
27/12/2020 at 12:51 PM

ମେଲବର୍ଣ୍ଣ, ୨୭/୧୨: ମେଲବର୍ଣ୍ଣରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଚର ପ୍ରଥମ ଇନିଂସରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ଆକର୍ଷଣୀୟ ଶତକ ପୂରଣ କରିଛନ୍ତି । ସେ ଟେଷ୍ଟ କ୍ୟାରିଅରରେ ୧୨ତମ ଶତକ ଲଗାଇଛନ୍ତି । ସେ ଆକର୍ଷଣୀୟ ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ । ଏହାସହ କଙ୍ଗାରୁ ବୋଲରଙ୍କ ଉପରେ ମଧ୍ୟ ସେ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି ।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପ୍ରଥମ ଇନିଂସ ଆରମ୍ଭରେ ବିନା କୌଣସି ରନରେ ଗୋଟିଏ ଓ୍ୱିକେଟ୍ ହରାଇଥିଲା । ମୟଙ୍କ ଅଗ୍ରଓ୍ୱାଲ ୦ ରନ୍ କରି ମିଚେଲ ଷ୍ଟାର୍କଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଏହାପରେ କ୍ରିଜରେ ଶୁଭମନ ଗିଲ୍ ଓ ଚେତଶ୍ୱର ପୂଜାରା ବ୍ୟାଟିଂ କରିବାକୁ ଆସିଥିଲେ । ପ୍ରଥମ ଦିନରେ ଦଳର ସ୍କୋର ଗୋଟିଏ ଓ୍ୱିକେଟ୍ ବିନିମୟରେ ୩୬ ରହିଥିଲା ।
ତେବେ ଦ୍ୱିତୀୟ ଦିନରେ ଭାରତ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୧ଟା ସୁଦ୍ଧା ୫ଟି ଓ୍ୱିକେଟ୍ ହରାଇ ସାରିଛି । ପ୍ରଥମ ଦିନ କ୍ରିଜରେ ଥିବା ଶୁଭମନ ୪୫ ଓ ଚେତେଶ୍ୱର ପୂଜାରା ୧୭ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ହନୁମା ବିହାରୀ ୨୧ ରନରେ ପ୍ୟାଭିଲିୟନ ଫେରିଥିଲେ । ସେହିପରି ଋଷଭ ପନ୍ତ ୨୯ ରନ୍ କରି ଆଉଟ୍ ହୋଇଥିଲେ । ଏବେ କ୍ରିଜରେ ଆଜିଙ୍କ୍ୟ ରାହାଣେ ୧୦୪ ଓ ରବିନ୍ଦ୍ର ଜାଡେଜା ୪୦ ରନ୍ କରି ବ୍ୟାଟିଂ କରୁଛନ୍ତି । ଦଳର ସ୍କୋର ଏବେ ୨୭୭ ରହିଛି ।
ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କ୍ୟୁମିନ୍ସ ଓ ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ନାଥାନ ଲାୟନ ଗୋଟିଏ ଓ୍ୱିକେଟ୍ ନେଇଛନ୍ତି ।