‘ଆଜି ମହାନବମୀ, ବଳି ପଡ଼ିବା ଦରକାର’: ସକାଳେ ଘୋଷଣା କରି ସନ୍ଧ୍ୟାରେ ଯୁବକଙ୍କୁ ଗଳା କାଟି କଲା ହତ୍ୟା

Published By : Prameya-News7 Bureau | October 14, 2021 IST

ରାଞ୍ଚି ୧୪/୧୦: ମହାମାୟାଙ୍କ ମହାନବମୀରେ ଚଢ଼ିଲା ୩୫ ବର୍ଷୀୟ ଯୁବକଙ୍କ ବଳି । ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପୋଲିସ ଆରମ୍ଭ କରିଛି ଛାନଭିନ୍‌ । ଭୟଙ୍କର ଘଟଣା ଘଟିଛି ରାଞ୍ଚିର ତମାଡ଼ରେ । ତମାଡ଼ ସେହି ସ୍ଥାନ ଯେଉଁଠି ପ୍ରସିଦ୍ଧ ଦିଉଡୀ ମନ୍ଦିର ରହିଛି । କିନ୍ତୁ ହତ୍ୟା ଦିଉଡୀ ଅନେକ ଦୂର ପିପିଇଦି ଗାଁରେ ହୋଇଛି। ଗୁରୁବାର ସକାଳେ ଅଭିଯୁକ୍ତ କହିଥିଲା, ଆଜି ମହାନବମୀ କାହାର ବଳି ଚଢ଼ିବା ନିହାତି ଦରକାର। ସନ୍ଧ୍ୟାରେ ସତକୁ ସତ ବଳି ଚଢ଼ିଯାଇଛନ୍ତି ଜଣେ ୩୫ ବର୍ଷୀୟ ଯୁବକ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଏସପି ନୈସାଦ ଆଲାମଙ୍କ ଅନୁସାରେ, ପିପିଇଦି ଗାଁର ବାସିନ୍ଦା ତରୁଣ କୁମାର ମେହେଟା ଗୁରୁବାର ସକାଳେ ଗଁରେ କହି ବୁଲୁଥିଲା ଆଜି ମହାନବମୀ, ଆଜି କାହାକୁ ବଳି ଦେବାକୁ ପଡ଼ିବ। ତା କଥା ଉପରେ କେହି ଧ୍ୟାନ ଦେଇନଥିଲେ। ଠିକ୍‌ ସନ୍ଧ୍ୟାରେ ସେ ହରାଧନ ଲୋହରାଙ୍କୁ ଧରି ଛୁରୀରେ ତାଙ୍କ ଗଳା କାଟିଦେଇଥିଲା ।

ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହ ତରୁଣକୁ କାବୁ କରି ହରାଧନଙ୍କୁ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଗ୍ରାମବାସୀଙ୍କ ଦ୍ବାରା ଧରାପଡ଼ିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ତା ପାଖରୁ ଛୁରୀ ଜବତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.