ଅଜୟ ଦେବଗନଙ୍କ କାର ଅଟକାଇ ଯୁବକ ପଚାରିଲେ, କୃଷକ ଆନ୍ଦୋଳନରେ ଚୁପ୍ କାହିଁକି? ଗିରଫ କଲା ପୋଲିସ୍
3/03/2021 at 3:25 PM

ନୂଆଦିଲ୍ଲୀ ୦୩/୦୩: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ କାରକୁ ଅଟକାଇଥିବା ମାମଲାରେ ମୁମ୍ବାଇ ପୋଲିସ ମଙ୍ଗଳବାର ଦିନ ଜଣେ ଯୁବକଙ୍କୁ ଗିରଫ କରିଛି ।ସୂଚନା ଅନୁସାରେ, ଯୁବକ ଜଣଙ୍କ କୃଷକ ଆନ୍ଦୋଳନର ଜଣେ ସମର୍ଥକ ଏବଂ ଅଭିନେତାଙ୍କ କାରକୁ ଅଟକାଇ ଆନ୍ଦୋଳନ ବିଷୟରେ ଟ୍ୱିଟ୍ ନକରିବାର କାରଣ ପଚାରୁଥିଲେ ।
ଅଜୟ ଦେବଗନ୍ ତାଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିୟାୱାଡି’ର ସୁଟିଂ ପାଇଁ ଗୋରେଗାଓଁର ପୂର୍ବ ସ୍ଥିତ ଫିଲ୍ମସିଟିକୁ ଯାଉଥିଲେ । ସେ ଫିଲ୍ମସିଟି ଗେଟ୍ ଭିତରେ ପସିବାକୁ ଯାଉଥିଲେ ସେହି ସମୟରେ ଜଣେ ଯୁବକ ନିଜକୁ କୃଷକ ସମର୍ଥକ ବୋଲି କହି ଅଜୟଙ୍କ କାରକୁ ଅଟକାଇ ପଚାରିବାକୁ ଲାଗିଥିଲେ ଯେ ଚାଷୀଙ୍କୁ ଆନ୍ଦୋଳନ କରିବାର ୧୦୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା, ଅଜୟ ତାଙ୍କୁ ସମର୍ଥନ କରି ଟ୍ୱିଟ୍ କରି ନାହାଁନ୍ତି କାହିଁକି? ଏହି କାରଣରୁ ଆଖପାଖରେ ବିଶୃଙ୍ଖଳା ଦେଖାଦେଇଥିଲା । ପ୍ରାୟ ୧୫ ମିନିଟ୍ ଅଜୟଙ୍କ କାର ସେଠାରେ ଅଟକି ରହିଥିଲା । ପୋଲିସ ଆସି ଅଜୟଙ୍କୁ ସେଠାରୁ ବାହାର କରିଥିଲା ।
ପରେ ଢିଂଢୋଶୀ ପୋଲିସ ଯୁବକଙ୍କୁ ଗିରଫ କରିଥିଲା । ଯୁବକଙ୍କ ସହ ଉପସ୍ଥିତ କିଛି ଲୋକ କହିଛନ୍ତି, ଅଭିଯୁକ୍ତ ଅଜୟଙ୍କ ସହ କେବଳ କୃଷକ ଆନ୍ଦୋଳନ ବିଷୟରେ କଥା ହେବାକୁ ଚାହୁଁଥିଲେ । କାରକୁ ଅଟକାଇଥିବା ବ୍ୟକ୍ତିଙ୍କ ନାମ ରାଜଦୀପ ସିଂ ବୋଲି ଜଣାପଡିଛି । ତାଙ୍କୁ ଆଇପିସିର ଧାରା ୩୪୧, ୫୦୪ ଏବଂ ୫୦୬ ଅନୁଯାୟୀ ଗିରଫ କରାଯାଇଛି । ଅଜୟଙ୍କ କାରକୁ ଅଟକାଇ ଯୁବକଙ୍କର ବିଶୃଙ୍ଖଳା ସୃଷ୍ଟି କରିଥିବା ଭିଡିଓ ଭାଇରାଲ ହୋଇଥିଲା, ଯାହାକୁ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରି ସେୟାର କରି ଲେଖିଛନ୍ତି- ଅଜୟ ଦେବଗନଙ୍କୁ ଏହି ପ୍ରକାର ଧମକ ଦେବା ଅତ୍ୟନ୍ତ ଲଜ୍ୟାଜନକ । ସରକାରଙ୍କୁ ନିଷ୍ପତ୍ତି ନେବାକୁ ପଡିବ, କ’ଣ ଗୁରୁତ୍ୱପୂର୍ଣ୍ଣ – ବିରୋଧ କରିବାର ଅଧିକାର ନା ଶାନ୍ତି ଏବଂ ନିରାପତ୍ତା ଗଠନ କରିବାର ଅଧିକାର?
ଅଜୟ ‘ଗଙ୍ଗୁବାଇ କାଠିଆୱାଡି’ର ସୁଟିଂ ଆରମ୍ଭ କରିଦେଇଛନ୍ତି । ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଅଜୟଙ୍କୁ ଏକ ବିଶେଷ ଚରିତ୍ରରେ ଦେଖିବାକୁ ମିଳିବ ।ଏହିଫିଲ୍ମରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମ ମାଧ୍ୟମରେ ଅଜୟ ୨୨ବର୍ଷ ପରେ ଭଂସାଲୀଙ୍କ ସହ କାମ କରିଛନ୍ତି । ୧୯୯୯ରେ ଫିଲ୍ମ ହମ୍ ଦିଲ୍ ଦେ ଚୁକେ ସନମ୍’ ରେ ଅଜୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଫିଲ୍ମରେ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଏହା ବ୍ୟତୀତ ଅଜୟ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମେ-ଡେ’ର ସୁଟିଂ ମଧ୍ୟ କରୁଛନ୍ତି, ଯେଉଁଥିରେ ଅମିତାଭ ବଚ୍ଚନ ଏବଂ ରକୁଲପ୍ରୀତ ସିଂ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।