ବଲିଉଡ୍ ସିଂହମଙ୍କ ବଡ ହୃଦୟ: କରୋନା କାଳରେ ବଢାଇଲେ ସହାୟତାରେ ହାତ, ଦାନ କଲେ ଏକ କୋଟି ଟଙ୍କା

Published By : Prameya-News7 Bureau | April 28, 2021 IST

ମୁମ୍ବାଇ ୨୮/୦୪ : ଦେଶରେ କରୋନାର ଦ୍ୱିତୀୟ ଲହର ଚିନ୍ତାର ବିଷୟ ପାଲଟିଛି। ପ୍ରତିଦିନ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନେକ ହସ୍ପିଟାଲରେ ଅକ୍ସିଜେନ ଅଭାବ ଦେଖାଦେଇଛି। ଅକ୍ସିଜେନ ପାଇଁ ଦେଶରେ ଯେତେ ହାହାକାର ଦେଖିବାକୁ ମିଳିଛି ତାହା କରୋନାର ପ୍ରଥମ ଲହରରେ ଦେଖା ଦେଇନଥିଲା। ଅକ୍ସିଜେନ ଅଭାବ ଦୂର କରିବାକୁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସହାୟତା ପାଇଁ ଅନେକ ଲୋକ ମଧ୍ୟ ସାମ୍ନାକୁ ଆସିଛନ୍ତି। ଅନେକ ସେଲିବ୍ରିଟି ମଧ୍ୟ ନିଜ ତରିକାରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ସିଂହମ ଷ୍ଟାର ଅଜୟ ଦେବଗନ ସହାୟତାର ହାତ ବଢ଼ାଇଛନ୍ତି।

ଅଜୟ ଦେବଗନ ବଲିଉଡର ନିଜର ସହଯୋଗୀଙ୍କ ସାହାଯ୍ୟରେ ବିଏମସିକୁ ଏକ କୋଟି ଟଙ୍କା ଦାନ କରିଛନ୍ତି। ଏହି ରାଶିରେ ୨୦ କୋଭିଡ ବେଡ଼ ତିଆରି କରାଯିବ। ମୁମ୍ବାଇର ଶିବାଜୀ ପାର୍କ ସ୍ଥିତ ଅଞ୍ଚଳରେ ଏହା ନିର୍ମାଣ ହେବ। ଏହି ରାଶି ଅଜୟ ଦେବଗନଙ୍କ ସଂସ୍ଥା ଏନୱାୟ ଫାଉଣ୍ଡେସନ ଦ୍ୱାରା ଦାନ କରାଯାଇଛି ବୋଲି କୁହାଯାଉଛି। ଏନେନି ବଲିଉଡ ଅଭିନେତା ବିନ୍ଦୁ ଦାରା ସିଂହ ଏକ ଟ୍ୱିଟ କରିଛନ୍ତି।

ଏହି କୋଭିଡ ବେଡ଼ ଆଇସିୟୁରେ ପାରା-ମିଟର, ଭେଣ୍ଟିଲେଟର, ଅକ୍ସିଜେନ ସମେତ ତମାମ ଜରୁରୀ ସେବା ଉପଲବ୍ଧ ହେବ। ଏହି ଆଇସିୟୁ ପିଡି ହିନ୍ଦୁଜା ହସ୍ପିଟାଲ, ବିଏମସି, ବଲିଉଡର ଆପୋଷ ସହଯୋଗରେ ନିର୍ମାଣ କରାଯିବ। ଅଜୟ ଦେଵଗଣଙ୍କ ଏହି ପଦକ୍ଷେପ ଯୋଗୁଁ ଲୋକେ ଭୁରି ଭୁରି ତାଙ୍କୁ ପ୍ରଶଂସା କରୁଛନ୍ତି।

ଅଜୟ ଦେବଗନଙ୍କ ଛଡା ଅନ୍ୟ କଳାକାର ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି। କିଏ ଲୋକଙ୍କୁ ଖାଇବା ଯୋଗାଉଛନ୍ତି ତ କିଏ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ଦେଉଛନ୍ତି। ସୋସିଆଲ ମିଡ଼ିଆ ଜରିଆରେ ମଧ୍ୟ ଅନେକ କଳାକାର ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.